ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୬ଦିନ ପାଇଁ ମିଳିବ ସେବା

କୈଶୋର ସ୍ୱାସ୍ଥ୍ୟ ରାଜ୍ୟସ୍ତରୀୟ କମିଟି ବୈଠକ

ଭୁବନେଶ୍ୱର : ରାଜ୍ୟରେ କୈଶୋର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉପଲବ୍ଧ ହେଉଛି। ଏବେସୁଦ୍ଧା ୨୧୧ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଏହା କାର୍ଯ୍ୟକାରୀ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସପ୍ତାହରେ ୬ଦିନ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସପ୍ତାହକୁ ୨ଦିନ ପାଇଁ ଏହି ସେବା ମିଳୁଛି। ଅପରାହ୍‌ଣ ୨ଟାରୁ ୫ଟା ପର୍ଯ୍ୟନ୍ତ ସେବା ଦିଆଯାଉଛି। ତେବେ ଆଗାମୀ ଦିନରେ ରାଜ୍ୟର ଅନ୍ୟ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ଏହି ସେବା ଉପଲବ୍ଧ ହେବା ସହିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୬ଦିନ ସେବା ଦିଆଯିବ ବୋଲି ଜଣାପଡ଼ିଛି।

କୈଶୋର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ରାଜ୍ୟସ୍ତରୀୟ କମିଟି ବୈଠକ ସ୍ୱାସ୍ଥ୍ୟ ସଚିବ ଡା.ପ୍ରମୋଦ କୁମାର ମେହେର୍ଦାଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଥିଲା। ଏଥିରେ କୈଶୋର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ଉପରେ ବିଷଦ ଭାବେ ଆଲୋଚନା କରାଯାଇଥିଲା। କୈଶୋର ସ୍ୱାସ୍ଥ୍ୟ ପାଇଁ କାର୍ଯ୍ୟ କରୁଥିବା ‘ଶ୍ରଦ୍ଧା’ କ୍ଲିନିକ୍‌କୁ ଅଧିକରୁ ଅଧିକ କିଶୋର କିଶୋରୀ ଯାଉଥିବା ସୂଚନା ମିଳିଛି। ୨୦୧୪/୧୫ ମସିହାରେ ୮୨୯୫ଜଣ, ୨୦୧୫/୧୬ରେ ୧୪୮୦୩ଜଣ, ୨୦୧୬/୧୭ରେ ୪୦୮୧୨ଜଣ ଓ ୨୦୧୭/୧୮ର ତୃତୀୟ କ୍ୱାର୍ଟରରେ ୩୮ହଜାର ୭୯୬ଜଣ କିଶୋର ନିଜର ଚିକିତ୍ସା କରିଛନ୍ତି। ରାଜ୍ୟରେ କୈଶୋର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ ଓ ଏସ୍‌ସି/ଏସ୍‌ଟି ବିଭାଗର ସହଯୋଗରେ କାର୍ଯ୍ୟକାରୀ ହେଉଛି। ୟୁନିସେଫ୍‌ ସହାୟତାରେ କନ୍ଧମାଳ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ପାଇଲଟ ବେସିସ୍‌ରେ ଆଦିବାସୀ ଆବାସିକ ବିଦ୍ୟାଳୟମାନଙ୍କରେ ଏହା କାର୍ଯ୍ୟକାରୀ ହେଉଛି। ରାୟଗଡ଼ା ଜିଲ୍ଲାରେ ପାଇଲଟ ବେସିସ୍‌ରେ ଆଦିବାସୀ ଆବାସିକ ବିଦ୍ୟାଳୟର ୧୦ରୁ ୧୯ବର୍ଷର ୩୦ହଜାର ୭୧୦ଜଣ କିଶୋରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଗତ ନଭେମ୍ବର ମାସ ସୁଦ୍ଧା ୬୫ଟି ବିଦ୍ୟାଳୟର ୧୨୫୧୫ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ବେଳେ ୬୦୩୨ ଜଣଙ୍କୁ ଚିକିତ୍ସା କରାଯାଇଛି।

ସେହିପରି କୈଶୋର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ କିଶୋରୀମାନଙ୍କ ପାଇଁ ସୁରକ୍ଷିତ ନାପକିନ୍‌ ‘ଖୁସି’ର ବ୍ୟବହାରକୁ ପ୍ରୋତ୍ସାହିତ କରାଯାଉଛି। ଆଶାକର୍ମୀମାନଙ୍କ ଜରିଆରେ ଏହାର ସାମାଜିକ ମାର୍କେଟିଂ ଆରମ୍ଭ କରାଯାଇଛି। ଏ ପର୍ଯ୍ୟନ୍ତ ୫୫ଲକ୍ଷ ୧୪ହଜାର ୮୬୪ଟି ପ୍ୟାକେଟ୍‌ ନାପକିନ୍‌ ଯୋଗାଇ ଦିଆଯାଇଛି। ଗତ ନଭେମ୍ବର ମାସ ସୁଦ୍ଧା ୧୩ଲକ୍ଷ ୭ହଜାର ୬୮୭ ପ୍ୟାକେଟ୍‌ ବିକ୍ରି ହୋଇଥିବା ବେଳେ ଏଥିରୁ ୪୩ଲକ୍ଷ ୯୨ହଜାର ୬୯୮ ଟଙ୍କା ମିଳିଥିବା ବେଳେ ସେଥିରୁ ୧୬ଲକ୍ଷ ୮୪ହଜାର ୮୯୯ ଟଙ୍କା ରାଜ୍ୟ ସ୍ୱାସ୍ଥ୍ୟ ସମିତିରେ ଜମା ହୋଇଛି। ସାପ୍ତାହିକ ଆଇରନ ବଟିକା ବ୍ୟବହାରକୁ ନିୟମିତ ତଥା ବ୍ୟାପକ କରିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା।

ସମ୍ବନ୍ଧିତ ଖବର