ଭବାନୀପାଟଣା: ଭବାନୀପାଟଣା ଟାଉନ୍‌ ହଲରେ 'ସଙ୍ଗମ' ତରଫରୁ ଦୁଇ ଦିନଧରି ଚାଲିଥିବା ନବମ ରାଜ୍ୟସ୍ତରୀୟ ଶିଶୁ ନାଟକ ଓ ଲୋକନୃତ୍ୟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଛି। ସଙ୍ଗମ ମୁଖ୍ୟ ରାଜିନ୍ଦ୍ର ପାଢ଼ୀଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନାଟ୍ୟକାର ଡ. ଉମେଶ ଚନ୍ଦ୍ର ଶତପଥୀ, ନାଟ୍ୟକାର ଶଙ୍କର ନାଏକ ଓ ବରିଷ୍ଠ କଳାକାର ସତ୍ୟ ନାରାୟଣ ଠାକୁର ମଂଚାସୀନ ଥିଲେ। ପ୍ରଥମ ଦିନରେ ଛଅଟି ଓ ଦ୍ୱିତୀୟ ଦିନରେ ତିନୋଟି ନାଟକ ମଞ୍ଚସ୍ଥ ହୋଇଥିଲା। ବିଚାରକଙ୍କ ନିଷ୍ପତ୍ତି ଅନୁଯାୟୀ ଶ୍ରେଷ୍ଠ କଳାକାରଙ୍କୁ ପୁରସ୍କୃତ କରାଯାଇଥିଲା।

Advertisment

ଏବର୍ଷର ଶ୍ରେଷ୍ଠ ଶିଶୁ କଳାକାର ରୁଦ୍ର ପ୍ରସାଦ ବାରିକ(ବାଳକ -ନାଟକ ତାରା ତୋଳିବାର ସ୍ବପ୍ନ, ରାଉରକେଲା) ଓ ସୁନୟନା ପଟ୍ଟନାୟକ (ବାଳିକା -ନାଟକ ପ୍ରତିବିମ୍ବ, ନବରଙ୍ଗପୁର), ଶ୍ରେଷ୍ଠ ପାର୍ଶ୍ୱ କଳାକାର ତପସ୍ୱିନୀ ସାହୁ (ନାଟକ ସିଦ୍ଧାର୍ଥ) ଓ ଋତୁପର୍ଣ୍ଣା ଦାଶ (ବାଳିକା-ନାଟକ କାତି), ଶ୍ରେଷ୍ଠ ପ୍ରଯୋଜନା ପାଇଁ ଦୀପିକା ଇସ୍ପାତ ଶିକ୍ଷା ସଦନ ରାଉରକେଲା, ଶ୍ରେଷ୍ଠ ପାଣ୍ଡୁଲିପି ନାଟକ ତାରା ତୋଳିବାର ସ୍ବପ୍ନ, ଶ୍ରେଷ୍ଠ ସଂଗୀତ ଅଜୟ-ରଘୁନାଥ, ନାଟକ ଆର୍ ଖେବୁ କେଁ, ଶ୍ରେଷ୍ଠ ନିର୍ଦ୍ଦେଶକ ପ୍ରବୀର ଜେନା ରାଉରକେଲା, ଶ୍ରେଷ୍ଠ ଆଲୋକସଜ୍ଜା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପୁରୁଣାପଡ଼ା, ଶ୍ରେଷ୍ଠ ପୋଷାକ ନାଟକ କାତି, ଶ୍ରେଷ୍ଠ ମଞ୍ଚସଜ୍ଜା ଭାବେ ନାଟକ ପ୍ରତିବିମ୍ବ ପୁରସ୍କୃତ ହୋଇଛି। ନୃତ୍ୟ ଓ ନାଟକ କ୍ଷେତ୍ରରେ ସଫଳ ଯୁବ କଳାକାର ମନ୍ଦାକିନୀ ବଣୁଆଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଉତ୍ସବରେ ୯ଟି ଶିଶୁ ନାଟକ ମଞ୍ଚସ୍ଥ ହୋଇଥିଲା। ସଙ୍ଗମର କଳାକାରମାନେ ଚିତ୍ତାକର୍ଷକ ବଜାଶାଲ ଓ ଢାପ ନୃତ୍ୟ ପରିବେଷଣ କରିଥିଲେ। ପରେ ଦଳଗତ ନୃତ୍ୟ ଓ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ବିରଞ୍ଚି ନାରାୟଣ ମୁଣ୍ଡ ମଞ୍ଚ ସଂଯୋଜନା କରିଥିଲେ।