ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଇଁ ରାଜ୍ୟସ୍ତରୀୟ ସମିତି ଗଠିତ

ଭୁବନେଶ୍ୱର : ଚଳିତବର୍ଷ ମହାତ୍ମା ଗାନ୍ଧୀଙ୍କର ୧୫୦ତମ ଜୟନ୍ତୀ ଦେଶ ତଥା ବିଶ୍ୱବ୍ୟାପୀ ପାଳିତ ହେବାକୁ ଯାଉଥିବା ପରିପ୍ରେକ୍ଷୀରେ ଏହାକୁ ଓଡିଶାରେ ବ୍ୟାପକ ଭାବରେ ପାଳନ କରିବା ଉଦ୍ଦେଶ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ବିଭିନ୍ନ ଗାନ୍ଧୀବାଦୀ, ସ୍ୱାଧୀନତା ସଂଗ୍ରାମୀ, ସର୍ବୋଦୟ କର୍ମୀ, ଶିକ୍ଷାବିତ, ମହିଳା, ଯୁବ ଛାତ୍ରମାନଙ୍କୁ ନେଇ ରାଜ୍ୟସ୍ତରୀୟ ଗାନ୍ଧୀ-୧୫୦ ଗଠିତ ହୋଇଯାଇଛି। ଭୁବନେଶ୍ୱସ୍ଥ ଲୋହିଆ ଏକାଡେମି ଠାରେ ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ସଭାନେତ୍ରୀ କୃଷ୍ଣା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଗାନ୍ଧୀ-୧୫୦ କାର୍ଯ୍ୟକ୍ରମକୁ ଗାଁ ଗାଁରେ ପହଞ୍ଚାଇବା ଉଦ୍ଦେଶ୍ୟରେ ବିଭିନ୍ନ ପ୍ରସ୍ତାବମାନ ଗୃହୀତ ହୋଇଯାଇଛି।

ଆଗାମୀ ବର୍ଷକ ଭିତରେ ଏକ ଲକ୍ଷ ସଦସ୍ୟ ସଂଗ୍ରହ, ମହତ୍ମା ଗାନ୍ଧୀଙ୍କ ଓଡିଶାରେ ଗସ୍ତ କରିଥିବା ବିଭିନ୍ନ ଅଂଚଳକୁ ଏକ ସର୍କିଟ ମାଧ୍ୟମରେ ଯୋଡିବା , ରାଜ୍ୟର ୩୧୪ବ୍ଲକରେ ଗାନ୍ଧୀ-୧୫୦ କାର୍ଯ୍ୟକ୍ରମକୁ ପହଂଚାଇବା ପାଇଁ ଯାତ୍ରାର ଆୟୋଜନ, ପ୍ରତି ଜିଲ୍ଲାରେ ଗାନ୍ଧୀମେଳା ତଥା ଯୁବ ଶିବିରମାନ ଆଗାମୀ ଗାନ୍ଧୀ ଜୟନ୍ତୀ ପୂର୍ବରୁ କରାଯାଇ ରାଜ୍ୟରେ ଗାନ୍ଧୀମୟ ପରିବେଶ ନିର୍ମାଣ କରାଯିବ ବୋଲି ସଭାରେ ନିଷ୍ପତି ହୋଇଛି। ଏହି ଉପଲକ୍ଷେ ଏକ ରାଜ୍ୟସ୍ତରୀୟ ସଂଯୋଜନ ସମିତି, ପରାମର୍ଶଦାତା ମଣ୍ଡଳୀ, ଗାନ୍ଧୀବାଦୀ ଲେଖକ, ସ୍ତମ୍ଭକାର ତଥା ବକ୍ତାମାନଙ୍କର ସମିତି ଗଠନ କରାହୋଇଛି।

ରାଜ୍ୟ ବାହାରେ ଓଡିଆ ଲୋକେ ରହୁଥିବା ଅଂଚଳମାନଙ୍କରେ ମଧ୍ୟ ଗାନ୍ଧୀ-୧୫୦କୁ ପହଂଚାଇବା ପାଇଁ ଏକ ଯୋଜନା ପ୍ରସ୍ତୁତ ହୋଇଛି। ଆଗାମୀ ଦୁଇମାସ ଭିତରେ ବିଭିନ୍ନ ଜିଲ୍ଲା କମିଟିମାନ ଗଠନ କରିବା ପାଇଁ ବିଭିନ୍ନ ବ୍ୟକ୍ତିମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଗାନ୍ଧୀଜୀଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ରାଷ୍ଟ୍ରୀୟ ସ୍ତରରେ ଗଠିତ ହୋଇଥିବା ରାଷ୍ଟ୍ରୀୟ ସମିତିକୁ ଓଡିଶାରୁ ୫ଜଣ ମନୋନୀତ ହୋଇଛନ୍ତି।

ଏହି ସଭାରେ କେନ୍ଦ୍ରୀୟ ଗାନ୍ଧୀ ସ୍ମାରକ ନିଧି, ନୂଆଦିଲ୍ଲୀର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାମଚନ୍ଦ୍ର ରାହୀ ଯୋଗଦାନ କରି କହିଥିଲେ ଯେ, ଦୁନିଆର ମଣିଷ ପଣିଆକୁ ବଂଚାଇବା ପାଇଁ ମହାତ୍ମା ଗାନ୍ଧୀ ସମୁଦାୟ ୧୪୨ ଦିନ ଅନଶନ କରିଥିଲେ। ବ୍ରିଟିସ ଜେଲରେ ୨୩୩୯ଟି ଦିନ କଟାଇଥିଲେ। ଆଜି ଭାରତବର୍ଷରେ ଏକ ଗାନ୍ଧୀ ବିରୋଧୀ ବାତାବରଣ ତିଆରି କରିବା ପାଇ ଯେଉଁ ଷଡଯନ୍ତ୍ର ଚାଲିଛି, ତାହାକୁ ଆମକୁ ଭାଙ୍ଗିବାକୁ ହେବ ଏବଂ ଆମକୁ ଏକ ଗାନ୍ଧୀ ବିଚାର ଆଧାରିତ ସମାଜ ବ୍ୟବସ୍ଥା ଛିଡା କରିବାକୁ ହେବ। ଏହି ସଭାରେ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। କୃଷକ ନେତା ଲିଙ୍ଗରାଜ ଓଡିଶାରେ ସଂପ୍ରଦାୟ ଓ ଜାତି ମଧ୍ୟରେ ସଦଭାବ ପ୍ରତିଷ୍ଠା ପାଇଁ ଆହ୍ଵାନ ଦେଇଥିଲେ। ପ୍ରଫେସର ରାଧାମୋହନ ଶିକ୍ଷା ବ୍ୟବସ୍ଥାରେ ଗାନ୍ଧୀ ଦର୍ଶନକୁ ସାମିଲ କରିବାକୁ ଆହ୍ଵାନ କରିଥିଲେ ଓ ସର୍ବୋଦୟର ସଂପାଦକ ଡାଃ ବିଶ୍ୱଜିତ୍‌ ସଭା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର