ଭୁବନେଶ୍ୱର : ଭାରତୀୟ ସ୍ୱାଧୀନତା ସଂଗ୍ରାମର ଜଣେ ଅଦ୍ୱିତୀୟ ଯୋଦ୍ଧା ଥିଲେ ମାଧୋ ସିଂ। ସେ ଜଣେ ପ୍ରଚଣ୍ଡ ସ୍ୱାଭିମାନୀ, ସ୍ୱାଧୀନଚେତା ଓ ପ୍ରଜାବତ୍ସଳ ଶାସକ ଥିଲେ। ବୀର ସୁରେନ୍ଦ୍ର ସାଏଙ୍କ ପଦାଙ୍କ ଅନୁସରଣ କରି ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସଂଘର୍ଷ ଚଳାଇଥିଲେ। ସ୍ୱାଧୀନତା ସଂଗ୍ରାମର ସାମଗ୍ରିକ ଇତିହାସରେ ଜମିଦାର ମାଧୋ ସିଂଙ୍କ ଦେଶପ୍ରେମ, ତ୍ୟାଗ ଓ ବଳିଦାନର ଦୃଷ୍ଟାନ୍ତ ଅନନ୍ୟ ତଥା ବିରଳ। ଜୟଦେବ ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ବୀରତା ଦିବସ ଅବସରରେ ଯୋଗ ଦେଇଥିବା ଅତିଥିମାନେ ଆଜି ଏହା କହିଛନ୍ତି।

Advertisment

ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ସହିଦ କୁଞ୍ଜଳ ସିଂହ କ୍ଲବ୍‌, ଘେଁସର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତୀକରଣ ତଥା ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସହିଦ ମାଧୋ ସିଂଙ୍କ ତ୍ୟାଗ, ବଳିଦାନ ଓ ଦେଶପ୍ରେମର ନିଦର୍ଶନ ସର୍ବଦା ଓଡ଼ିଆ ଜାତି ଓ ଜାତୀୟ ଚେତନାକୁ ଉଦ୍‌ବୁଦ୍ଧ କରୁଥିବ ବୋଲି ସେ କହିଥିଲେ।

ବରଗଡ଼ ମହିଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ରବୀନ୍ଦ୍ର ଗଡ଼ତିଆ ମୁଖ୍ୟବକ୍ତା ଭାବେ ଯୋଗଦେଇ ମାଧୋ ସିଂଙ୍କ ଦୂରଦୃଷ୍ଟି, ଦେଶପ୍ରେମ ଏବଂ ବଳିଦାନ ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ସହିଦ କୁଞ୍ଜଳ ସିଂହ କ୍ଲବ୍‌, ଘେଁସରର ସଭାପତି ଅଶୋକ କୁମାର ପୂଜାହାରୀ ମାଧୋ ସିଂଙ୍କ ବିରଳ ଦେଶପ୍ରେମ ସଂପର୍କରେ ଉଲ୍ଲେଖ କରିଥିଲେ। ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ସଭାପତିତ୍ୱ ଭାଷଣରେ କହିଲେ ଯେ ମାଧୋ ସିଂ ଜଣେ ସ୍ୱାଭିମାନୀ, ସ୍ୱାଧୀନଚେତା ତଥା ପ୍ରଜାବତ୍ସଳ ଶାସକ ଥିଲେ। ଏହି ଅବସରରେ କ୍ଲବ୍‌ ପକ୍ଷରୁ ପଶ୍ଚିମ ଓଡ଼ିଶାର ପାରମ୍ପରିକ ଲୋକନୃତ୍ୟ ରସରକେଲି, ପଞ୍ଚରସି, ଚୁଟକୁଚୁଟା ଆଦି ପରିବେଷିତ ହୋଇଥିଲା। କ୍ଲବ୍‌ର ସହସଂପାଦକ ସୁକୁମାର ଭୋଇ ଧନ୍ୟବାଦ ଦେଇଥିଲେ। ବିଭାଗୀୟ ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ରନାଥ ପରିଡ଼ା, ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ ସାହୁ ଓ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ନିବେଦିତା ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।