୧୧ରେ ଝାରସୁଗୁଡ଼ାରେ ରାଷ୍ଟ୍ରୀୟ ଲୋକ ଅଦାଲତ  

ଝାରସୁଗୁଡ଼ା: ରାଷ୍ଟ୍ରୀୟ ଆଇନ ସେବା ପ୍ରାଧିକରଣ ଓ ଓଡ଼ିଶା ରାଜ୍ୟ ଆଇନ୍ ସେବା ପ୍ରାଧିକରଣ କଟକଙ୍କ ନିର୍ଦ୍ଦେଶକ୍ରମେ ଝାରସୁଗୁଡ଼ା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ଆସନ୍ତା ୧୧ ତାରିଖ ଦିନ ଜିଲ୍ଲା କୋର୍ଟ ପରିସରରେ ଓ ଲଖନପୁର ସ୍ଥିତ ଗ୍ରାମ ନ୍ୟାୟାଳୟ ପରିସରରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ। ଉକ୍ତ ଅଦାଲତରେ ସମସ୍ତ ପ୍ରକାରର ସାଲିସ୍ ଯୋଗ୍ୟ ଫୌଜଦାରୀ ଓ ଦେୱାନୀ ବିଚାରାଧୀନ ମକଦ୍ଦମା, ମୋଟରଯାନ ଦୁର୍ଘଟଣା, ବ୍ୟାଙ୍କ ଋଣ, ବିଦ୍ୟୁତ୍‌ ଓ ଜଳ ଯୋଗାଣ, ପାରିବାରିକ ସମସ୍ୟା, ଜମି ଅଧିଗ୍ରହଣ, ଶ୍ରମ ବିବାଦ, ଚେକ ବାଉନ୍ସ  ଆଦି ମାମଲାର ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରାଯାଇ ପାରିବ ବୋଲି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସୂଚନା ଦିଆଯାଇଛି।

ଏ ସଂପର୍କରେ ଝାରସୁଗୁଡ଼ାର ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣର ଅଧ୍ୟକ୍ଷ ଦିଗମ୍ବର ପୃଷ୍ଟିଙ୍କ ନିର୍ଦ୍ଦେଶକ୍ରମେ ଏକ ଭ୍ରାମ୍ୟମାଣ ଗାଡ଼ି ଦୁଇ ଦିନ ଧରି ଜିଲ୍ଳାର ସହରାଞ୍ଚଳ ଓ ଗ୍ରାମାଞ୍ଚଳ ବୁଲି ପ୍ରଚାର କରିବ। ଏହି ସୁଯୋଗର ସଦୁପଯୋଗ କରିବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି ବୋଲି ପ୍ରାଧିକରଣ ସଚିବ ନେହା ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର