ବିଜେଡି କାର୍ଯ୍ୟାଳୟରେ ରାଜ୍ୟସ୍ତରୀୟ ବିଜୁ ଜୟନ୍ତୀ ପାଳିତ : ଓଡ଼ିଶା ସ୍ବାଭିମାନ ପାଇଁ ଲଢ଼ିବାକୁ ଆହ୍ବାନ ଦେଲେ ନବୀନ

ଭୁବନେଶ୍ବର : ‘‘ବିଜୁବାବୁଙ୍କ ନୀତି, ଆଦର୍ଶ ଓ ଚିନ୍ତାଧାରା ଆଜି ଆମର ପ୍ରତିଟି ପଦକ୍ଷେପରେ ପ୍ରତିଫଳିତ ହେଉଛି। ତଥାପି ଆମକୁ ଆହୁରି ଅନେକ ପଥ ଅତିକ୍ରମ କରିବାକୁ ଅଛି। ଆସନ୍ତୁ ବିଜୁବାବୁଙ୍କ ଜୟନ୍ତୀ ଅବସରରେ ଆମେ ସମସ୍ତେ ମିଳିମିଶି ତାଙ୍କ ଆଦର୍ଶରେ ଚାରି କୋଟି ଓଡିଶା ବାସୀଙ୍କ ସେବା ପାଇଁ ପୁଣିଥରେ ଶପଥ ନେବା। ଓଡ଼ିଶାର ସ୍ବାଭିମାନ ପାଇଁ ଲଢ଼େଇ ଜାରି ରଖିବା।’’

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ ଅବସରରେ ଦଳର ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସଭାକୁ ସମ୍ବୋଧିତ କରିବା ଛଳରେ ରାଜ୍ୟ ବିଜେଡି ନେତାଙ୍କୁ ଏଭଳି ଆହ୍ବାନ ଦେଇଛନ୍ତି ସଭାପତି ନବୀନ ପଟ୍ଟନାୟକ। ଦଳର ରାଜ୍ୟସ୍ତରରେ ସଭାରେ ଭର୍ଚୁଆଲରେ ଯୋଡ଼ି ହୋଇ ନବୀନ କହିଥିଲେ, ‘‘ଓଡିଶାର ଅତୀତ ଗୌରବକୁ ଫେରାଇ ଆଣିବା ଏବଂ ଓଡିଶାକୁ ବିକାଶର ଶିଖରରେ ପହଞ୍ଚାଇବା ଥିଲା ବିଜୁବାବୁଙ୍କ ଜୀବନର ଲକ୍ଷ୍ୟ। ସେବା ଓ ସ୍ବାଭିମାନ ଥିଲା ତାଙ୍କ ଆଦର୍ଶ। ଏହି ଆଦର୍ଶରେ ଆମ ଦଳର ଲକ୍ଷ ଲକ୍ଷ କର୍ମୀ, ଭାଇ ଭଉଣୀ କାମ କରି ଚାଲିଛନ୍ତି। ଆଜି ଯେତେବେଳେ ଗାଁର କଚ୍ଚା ଘରେ ରହୁଥିବା ପରିବାରର ଘର ପକ୍କା ଘରରେ ପରିଣତ େହଉଛି, ତା’ ଘରକୁ ପାଇପ ପାଣି ଆସୁଛି, ବିଜୁଳି ଆଲୁଅରେ ତା ଘର ଉଜ୍ଜ୍ବଳ ଦିଶୁଛି, ସେତେବେଳେ ତା’ ମୁହଁରେ ହସଆସୁଛି। ଆଉ ତାହା ହିଁ ହେଉଛି ଆମ ପାଇଁ ସବୁଠାରୁ ବଡ ପୁରସ୍କାର।’’

