ସମ୍ବିଧାନରେ ଅନାବଶ୍ୟକ ଭାବେ ଧର୍ମନିରପେକ୍ଷତା ଯୋଡ଼ା ଯାଇଛି

ଅଧିବକ୍ତା ପରିଷଦର ରାଜ୍ୟସ୍ତରୀୟ ସମ୍ମିଳନୀ

ଭୁବନେଶ୍ୱର : ସମ୍ବିଧାନର ଧାରା ୩୭୦ ରଚନା ସମୟରେ ଏହାକୁ ନେଇ ଜୋରଦାର ପ୍ରତିବାଦ ହୋଇଥିଲା। ଜମ୍ମୁ ଓ କାଶ୍ମୀରକୁ ଧାରା ୩୭୦ ପ୍ରଦାନକୁ ସର୍ଦ୍ଦାର ପଟେଲ ବିରୋଧ କରିଥିଲେ। ବିଶେଷକରି ନେହରୁ ଏଥିପାଇଁ ବିଶେଷ ଆଗ୍ରହ ଦେଖାଇଥିଲେ। ତେବେ ଧାରା ୩୭୦ ଏକ ମଧ୍ୟବର୍ତୀକାଳୀନ ଓ ଅସ୍ଥାୟୀ ଧାରା। ତେଣୁ ଭାରତୀୟ ସମ୍ବିଧାନର ତର୍ଜମା ହେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଜଷ୍ଟିସ୍‌ ରାଘବେନ୍ଦ୍ର ସିଂ ରାଠୋର।

ଆଜି ଇଡକଲ ଅଡିଟୋରିୟମ୍‌ରେ ଅଧିବକ୍ତା ପରିଷଦ ପକ୍ଷରୁ ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶ୍ରୀ ରାଠୋର କହିଲେ, ସମ୍ବିଧାନର ଧାରା ୩୭୦କୁ ଉଚ୍ଛେଦ କରିବା ପାଇଁ କେତେଗୁଡ଼ିଏ ଯୁକ୍ତି ଉପସ୍ଥାପନ କରାଯାଉଛି। ଅନେକ ଏହାକୁ ରାଷ୍ଟ୍ରପତିଙ୍କ ସର୍ବସାଧାରଣ ବିଜ୍ଞପ୍ତି ଜରିଆରେ ଉଚ୍ଛେଦ କରିବାକୁ ଯୁକ୍ତି କରୁଥିବା ବେଳେ ଆଉ କେତେକ ସମ୍ବିଧାନର ଧାରା ୩୬୮ ଅନୁଯାୟୀ ସଂଶୋଧନ କରିବା ଉପରେ ଯୁକ୍ତି ବାଢ଼ୁଛନ୍ତି। ଗତ ୭୦ବର୍ଷ ଭିତରେ ଜମ୍ମୁ ଓ କାଶ୍ମୀରରେ ଅନେକ ପରିବର୍ତନ ହୋଇଛି। ମହାରାଜାଙ୍କ ପତାକାରେ ପରିବର୍ତନ କରାଯାଇଛି ବୋଲି ଜଷ୍ଟିସ୍‌ ରାଠୋର କହିଥିଲେ।

ମୁଖ୍ୟବକ୍ତା ପ୍ରଫେସର ରାକେଶ ସିହ୍ନା କହିଲେ, ଭାରତର ସମ୍ବିଧାନ ପ୍ରସ୍ତୁତି ସମୟରେ ୨ଟି ବିଚାରଧାରାର ଲଢ଼େଇ ଦେଖିବାକୁ ମିଳଥିଲା। ଭାରତକୁ ୟୁରୋପୀୟ ନଜରରେ ଦେଖିଥିବା ଲୋକ ଓ ଭାରତର ସଂସ୍କୃତି ଓ ସଭ୍ୟତାକୁ ଦେଖିଥିବା ଲୋକଙ୍କ ଭିତରେ ତର୍କ ହୋଇଥିଲା। ଭାରତର ସଂସ୍କୃତିରେ ଧର୍ମନିରପେକ୍ଷତା ରହିଆସିଛି। ଯେଉଁଥିପାଇଁ ବୁଦ୍ଧ, ଜୈନ ଓ ଶିଖ ଭଳି ସଂପ୍ରଦାୟର ଲୋକ ଭାରତରେ ବିନା ବିଦ୍ୱେଶରେ ବାସବାସ କରୁଛନ୍ତି। ମାତ୍ର ଅନାବଶ୍ୟକଭାବେ ସମ୍ବିଧାନରେ ଧର୍ମନିରପେକ୍ଷତାକୁ ଯୋଡ଼ି ଭାରତର ସଂସ୍କୃତି ବିଭାଜନକୁ ପ୍ରୋତ୍ସାହିତ କରାଯାଉଛି।

ସମ୍ବିଧାନର ସଭାରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ଲୋକନାଥ ମିଶ୍ର ଏହାର ବିରୋଧ କରିଥିଲେ। ସମ୍ବିଧାନରେ ଧର୍ମନିରପେକ୍ଷତା ସାମିଲ ହେବା ପୂର୍ବରୁ ଭାରତରେ ଧର୍ମନିରପେକ୍ଷତା ରହିଛି। ତେଣୁ ଏହାର କ’ଣ ଆବଶ୍ୟକ ବୋଲି ସେ ପ୍ରଶ୍ନ କରିଥିଲେ। ଏ ଦୃଷ୍ଟିରୁ କୌଣସି ସାମାଜିକ ପୁସ୍ତକରେ ତାଙ୍କର ନାଁ ଦେଖିବାକୁ ମିଳେନାହିଁ।

ଶ୍ରୀ ସିହ୍ନା ଆହୁରିମଧ୍ୟ କହିଥିଲେ ଯେ, ସମ୍ବିଧାନ ଲେଖାଯିବାର ୭୦ବର୍ଷ ପରେ ମଧ୍ୟ ସାଧାରଣ ଜନତା, କୃଷକ, ଆଦିବାସୀ, ଜନଜାତି ଭଳି ଲୋକ ଏହାକୁ ବୁଝିପାରି ନାହାନ୍ତି। କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ କୁଚକ୍ରରେ ସମ୍ବିଧାନର ପାଶ୍ଚାତିକରଣ କରାଯାଇଛି। ତେଣୁ ସମ୍ବିଧାନର ସଂଶୋଧନରେ ‘ଇଣ୍ଡିଆ’ର ନାଁକୁ ପରିବର୍ତନ କରାଯାଉ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ପରିଷଦର ରାଜ୍ୟ ସଭାପତି କମ୍ବୁପାଣି ପାଢ଼ୀ ସଭାପତିତ୍ୱ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁବାସ ଚନ୍ଦ୍ର ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରାରମ୍ଭରେ ପରିଷଦର ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଅନୁପ କୁମାର ବୋଷ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ରାଜ୍ୟ ସଂପାଦକ ଜ୍ଞାନାଲୋକ ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିଲେ। ରାଷ୍ଟ୍ରୀୟ ପରିଷଦ ସଭ୍ୟ ଜିତେନ୍ଦ୍ର କୁମାର ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ପରବର୍ତୀ ଅଧିବେଶନରେ ଓଡ଼ିଶା ହାଇକୋର୍ଟର ବିଚାରପତି ଡି.ପି ଚୌଧୁରୀ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ତୁଷାରକାନ୍ତ ଶତପଥୀ, ପ୍ରସନ୍ନ କୁମାର ପାଢ଼ୀ ଓ ବିଶ୍ୱରଂଜନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର