କେନ୍ଦ୍ରକୁ ରାଜ୍ୟର ଚିଠି : ସରିଯାଉଛି ଟିକା, ଆଉ ୧୫ ଲକ୍ଷ ଦିଅ

ଆଜି ଆସିବ ସାଢ଼େ ୩ଲକ୍ଷ ‘କୋଭିସିଲ୍‌ଡ’

ଏଣିକି ସକାଳ ୮ଟାରୁ୧୨ଟା ଓ ଅପରାହ୍‌ଣ ୩ଟାରୁ ୬ଟା ଯାଏ ଦିଆଯିବ ଟିକା
ଦିନକରେ ଟିକା ନେଲେ ଅଢ଼େଇ ଲକ୍ଷରୁ ଅଧିକ

ଭୁବନେଶ୍ବର : ରାଜ୍ୟରେ ଟିକା ବିବାଦ ଥମୁନାହିଁ। କିଛିଦିନ ପୂର୍ବରୁ ଓଡ଼ିଶାକୁ ଟିକା ଯୋଗାଣରେ ପାତରଅନ୍ତର କରାଯାଉଥିବା ନେଇ ‌ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କୁ ଚିଠି ଲେଖା ଯାଇଥିଲା। ଏହାପରେ ଟିକାର କୌଣସି ଅଭାବ ରହିବ ନାହିଁ କେନ୍ଦ୍ର ସରକାର ସ୍ପଷ୍ଟ କରିଥିଲେ। ହେଲେ ଏବେ ପୁଣିଥରେ ରାଜ୍ୟରେ ଟିକାର ଅଭାବ ନେଇ ଆଶଙ୍କା ସୃଷ୍ଟି ହୋଇଛି। ତେଣୁ ୧୫ଲକ୍ଷ ଟିକା ତୁରନ୍ତ ଯୋଗାଇ ଦେବା ଲାଗି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରି ଚିଠି ଲେଖିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର। ଯଦିଓ
ଆସନ୍ତାକାଲି ୩ଲକ୍ଷ ୪୯ହଜାର ୧୩୦ ଡୋଜ୍ ‘କୋଭିସିଲ୍‌ଡ’ ଟିକା ଓଡ଼ିଶା ପହଞ୍ଚିବ; ହେଲେ ଏହା ମାତ୍ର ୨ଦିନ ଟିକାକରଣ ପାଇଁ ଯଥେଷ୍ଟ। ତେଣୁ ତୁରନ୍ତ ଟିକା ଯୋଗାଣ ନ ହେଲେ ରାଜ୍ୟରେ ଟିକାକରଣ ବାଧାପ୍ରାପ୍ତ ହୋଇପାରେ ବୋଲି ଶ୍ରୀ ମହାପାତ୍ର ଉଲ୍ଲେଖ କରିଛନ୍ତି।

ରାଜ୍ୟ ସରକାର ଏବେ ଦୈନିକ ୨ଲକ୍ଷ ଲୋକଙ୍କୁ ଟିକା ଦେଉଛନ୍ତି। ଚଳିତ ମାସ ପହିଲାରୁ ଏହା ରାଜ୍ୟରେ କାର୍ଯ୍ୟକାରୀ କରାଯାଇଛି। ମାତ୍ର ରାଜ୍ୟ ନିକଟରେ ଏବେ ୬ଲକ୍ଷ ୨ହଜାର ୪୩୦ ଡୋଜ୍‌ର ‘କୋଭିସିଲ୍‌ଡ’ ଓ ୧ଲକ୍ଷ ୪୮ହଜାର ୫୫୦ ଡୋଜ୍‌ର ‘କୋଭାକ୍ସିନ୍’କୁ ମିଶାଇ ସମୁଦାୟ ୭ଲକ୍ଷ ୫୦ହଜାର ୯୮୦ ଡୋଜ୍‌ର ଟିକା ମହଜୁଦ ଅଛନ୍ତି। ମାତ୍ର ଦୈନିକ ୨ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆଯାଉଥିବାରୁ ମହଜୁଦ ଟିକା ମାତ୍ର ୨ଦିନ ଭିତରେ ଶେଷ ହୋଇଯିବ। ରାଜ୍ୟରେ ଗୋଟିଏ ପଟେ ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ ଅନ୍ୟ ପ‌ଟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇଛି। ଏହାସହ ରାଜ୍ୟରେ ମାତ୍ର ୦.୫ ପ୍ରତିଶତ ଟିକା ନଷ୍ଟ ହେଉଛି। ଏ କ୍ଷେତ୍ରରେ ଓଡ଼ିଶା ଦେଶରେ କିଛି ହାତଗଣତି ରାଜ୍ୟ ଭିତରେ ରହିଛି। ଅପରପକ୍ଷରେ ଆସନ୍ତାକାଲି ସାଢ଼େ ୩ଲକ୍ଷ ଟିକା ପହଞ୍ଚିବ ବୋଲି କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇଛନ୍ତି। ‌ମାତ୍ର ଆବଶ୍ୟକତା ଅନୁସାରେ ଏହା ପର୍ଯ୍ୟାପ୍ତ ନୁହେଁ। ଏସବୁକୁ ନଜରରେ ରଖି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟକୁ ୧୫ଲକ୍ଷ ଟିକା ଯୋଗାଇ ଦେବା ଲାଗି ଅନୁରୋଧ କରାଯାଇଛି।

