ବ୍ୟଙ୍ଗଚିତ୍ର ଦାୟିତ୍ବବୋଧ ଆଣେ: ଅସିତ ତ୍ରିପାଠୀ

ରାଜ୍ୟସ୍ତରୀୟ କାର୍ଟୁନ୍ ପ୍ରଦର୍ଶନୀ ଉତ୍ସବ

ଭୁବନେଶ୍ବର : ବ୍ୟଙ୍ଗଚିତ୍ର(କାର୍ଟୁନ୍‌)ରେ ହିଁ ସର୍ବୋଚ୍ଚ ସୃଜନଶୀଳତା ଭରି ରହିଛି। ଆଜିର ଡିଜିଟାଲ ଯୁଗରେ ହାତପାଆନ୍ତାରେ ଖବର ପହଞ୍ଚି ଯାଉଥିଲେ ମଧ୍ୟ ଖବରକାଗଜ ନ ପଢ଼ିଲେ ମୋର ଦିନ ଅସଂପୂର୍ଣ୍ଣ ମନେହୁଏ। ଖବରକାଗଜଟିଏ ଧରିଲେ ପ୍ରଥମେ କାର୍ଟୁନ୍‌ରେ ହିଁ ମୋ ଦୃଷ୍ଟି କେନ୍ଦ୍ରୀଭୂତ ହୋଇଯାଏ। ଗୋଟିଏ ଛୋଟ, ସାଧାରଣ କାର୍ଟୁନ୍‌ ଅନେକ କଥା କହିଯାଏ। ଜଣେ କାର୍ଟୁନିଷ୍ଟ୍‌ କେବଳ ଜଣେ ଚିତ୍ରଶିଳ୍ପୀ ନୁହେଁ, ଜଣେ ଭଲ ସମୀକ୍ଷକ ମଧ୍ୟ। କାର୍ଟୁନ୍‌କୁ କେବେହେଲେ ଅପମାନସୂଚକ ଚିତ୍ର ବୋଲି ବିବେଚନା କରାଯିବା ଉଚିତ ନୁହେଁ। ଏହା ବ୍ୟକ୍ତିବିଶେଷଙ୍କୁ ତା’ର ଦାୟିତ୍ବବୋଧ ବିଷୟରେ ଅବଗତ କରାଇ ଦେଇଥାଏ। ‘ବିଶ୍ବ କାର୍ଟୁନ୍‌ ଦିବସ’ ଅବସରରେ ଓଡ଼ିଶା କାର୍ଟୁନ୍‌ ଏକାଡେମି ପକ୍ଷରୁ ଜୟଦେବ ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଟୁନ୍‌ ପ୍ରଦର୍ଶନୀରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍‌ ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି। ସେ ଆହୁରି କହିଛନ୍ତି ଯେ କାର୍ଟୁନ୍‌ ଶିଳ୍ପୀମାନଙ୍କ ଏଭଳି ଏକ ଅନୁଷ୍ଠାନ ଗଠନ ଆଗାମୀ ପିଢ଼ିର କାର୍ଟୁନିଷ୍ଟମାନଙ୍କୁ ପ୍ରେରଣା ଦେବ।

କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ‘ସମ୍ବାଦ’ର ବାର୍ତ୍ତା ସଂପାଦକ ଅରବିନ୍ଦ ଦାସ କହିଲେ, ଗୋଟିଏ ଛୋଟ କାର୍ଟୁନ୍‌ ଯେତିକି ପ୍ରଭାବ ବିସ୍ତାର କରିପାରେ, ହଜାରେ ଶବ୍ଦର ଏକ ଖବର ମଧ୍ୟ ତାହା କରିପାରିବ ନାହିଁ। ସମ୍ମାନିତ ଅତିଥି ‘ଧରିତ୍ରୀ’ର ସହ-ସମ୍ପାଦକ(ବାର୍ତ୍ତା) ଜିତେନ୍ଦ୍ର ନାୟକ କହିଲେ, ବିଭିନ୍ନ ପତ୍ରପତ୍ରିକାର ପୁରାତନ କାର୍ଟୁନ୍‌ଗୁଡ଼ିକର ଉଦାହରଣ ଦେଇ ଉପସ୍ଥିତ କାର୍ଟୁନିଷ୍ଟମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ବରିଷ୍ଠ କାର୍ଟୁନିଷ୍ଟ୍‌ ସୁଧାଂଶୁ ଦେଓ କହିଲେ, କାର୍ଟୁନିଷ୍ଟ୍‌ର ତୂଳୀ ଓ କଲମରେ ବହୁତ ଶକ୍ତି ଅଛି। ତେଣୁ ସେ କେବେ ନିଜକୁ ଗୌଣ ମନେ କରିବା ଉଚିତ ନୁହେଁ।

କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ତଥା ଭିନ୍ନଭିନ୍ନ ଗଣମାଧ୍ୟମରେ କାମ କରୁଥିବା ୧୭ଜଣ କାର୍ଟୁନିଷ୍ଟଙ୍କର ଉଲ୍ଲେଖନୀୟ କାର୍ଟୁନ୍‌ ପ୍ରଦର୍ଶିତ ହୋଇଥିଲା। ଏହି ପ୍ରଦର୍ଶନୀ ଦୁଇ ଦିନ ଧରି ସକାଳ ୧୦ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଅବସରରେ ଦିବଂଗତ କାର୍ଟୁନିଷ୍ଟ କିଶୋର ରଥଙ୍କୁ ଅନୁଷ୍ଠାନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ସେହିଭଳି ଉପସ୍ଥିତ କାର୍ଟୁନିଷ୍ଟ୍‌ମାନଙ୍କୁ ଅତିଥିମାନଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନର ସଭାପତି କେଶୁ ଦାସ ଏଥିରେ ସଭାପତିତ୍ବ କରିଥିବାବେଳେ କାର୍ଟୁନିଷ୍ଟ୍‌ କେ.କେ ରଥ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ‘ସମ୍ବାଦ’ର କାର୍ଟୁନିଷ୍ଟ ଦେବାଶିଷ ସିଂହ ସ୍ବାଗତ ଭାଷଣ ଦେବା ସହ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର