ବିଭିନ୍ନ ଯୋଜନାରେ ଖର୍ଚ୍ଚ ହେବ ୫୯୯ କୋଟି
ଲାଗିବ ୬.୬୭ କୋଟି ଚାରା, ବଣ୍ଟାଯିବ ୩.୨୧ କୋଟି
ଭୁବନେଶ୍ବର : ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟର ୧ଲକ୍ଷ ୫୦ ହଜାର ୪୮୧ ହେକ୍ଟର ଜମିରେ ୬ କୋଟି ୬୭ ଲକ୍ଷ ୯୩ ହଜାର ଚାରା ରୋପଣ କରାଯିବ। ବିଭିନ୍ନ ଯୋଜନାରେ ଏଥିପାଇଁ ୫୯୯ କୋଟି ଟଙ୍କା ବିନିଯୋଗ ହେବ। ଏଥିପାଇଁ ୩ କୋଟି ୨୧ ଲକ୍ଷ ୬୦ ହଜାର ଚାରା ବଣ୍ଟନ କରିବାକୁ ଲକ୍ଷ୍ୟ ରଖାଯାଇଥିବା ରାଜ୍ୟସ୍ତରୀୟ ବନ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି।
ଭୁବନେଶ୍ବରସ୍ଥିତ ବଡ଼ଗଡ଼ ହାଇସ୍କୁଲ ପରିସରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ଆରୁଖ କହିଲେ ଯେ ବାତ୍ୟା ‘ୟାସ୍’ରେ ନଷ୍ଟ ହୋଇଥିବା ସବୁଜିମା ଫେରାଇ ଆଣିବା ଆମ ପାଇଁ ଏକ ଆହ୍ବାନ। ଭିତରକନିକାର ଘଞ୍ଚ ହେନ୍ତାଳ ବନ ‘ୟାସ୍’ର ଭୀଷଣ ପ୍ରଭାବରୁ ନିକଟସ୍ଥ ଗ୍ରାମଗୁଡ଼ିକୁ ସୁରକ୍ଷା ଦେଇପାରିଥିଲା। ଏଥିପାଇଁ ପ୍ରାକୃତିକ ଜଙ୍ଗଲର ପୁନର୍ଜନନ, ନୂତନ ଜଙ୍ଗଲ ସୃଷ୍ଟି, ସହରାଞ୍ଚଳ ବନୀକରଣ, ପଥପାର୍ଶ୍ବ ବନୀକରଣ ଆଦି ମାଧ୍ୟମରେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। କାମ୍ପା ଯୋଜନାରେ ୨୮୦କୋଟି ଟଙ୍କା ବିନିଯୋଗରେ ୪୪ ହଜାର ୫୬୯ ହେକ୍ଟରରେ ୧ କୋଟି ୫୨ଲକ୍ଷ ୩୫ ହଜାର ଚାରା, ଓଡ଼ିଶା ବନାଞ୍ଚଳ ପ୍ରକଳ୍ପ ମାଧ୍ୟମରେ ୮୯କୋଟି ବ୍ୟୟରେ ୨୦ ହଜାର ୨୧୮ ହେକ୍ଟରରେ ୮୨ ଲକ୍ଷ ୩୨ ହଜାର ଚାରା, ଆମ ଜଙ୍ଗଲ ଯୋଜନାରେ ୪୩ କୋଟି ବ୍ୟୟରେ ୨୦ ହଜାର ହେକ୍ଟରରେ ୪୦ ଲକ୍ଷ ଚାରାରୋପଣ କରାଯିବ।
ଜାତୀୟ ବନୀକରଣ ଯୋଜନାରେ ୧୫ କୋଟି ବିନିଯୋଗରେ ୬ ହଜାର ୬୮୫ ହେକ୍ଟରରେ ୨୦ ଲକ୍ଷ ୪୪ ହଜାର, ସବୁଜ ଭାରତ ମିସନ୍ରେ ୨୦ କୋଟି ଟଙ୍କା ବିନିଯୋଗରେ ୭ ହଜାର ୩୧୦ ହେକ୍ଟରରେ ୩୦ ଲକ୍ଷ ୨୪ ହଜାର, ଓଡ଼ିଶା ଖଣି ନିଗମ ଦ୍ବାରା ୪ କୋଟି ବ୍ୟୟରେ ୬୨୫ ହେକ୍ଟରରେ ୧୦ଲକ୍ଷ, ମହାତ୍ମାଗାନ୍ଧୀ ନରେଗା ଯୋଜନାରେ ୧୪୫ କୋଟି ବିନିଯୋଗରେ ୫୦ ହଜାର ହେକ୍ଟରରେ ୩ କୋଟି ୨୨ ଲକ୍ଷ ୫୦ ହଜାର, ବନ୍ୟପ୍ରାଣୀ କରିଡର୍ ଯୋଜନାରେ ୩ କୋଟି ବିନିଯୋଗରେ ୪୪୪ ହେକ୍ଟରରେ ୭ ଲକ୍ଷ ୧ ହଜାର ଓ ଅନ୍ୟାନ୍ୟ ଯୋଜନାରେ ୨ କୋଟି ଟଙ୍କାରେ ୬୩୦ ହେକ୍ଟର ଜମିରେ ୨ ଲକ୍ଷ ୪୮ ହଜାର ଚାରାରୋପଣ ହେବ।
ମହୋତ୍ସବରେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ବନ ମହୋତ୍ସବକୁ ରାଜ୍ୟର ଏକ ଲୋକ ମହୋତ୍ସବରେ ପରିଣତ କରାଯାଇପାରିଛି ବୋଲି କହିଥିଲେ। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ସଚିବ ମୋନା ଶର୍ମା ଯୋଗଦେଇ ବ୍ୟାପକ ବନୀକରଣ ହେଲେ ଜଳବାୟୁ ପରିବର୍ତ୍ତନର କୁ-ପ୍ରଭାବକୁ ପ୍ରତିହତ କରାଯାଇପାରିବ ବୋଲି କହିଥିଲେ। ପ୍ରଧାନ ମୁଖ୍ୟ ବନସଂରକ୍ଷକ(ପିସିସିଏଫ୍) ଶିଶିର କୁମାର ରଥ ସ୍ବାଗତ ଭାଷଣ ଦେଇଥିବା ବେଳେ ବଡ଼ଗଡ଼ ହାଇସ୍କୁଲ ପ୍ରଧାନଶିକ୍ଷୟିତ୍ରୀ ପ୍ରଜ୍ଞା ପାରମିତା ଜେନା ଧନ୍ୟବାଦ ଦେଇଥିଲେ। ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ମହୋତ୍ସବରେ ଉପସ୍ଥିତ ଥିଲେ। ଏହି ଅବସରରେ ହାଇସ୍କୁଲ ପରିସରରେ ବୃକ୍ଷରୋପଣ କରାଯାଇଥିଲା।