ରାୟଗଡା: ଓଡିଶା ସରକାରଙ୍କ ଦ୍ବାରା କୋରାପୁଟ, ରାୟଗଡା ଓ ଗଜପତି ଜିଲ୍ଲାର ୪୦ ଜଣ ଆଗଧାଡ଼ିର କୃଷକ ଓ କୃଷି ସଂଗଠକମାନଙ୍କୁ ନେଇ ସମନ୍ବିତ କୃଷି ଉପରେ ଜେ.କେ.କାଗଜ କଳର ସାମାଜିକ ଦାୟୀତ୍ବବୋଧ ଦ୍ବାରା ପ୍ରସ୍ତୁତ ସଫଳ କୃଷିକ୍ଷେତ୍ରଗୁଡିକର ପ୍ରଶିକ୍ଷଣ ଓ କ୍ଷେତ୍ର ପରିଦର୍ଶନ ପାଇଁ ଏକ ଦୁଇ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିନରେ ଜେକେ କାଗଜ କଳର ସମାଜିକ ଦାୟୀତ୍ବବୋଧ ବିଭାଗର ଜିଏମ ପ୍ରଫୁଲ କୁମାର ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜିଲ୍ଲା କୃଷି ବିଭାଗ, ଜିଲ୍ଲା ଉଦ୍ୟାନ ବିଭାଗ, ଜିଲ୍ଲା ଜଳବିଭାଜିକା ବିଭାଗ, ଜିଲ୍ଲା ପ୍ରାଣୀ ସଂପଦ ବିଭାଗ ଏବଂ ଵାସନର ରାଜ୍ୟ ଓ ରାୟଗଡା ଜିଲ୍ଲା କର୍ମକର୍ତ୍ତା ତଥା ଏସଏସଏଫର କର୍ମକର୍ତ୍ତାମାନେ ସରକାରଙ୍କ ଦ୍ବାରା ଅନୁଷ୍ଠିତ କାର୍ଯ୍ୟକ୍ରମରେ କୃଷି ନୀତି ଉପରେ ସୂଚନା ପ୍ରଦାନ କରିବା ସହ ଏହାର ସଫଳ ରୁପାନ୍ତର ନେଇ ବିଭିନ୍ନ ପଦକ୍ଷେପ ବିଷୟରେ ଅବଗତ କରାଯାଇଥିଲା।
ବିଶେଷକରି ଜେକେ କାଗଜ କଳ କିପରି ଛୋଟ, ନିମ୍ନ ଓ ଭୁମିହୀନ ଚାଷୀମାନଙ୍କୁ ନେଇ ଗ୍ରାମସ୍ତରରେ କୃଷି ସଂଗଠନ ଗଠନ କରି ସୋଲାର ପମ୍ପ ଦ୍ବାରା ପାଣି ଯୋଗାଣ ଓ ଡ୍ରିପ ଇରିଗେସନ କରିବା ସହ ଜାତୀୟ ଉଦ୍ୟାନ କୃଷି ମିସନକୁ କିପରି ସଫଳ ଭାବେ କାର୍ଯ୍ୟ କରାଇ କୃଷକମାନଙ୍କର ଆମଦାନି ଓ ଆୟ ୫ ଗୁଣରୁ ୧୦ ଗୁଣ କରିପାରିଛନ୍ତି ସେନେଇ ବିସ୍ତୃତ ଭାବେ ବୁଝାଇଥିଲେ। ପନିପରିବା ସହିତ କୃଷକମାନେ ୨ ବର୍ଷରେ ଅଲଗା ଅଲଗା କ୍ଲଷ୍ଟରରେ ୨୦ରୁ ୨୫ ପ୍ରକାର ପନିପରିବା ଚାଷ କରିପାରୁଛନ୍ତି ସେନେଇ ତାଲିମ ପ୍ରଦାନ କରାଯାଇଥିଲା। ଦ୍ବିତୀୟ ଦିନରେ ଚାଷୀ ଏବଂ ଚାଷୀ ସଂଗଠକମାନେ କ୍ଷେତ୍ର ପରିଦର୍ଶନ କରିଥିଲେ। କୃଷକମାନଙ୍କ ପାଇଁ ଵାସନ ତରଫରୁ ଓଡିଶାର ବିଭିନ୍ନ ସ୍ଥାନକୁ କ୍ଷେତ୍ର ପରିଦର୍ଶନ କରିବାର ସୁବିଧା ଦିଆଯିବ ବୋଲି ସ୍ଥିର କରାଯାଇଛି।ଏହି କାର୍ଯ୍ୟକ୍ରମକୁ ସ୍ପର୍ଶର କିଶୋର କୁମାର ସାହୁ,ମୁନଶ୍ରୀ ରାୟ, ନିଳତ୍ମଳା ସାହୁ, ରାଜେଶ ବିଶ୍ବାଳ, ତପନ ପେଦେଣ୍ଟି, ମନୋଜ ବଡଜେନା, ଅଶୋକ ନାଲା, ମଧୁସୂଦନ କରକରିଆ, ବାସୁ କନ୍ଧପାଣି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।