୯ରେ ଅଙ୍ଗନଓ୍ଵାଡ଼ି କର୍ମୀଙ୍କ ରାଜ୍ୟସ୍ତରୀୟ ସମାବେଶ

ଭୁବନେଶ୍ୱର : ବିଭିନ୍ନ ଦାବି ନେଇ ଆସନ୍ତା ୯ ତାରିଖ (ସୋମବାର) ଅଙ୍ଗନବାଡ଼ି କର୍ମୀଙ୍କ ରାଜ୍ୟସ୍ତରୀୟ ସଂଯୁକ୍ତ ସମାବେଶ ଅନୁଷ୍ଠିତ ହେବ। ଏଥିରେ ସମଗ୍ର ରାଜ୍ୟରେ ଆଇସିଡିଏସ୍‌ରେ କାର୍ଯ୍ୟରତ ଅଙ୍ଗନଓ୍ଵାଡ଼ି କର୍ମୀ, ମିନି କର୍ମୀ ଓ ସହାୟିକାମାନେ ଯୋଗଦେଇ ନିଜର ନ୍ୟାଯ୍ୟ ଦାବି ଓ ହକ୍‌ ପାଇଁ ବିକ୍ଷୋଭ କରିବେ। ଏନେଇ ଅଙ୍ଗନବାଡ଼ି କର୍ମଚାରୀ ୟୁନିଅନ୍‌ ସଂଯୁକ୍ତ ମୋର୍ଚା ପକ୍ଷରୁ ଆଜି ଏକ ପ୍ରସ୍ତୁତି ବୈଠକ ଏଆଇଟିୟୁସି କାର୍ଯ୍ୟାଳୟରେ ପ୍ରଶାନ୍ତ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଙ୍ଗନବାଡ଼ି କର୍ମଚାରୀମାନଙ୍କ ଦାବି ଯଥା ମାସିକ ସର୍ବନିମ୍ନ ମଜୁରି ୧୮ହଜାର ଟଙ୍କା, ଗତ ୧୭ତାରିଖରେ କର୍ମୀମାନଙ୍କର ସମସ୍ୟା ସମାଧାନ ପାଇଁ ସରକାରଙ୍କ ପ୍ରତିଶ୍ରୁତି ପାଳନ, ଭାରତୀୟ ଶ୍ରମ ସମ୍ମିଳନୀର ସୁପାରିସକୁ କାର୍ଯ୍ୟକାରୀ କରିବା, ସୁପରଭାଇଜର ପଦବୀର ଶତକଡ଼ା ୫୦ ଭାଗ ଅଙ୍ଗନଓ୍ଵାଡ଼ିରୁ ପୂରଣ କରିବା, ଅଙ୍ଗନଓ୍ଵାଡ଼ିରୁ ଏଏନ୍‌ଏମ୍‌ ଏବଂ ପ୍ରାଥମିକ ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ କୋଟା ଧାର୍ଯ୍ୟ, ମାସିକ ୩ହଜାର ପେନ୍‌ସନ୍‌ ପ୍ରଦାନ, ଅବସର ବୟସ ସୀମା ୬୫କୁ ବୃଦ୍ଧି, ସ୍ୱାସ୍ଥ୍ୟ ବୀମା, ସବୁ ଅଙ୍ଗନଓ୍ଵାଡ଼ି କେନ୍ଦ୍ର ପାଇଁ ସ୍ଥାୟୀ ପକ୍କାଗୃହ ନିର୍ମାଣ, ଅଙ୍ଗନଓ୍ଵାଡ଼ି କର୍ମଚାରୀଙ୍କ ପିଲାମାନଙ୍କୁ ଶିକ୍ଷାବୃତ୍ତି ଶିଶୁ ଶ୍ରେଣୀରୁ ଲାଗୁ କରିବା ଦିଗରେ ପୁଣିଥରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ନେଇ ଆଲୋଚନ ହୋଇଥିଲା।

ବୈଠକରେ ସିଆଇଟିୟୁର ବରିଷ୍ଠ ନେତା ରାଧାରମଣ ଷଡ଼ଙ୍ଗୀ, ଏଆଇଟିୟୁସିର ଜୟନ୍ତ ଦାସ, ସଂଯୁକ୍ତ ମୋର୍ଚାର ଆବାହକ ବିଜୟ ଜେନା, ହରପ୍ରିୟା ସ୍ୱାଇଁ, ମମ୍‌ତାଜ୍‌ ଖୁଣ୍ଟିଆ, ପ୍ରତିଭା ପାଲ୍‌, ପ୍ରତିଭା ପରିଡ଼ା, ବିଷ୍ଣୁପ୍ରିୟା ଜେନା, ସୌଦାମିନୀ ଦାସ, ସୁଶ୍ରୀ ମହାପାତ୍ର ଓ ଅନ୍ନପୂର୍ଣ୍ଣା ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଏହି ବୈଠକରେ ଏଆଇଟିୟୁସି, ସଂଯୁକ୍ତ ନିଖିଳ ଓଡ଼ିଶା ଅଙ୍ଗନଓ୍ଵାଡ଼ି କର୍ମୀ ସଂଘ, ସିଆଇଟିୟୁ ସଂଯୁକ୍ତ ଅଲ୍‌ଓଡ଼ିଶା ଅଙ୍ଗନଓତବାଡ଼ି ଓ୍ଵାକର୍ସ ଏବଂ ହେଲ୍‌ପର୍‌ ଆସୋସିଏସନ୍‌, ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ଵାଡ଼ି କର୍ମୀ ଓ ସହାୟିକା ସଂଘର ରାଜ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ। ଅନୁଷ୍ଠାନର ଆବାହକ ବିଜୟ ଜେନା ଏକ ପ୍ରେସ୍‌ ବିବୃତି ଜରିଆରେ ଏହି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର