ଭୁବନେଶ୍ବର: ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ବା ସିଡିଏମ୍ଓଙ୍କ ଦୁଇ ଦିନିଆର ରାଜ୍ୟସ୍ତରୀୟ ସମ୍ମିଳନୀ ଆଜିଠାରୁ ଆରମ୍ଭ ହୋଇଛି। ସମ୍ମିଳନୀରେ ସ୍ବାସ୍ଥ୍ୟ ସଚିବ ଡା. ପ୍ରମୋଦ କୁମାର ମେହେର୍ଦା ଯୋଗଦେଇ ରୋଗୀ କୈନ୍ଦ୍ରିକ ଓ ନିରବଚ୍ଛିନ୍ନ ସେବା ଯୋଗାଇବା ଉପରେ ଗୁରୁତ୍ବାରୋପ କରିଥିଲେ। ରାଜ୍ୟରେ ସ୍ବାସ୍ଥ୍ୟ ସେବାରେ ଉନ୍ନତି ଆଣି ଲୋକଙ୍କୁ ଉନ୍ନତମାନର ସେବା ଯୋଗାଇ ଦେବା ପାଇଁ ପ୍ରୟାସ ଜାରି ରହିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଧାରୀମାନଙ୍କ ସମେତ ସମସ୍ତ ଡାକ୍ତର ଓ ଅନ୍ୟାନ୍ୟ ପଦାଧିକାରୀମାନେ ଆନ୍ତରିକତାର ସହ କାର୍ଯ୍ୟ କରିବାକୁ ଡା. ମେହେର୍ଦା କହିଛନ୍ତି। ରାଜ୍ୟରେ ଏବେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବା ବିଏସ୍କେୱାଇ କାର୍ଯ୍ୟକାରୀ ହେଉଛି। ହିତାଧିକାରୀମାନେ ଏହି ଯୋଜନାରେ ଉପକୃତ ହେବା ଦିଗରେ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି, ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦେଶ ଦିଆଯାଇଛି। ଏହାସହ ବିଏସ୍କେୱାଇ ଯୋଜନାର ଅଗ୍ରଗତି ଓ କାର୍ଯ୍ୟକାରିତା କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ବିଏସ୍କେୱାଇ ଯୋଜନା ବ୍ୟତୀତ ନିରାମୟ, ସହାୟ, ନିଦାନ, ଆମ-କ୍ଲିନିକ୍, ନିର୍ମଳ, ସଂପୂର୍ଣ୍ଣା, ସ୍ବାସ୍ଥ୍ୟ ସହାୟ, ଖୁସି, ଡିଜିଟାଲ ଡିସପନେସାରି ଭଳି ଯୋଜନାର ସଫଳତା ଦିଗରେ ମଧ୍ୟ ଯତ୍ନବାନ ହେବାକୁ ପଡ଼ିବ। ଅଣସଂକ୍ରମିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ପରିବର୍ତିତ ମ୍ୟାଲେରିଆ ଓ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଥିବା ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବା ନେଇ ନିର୍ଦେଶ ଦିଆଯାଇଛି। ଭିତ୍ତିଭୂମିଠାରୁ ଆରମ୍ଭ କରି ନୂତନ ଯନ୍ତ୍ରପାତି ଓ ଆବଶ୍ୟକ ସମସ୍ତ ସରଞ୍ଜାମ ଆଦିର ବ୍ୟବସ୍ଥା କରାଯାଉଛି। ଏହି ସବୁ କାର୍ଯ୍ୟ ପାଇଁ ବରାଦ ହେଉଥିବା ଅର୍ଥ ନିର୍ଧାରିତ ସମୟ ମଧ୍ୟରେ ବିନିଯୋଗ କରିବାକୁ ମଧ୍ୟ ନିର୍ଦେଶ ଦିଆଯାଇଛି। ଜାତୀୟ ସ୍ବାସ୍ଥ୍ୟ ମିନସର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ୍ ସ୍ବାସ୍ଥ୍ୟସେବାର ଉନ୍ନତି ପାଇଁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଅଗ୍ରଗତିର ସମୀକ୍ଷା କରିଥିଲେ। ଏହି ସମ୍ମିଳନୀରେ ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦେଶିକା ଅର୍ଚନା ପଟ୍ଟନାୟକ, ସ୍ବତନ୍ତ୍ର ସଚିବ ଡା. ବି.କେ ବ୍ରହ୍ମା, ସାବର୍ଜନୀନ ଚକ୍ଷୁ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମର କ୍ଷମତା ସଂପନ୍ନ କମିଟିର ଅଧ୍ୟକ୍ଷ ଡା. ଟି.ପି ଦାଶ, ସ୍ବାସ୍ଥ୍ୟସେବା ନିର୍ଦେଶକ ଡା. ହରପ୍ରସାଦ ପଟ୍ଟନାୟକ, ଜନସ୍ବାସ୍ଥ୍ୟ ନିର୍ଦେଶକ ଡା. ସ୍ବପ୍ନେଶ୍ବର ଗଡ଼ନାୟକଙ୍କ ସମେତ ସବୁ ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଡିପିଏମ୍ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଛନ୍ତି।
ରାଜ୍ୟସ୍ତରୀୟ ଦୁଇଦିନିଆ ସିଡିଏମ୍ଓ ସମ୍ମିଳନୀ
/sambad/media/post_attachments/wp-content/uploads/2018/12/Seal_of_Odisha.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)