‘‘ଆଜି ଯେତେବେଳେ ମା’ ଟିଏ ପଞ୍ଚାୟତ ଅଫିସରେ ବସି ଗାଁ ର ବିକାଶ କଥା ଚିନ୍ତା କରୁଛି, ମିସନ ଶକ୍ତି ର ମା’ ଟିଏ ଆଜି ଯେତେବେଳେ ଋଣ ଆଣି ପରିଶ୍ରମ କରି ବେପାର ବୃଦ୍ଧି କରୁଛି ଓ ତାର ପରିବାର ପାଇଁ ସମୃଦ୍ଧି ଆଣୁଛି; ସେତେବେଳେ ବିକାଶର ଚିତ୍ର ଉଜ୍ଜ୍ବଳ ଦିଶୁଛି। ସରକାରୀ ସ୍କୁଲରେ ପଢୁଥିବା ପିଲା ପାଇଁ ଯେତେବେଳେ ସୁଯୋଗ ସୃଷ୍ଟି େହଉଛି ସେତେବେଳେ ଯୁବ ସମାଜର ସ୍ବପ୍ନ ଦିଗନ୍ତପ୍ରସାରୀ େହଉଛି। କ୍ରୀଡା କ୍ଷେତ୍ରରେ ନୂଆ ସୁଯୋଗ ଯୁବ ସମାଜ ପାଇଁ, ତା’ ପ୍ରତିଭାର ବିକାଶ ପାଇଁ ରାସ୍ତା ଦେଖାଉଛି।’’ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ କହିଥିଲେ, ‘‘ଆମ ବରିଷ୍ଠ ନେତା, ଯେଉଁମାନେ କି ଆମ ପାଖରେ ବିଜୁ ବାବୁଙ୍କ ବାର୍ତ୍ତା ପହଞ୍ଚାଇଛନ୍ତି, ଯୁବ ଛାତ୍ର ନେତାମାନେ ତାକୁ ଉଜ୍ଜୀବିତ କରିବା। ଆମ ନେତା ନବୀନ ପଟ୍ଟନାୟକଙ୍କ ଜୀବନ ଶୈଳୀ ହିଁ ସବୁକିଛି ସୂଚାଇ ଦେଉଛି। ସେ ଯେତେ ଆମ ପାଇଁ କାମ କରୁଛନ୍ତି, ଆମେ ତାଙ୍କ ପାଇଁ ୨୪ଘଣ୍ଟା କାମ କଲେ ବି ତାହା କମ୍ ହେବ। ଆଜି ବିଜେଡି ବିଜୁ ଓ ନବୀନଙ୍କ ଆଦର୍ଶରେ ଅନୁପ୍ରାଣିତ। ଆହୁରି ସଶକ୍ତ କରିବା ଗୁରୁ ଦାୟିତ୍ବ ପର ପିଢ଼ି ହାତରେ ରହିଛି। ଆଞ୍ଚଳିକ ଦଳ ଗଠନ ହୋଇଛି ବୋଲି ଓଡ଼ିଶା ଆଗେଇ ପାରୁଛି। ଆଗାମୀ ଦିନରେ ସମସ୍ତଙ୍କ ପାଇଁ ଏହି ଦଳ ଆଦର୍ଶ ହୋଇ ରହିବ।’’

ଦଳର ଅନ୍ୟତମ ସଂଗଠନ ସଂପାଦକ ସଂଜୟ ଦାସବର୍ମା ବିଜୁ ବାବୁଙ୍କ ସ୍ବପ୍ନର ଓଡ଼ିଶା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକ୍ରମ ସଂପର୍କରେ ବିସ୍ତୃତ ମତ ରଖିଥିଲେ। ଶ୍ରୀ ଦାସବର୍ମା ବିଜୁ ବାବୁଙ୍କ ଦୁଃସାହସିକ ପେଶଵାର ଯାଏ ସାଇକେଲ୍ ଯାତ୍ରା, ଓଡ଼ିଶାକୁ ଅର୍ଥନୈତିକ ସ୍ବାଧୀନତା କଥା ସୂଚନା ଦେଇଥିଲେ। ଖଣିଜ ସଂପଦରେ ଭରପୂର ଥିବା ରାଜ୍ୟ କେବେ କେନ୍ଦ୍ର ପାଖରେ ଭିକ୍ଷା ଥାଳ ଧରି ଆଣ୍ଠୁମାଡ଼ି ବସିପାରିବ ନାହିଁ ବୋଲି ଅଭିଭାଷଣରେ କହିଥିଲେ।

