ଭୁବନେଶ୍ବର: ଏକଦା ଓଡ଼ିଶାର ଶିଳ୍ପ କହିଲେ, ବାରଙ୍ଗ କାଚ କାରଖାନାକୁ ବୁଝାପଡ଼ୁଥିଲା। କିନ୍ତୁ ସ୍ବର୍ଗତ ଜାନକୀ ବାବୁଙ୍କ ଶାସନ କାଳରେ ଗଢ଼ିଉଠିଲା ମାଳମାଳ କାରଖାନା। ସେ ମୁଖ୍ୟମନ୍ତ୍ରୀ ଥିବାବେଳେ ଆରମ୍ଭ କରିଥିଲେ ‘ହଜାରେ ଦିନରେ ହଜାର ଶିଳ୍ପ’ ଅଭିଯାନ। ତେଣୁ ସେ ଥିଲେ ଓଡ଼ିଶା ଶିଳ୍ପ ବିପ୍ଳବର ଜନକ। ଆଜି ହୋଟେଲ୍‌ ରୟାଲ୍‌ ସୁଇଟ୍‌ ସଭାଗୃହରେ ଆୟୋଜିତ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ନବମ ଶ୍ରାଦ୍ଧବାର୍ଷିକୀ ଉତ୍ସବରେ ଅତିଥିମାନେ ଏଭଳି ମତବ୍ୟକ୍ତ କରିଛନ୍ତି।

Advertisment

ଜାନକୀବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟିର ଅଧ୍ୟକ୍ଷ ବିମଳେନ୍ଦୁ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସ୍ମୃତିଚାରଣ ଓ ସ୍ମୃତି ସମ୍ମାନ ଉତ୍ସବରେ ବିଶିଷ୍ଟ ଭାଷାବିତ୍ ଦେବୀ ପ୍ରସନ୍ନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ସେ କହିଥିଲେ ଯେ ଜାନକୀ ବାବୁ ମାନବ ସେବାକୁ ମାଧବ ସେବା ବୋଲି ଭାବୁଥିଲେ। ତାଙ୍କ ଭଳି ଜଣେ ସିଦ୍ଧପୁରୁଷଙ୍କୁ ଯେତେ କୃତଜ୍ଞତା ଜଣାଇଲେ ବି କମ୍‌ ପଡ଼ିବ। ଦୃଢ଼ ସଂକଳ୍ପ ବଳରେ ଓଡ଼ିଶାର ବିକାଶ ପାଇଁ ସେ ଯେଉଁ ନିଷ୍ଠାର ସହ କାର୍ଯ୍ୟ କରିଥିଲେ, ତାର ପଟ୍ଟାନ୍ତର ନାହିଁ। ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି, ପର୍ଯ୍ୟଟନ, ଶିଳ୍ପ, ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ବେଶ୍ ଆଗରେ ଥିଲା ବୋଲି ସେ କହିଥିଲେ। ମୁଖ୍ୟବକ୍ତା ବିଶିଷ୍ଟ ସଂସ୍କୃତ ବିଦ୍ୱାନ୍‌ ହରେକୃଷ୍ଣ ଶତପଥୀ କହିଥିଲେ ଯେ ସାମ୍ବାଦିକତା, ସାହିତ୍ୟ ଓ ରାଜନୀତିର ତ୍ରିବେଣୀ ସଙ୍ଗମ ଥିଲେ ଜାନକୀବାବୁ। ସେ ଥିଲେ ଆଧୁନିକ ଓଡ଼ିଶାର ପ୍ରକୃତ ବିନ୍ଧାଣି। ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ସମର୍ପଣ ଭାବ ରଖିଥିବା ଜାନକୀବାବୁ ଥିଲେ ଜଣେ ସୁଶାସକ। ସେ ଲୋକମାନଙ୍କ କଥାକୁ ବିନମ୍ର ଭାବରେ ଶୁଣୁଥିଲେ ଓ ଭଲମନ୍ଦ ବୁଝୁଥିଲେ ବୋଲି ଶ୍ରୀ ଶତପଥୀ କହିଥିଲେ। ସମ୍ମାନିତ ଅତିଥି ତଥା ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁତ୍ର ପୃଥ୍ୱୀବଲ୍ଲଭ ପଟ୍ଟନାୟକ କହିଥିଲେ ‌ଯେ ଖୋର୍ଦ୍ଧା ପ୍ରତି ତାଙ୍କ ବାପାଙ୍କର ଅନାବିଳ ସ୍ନେହ ଥିଲା। ଖୋର୍ଦ୍ଧାର ବିକାଶରେ ତାଙ୍କର ବହୁ ଅବଦାନ ଥିଲା। ସେ ସର୍ବଦା ସ୍ଥିତପ୍ରଜ୍ଞ ଥିଲେ ଏବଂ କେବେ ବି ବିବ୍ରତ ହେଉନଥିଲେ ବୋଲି ପୃଥ୍ବୀବଲ୍ଲଭ କହିଥିଲେ।

ପୂର୍ବତନ ବିଧାୟକ ରାଧାକାନ୍ତ ପଣ୍ଡା, ଡ. ବିଜୟାନନ୍ଦ ସିଂହ ଓ ପରୀକ୍ଷିତ ପାତ୍ରଙ୍କୁ ‘ଜାନକୀ ବଲ୍ଲଭ ସ୍ମୃତି ସମ୍ମାନ’ ପ୍ରଦାନ

ଏହି ଅବସରରେ ସମାଜସେବା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ବଲାଙ୍ଗୀରର ପୂର୍ବତନ ବିଧାୟକ ରାଧାକାନ୍ତ ପଣ୍ଡା, ଭାଷା, ସାହିତ୍ୟ ପାଇଁ ଡ. ବିଜୟାନନ୍ଦ ସିଂହ ଓ ବରିଷ୍ଠ ସାମ୍ବାଦିକ ପରୀକ୍ଷିତ ପାତ୍ରଙ୍କୁ ଚଳିତ ବର୍ଷର ଜାନକୀ ବଲ୍ଲଭ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ଜାନକୀ ବାବୁଙ୍କ ଉପରେ ହୋଇଥିବା ପ୍ରବନ୍ଧ, ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। କୋଷାଧ୍ୟକ୍ଷ ଡ. ବଦ୍ରିନାଥ ପଟ୍ଟନାୟକ ଅତିଥି ପରିଚୟ, ସାଧାରଣ ସମ୍ପାଦକ ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ସ୍ୱାଗତ ଭାଷଣ ଓ ପ୍ରଫେସର ବୁଦ୍ଧଦେବ ମିଶ୍ର ଧନ୍ୟବାଦ ଦେଇଥିଲେ। ଡ. ଶମ୍ଭୁନାଥ ପାଣିଗ୍ରାହୀ, ଗୀତାଞ୍ଜଳି ପଣ୍ଡା, ବରୁଣ ରାଜ ଓ ଲିନା ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।