ଅପରପକ୍ଷରେ ରାଜ୍ୟରେ ଗ୍ରୀଷ୍ମପ୍ରବାହକୁ ନଜରରେ ରଖି ରାଜ୍ୟ ସରକାର ଟିକାକରଣ ସମୟରେ ପରିବର୍ତନ କରିଛନ୍ତି। ପୂର୍ବରୁ ସକାଳ ୯ଟାରୁ ୫ଟା ପର୍ଯ୍ୟନ୍ତ ଟିକାକରଣ ହେଉଥିବା ବେଳେ ଏବେ ସକାଳ ୮ଟାରୁ ୧୨ଟା ଓ ଅପରାହ୍‌ଣ ୩ଟାରୁ ୬ଟା ପର୍ଯ୍ୟନ୍ତ ଟିକାକରଣ କରାଯିବ। ଏହାସହ ଟିକାକରଣ କେନ୍ଦ୍ରରେ ପ୍ରତୀକ୍ଷାଳୟ, ନିରୀକ୍ଷଣ ଗୃହ, ଟିକାକରଣ ଗୃହ ଓ ପିଇବା ପାଣିର ବ୍ୟବସ୍ଥା କରିବା ଲାଗି ନିର୍ଦେଶ ଦିଆଯାଇଛି। ଟିକାଦାନ ସମୟରେ ଲୋକମାନେ ଯେପରି ମାସ୍କ ପିନ୍ଧିବା, ହାତ ଧୋଇବା ଓ ସାମାଜିକ ଦୂରତ୍ବ ବଜାୟ ରହିବ ତାହା ଉପରେ ଗୁରୁତ୍ବ ଦେବାକୁ କୁହାଯାଇଛି। ଟିକାକରଣ ପରେ ଅପରାହ୍‌ଣ ସାଢ଼େ ୬ଟାରେ ଜିଲ୍ଲାରୁ ରିପୋର୍ଟ ପଠାଇବା ଲାଗି ସବୁ ଜିଲ୍ଲାପାଳ, ନଗର ନିଗମ ଓ ସିଡିଏମ୍‌ଓମାନଙ୍କୁ ନିର୍ଦେଶ ଦିଆଯାଇଛି।

ଅପରପକ୍ଷରେ ଆଜି ରାଜ୍ୟରେ ୨ଲକ୍ଷ ୬୩ହଜାର ୪୧ଜଣଙ୍କୁ କରୋନା ଟିକା ଦିଆଯାଇଛି। ଏଥିରେ ୪୫ବର୍ଷରୁ ଅଧିକ ୧ଲକ୍ଷ ୭୦ହଜାର ୩୬୦ଜଣଙ୍କୁ ପ୍ରଥମ ଡୋଜ୍ ଓ ୧୬୩୫ଜଣଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଛି। ୬୦ବର୍ଷରୁ ଅଧିକ ୭୫ହଜାର ୫୨୫ଜଣଙ୍କୁ ପ୍ରଥମ ଓ ୧୩,୬୭୨ଜଣ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ଏହାସହ ସ୍ବାସ୍ଥ୍ୟକର୍ମୀ ଓ ଆଗଧାଡ଼ିର ଯୋଦ୍ଧାଙ୍କୁ ଟିକା ଦିଆଯାଇଛି। ଜଣେ ବ୍ୟକ୍ତିଙ୍କଠାରେ ଟିକାର ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ୩୫ଲକ୍ଷ ୬୭ଜହାର ୮୧୦ଜଣ ଉଭୟ ଡୋଜ୍‌ର ଟିକା ନେଇ ସାରିଲେଣି। ସେହିପରି ରାଜ୍ୟରେ ପଞ୍ଜୀକୃତ ହୋଇଥିବା ୯୪.୫ ପ୍ରତିଶତ ସ୍ବାସ୍ଥ୍ୟକର୍ମୀ ଓ ୮୪.୪ ପ୍ରତିଶତ ଆଗଧାଡ଼ିର ଯୋଦ୍ଧା ପ୍ରଥମ ଡୋଜ୍ ଟିକା ନେଇଛନ୍ତି।

ସମ୍ବନ୍ଧିତ ଖବର