ସେହିଭଳି ପୂର୍ବତନ ସାଂସଦ ତଥା ବରିଷ୍ଠ ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ ବିଜୁ ବାବୁଙ୍କ ସହ ଦିଂବଗତ ନେତା ଅଶୋକ ଦାସଙ୍କ ସଂପୃକ୍ତିକୁ ମନେ ପକାଇଥିଲେ। କେଉଁଭଳି ଅଶୋକ ଦାସ ମନ୍ତ୍ରୀ ହେବାକୁ ସେବେ ମନା କରିଥିଲେ ଓ ରାଜି କରିବାକୁ ତାଙ୍କୁ ନିୟୋଜିତ କରାଯାଇଥିଲା, ସେ କଥା ବର୍ଣ୍ଣନା କରି ତାଙ୍କ ପୁଅ ବିଧାୟକ ପ୍ରଣବ ପ୍ରକାଶ ଦାସ ବର୍ତ୍ତମାନ ମନ୍ତ୍ରୀ ହେବାକୁ ଅସହମତି ପ୍ରକାଶ କରିବା ଓ ବିଜେଡି ସଂଗଠନରେ ମଜ୍ଜି ରହିବା କଥା କହିଥିଲେ। ତେବେ ଶ୍ରୀ ଦାସ ମଞ୍ଚ ତଳେ ରହି ଏପରି ନ କହିବାକୁ ବାରଣ କରୁଥିବା କଥା ବି ଶ୍ରୀ ପାଟ୍ଟଶାଣୀ କହିବାକୁ ଭୁଲିନଥିଲେ।

ବିଧାୟକ ସୁଶାନ୍ତ ରାଉତ ସଭାପତିତ୍ବ କରିଥିଲେ ଓ କାର୍ଯ୍ୟକାରୀ ସଭାପତି ବିରଞ୍ଚି ନାରାୟଣ ମହାସୁପକାର ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦଳର ବରିଷ୍ଠ ନେତା ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟିକା ପ୍ରମିଳା ମଲ୍ଲିକ, ରାଜ୍ୟ ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ‘ମୋ ପରିବାର’ ମୁଖ୍ୟ ଅରୁପ ପଟ୍ଟନାୟକ, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ପ୍ରିୟଦର୍ଶୀ ମିଶ୍ର, ରବି ସାମଲ, ସୁମିତ୍ରା ଜେନା, ଭାରତୀ ସିଂ, ରଣଜିତ୍ ମହାପାତ୍ର, ଅମରେଶ ଜେନା, ସୁବାସ ଚନ୍ଦ୍ର ମହାପାତ୍ର, ଅମରଜିତ ସେନାପତି, କୁନ ବିହାରୀ ଦାଶ, ଅବଦୁଲ୍ ରହେମାନ୍, ସୁବାସ ସାହୁ, ଭୁବନେଶ୍ବର ଯୁବ ସଭାପତି ସମରେଶ ବେଉରା ପ୍ରମୁଖ ଯୋଗଦେବା ସହିତ ବିଜୁ ବାବୁଙ୍କୁ ସ୍ମରଣ କରି ବିଜେଡିର ଜୟଯାତ୍ରା ସଂପର୍କରେ ବର୍ଣ୍ଣନା କରିଥିଲେ। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ କ୍ୟାପିଟାଲ ହସ୍ପିଟାଲରେ ସୁଦାମ ସ୍ବାଇଁ ଓ ସମରେନ୍ଦ୍ର ସାହୁଙ୍କ ନେତୃତ୍ବରେ ବିଜେଡି କର୍ମୀ ମହିଳା ଓ ଶିଶୁ ବିଭାଗରେ ଫଳ ବଣ୍ଟନ କରିଥିଲେ।

ସମ୍ବନ୍ଧିତ ଖବର