ଓଡ଼ିଶା ଫାର୍ମାସିଷ୍ଟ ସେବା ସଂଘ କ୍ରିୟାନୁଷ୍ଠାନ କମିଟିର ରାଜ୍ୟସ୍ତରୀୟ ସମ୍ମିଳନୀ: ପଦୋନ୍ନତି ଆଳରେ କ୍ୟାଡର୍ ରୁଲ୍ ଲାଗୁ ନ ହେଉ

ଢେଙ୍କାନାଳ : ଫାର୍ମାସିଷ୍ଟମାନଙ୍କ ପ୍ରତି ସରକାର ବୈମାତୃକ ମନୋଭାବ ରଖି ପାତରଅନ୍ତର ନୀତି ଗ୍ରହଣ କରୁଛନ୍ତି। ପଦୋନ୍ନତି ଆଳରେ କ୍ୟାଡର ରୁଲ୍ କାର୍ଯ୍ୟକାରୀ ନ କରିବା ପାଇଁ ଓଡିଶା ଫାର୍ମାସିଷ୍ଟ ସେବା ସଂଘ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦାବି କରାଯାଇଛି। ଅନ୍ୟଥା ଆଗାମୀ ଦିନରେ ସ୍ବାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ ସମ୍ମୁଖରେ ପ୍ରତିବାଦ ଧାରଣା ଦିଆଯିବ ବୋଲି ଗଣମାଧ୍ୟମକୁ କମିଟିର କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି।

ଆଜି ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ଭବନଠାରେ ଓଡ଼ିଶା ଫାର୍ମାସିଷ୍ଟ ସେବା ସଂଘ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ସାମ୍ବାଦିକ ସମ୍ମିଳନୀରେ ସଂଘର କର୍ମକର୍ତ୍ତାମାନେ ଦର୍ଶାଇଛନ୍ତି ଯେ, ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୧୯୯୫–୯୬ ମସିହାରେ ଫାର୍ମାସିଷ୍ଟ ଏବଂ ପାରାମେଡିକାଲ୍ କର୍ମଚାରୀମାନଙ୍କୁ କ୍ୟାଡର ଅନ୍ତର୍ଭୁକ୍ତ କରାଯାଇଛି। ୨୦୧୩ ଏବଂ ୨୦୧୫ ମସିହାରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରିଜୋଲ୍ୟୁସନ୍ ଏବଂ ୨୦୧୯ରେ ଓଡ଼ିଶା ସରକାରଙ୍କ ଗେଜେଟ୍‌ରେ ଫାର୍ମାସିଷ୍ଟ ସର୍ଭିସ୍ କ୍ୟାଡର ରୁଲ୍ ପ୍ରକାଶ ପାଇବା ପରେ ତାହାକୁ ନେଇ ଫାର୍ମାସିଷ୍ଟମାନଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ପ୍ରକାଶ ପାଇଥିଲା। ଲ୍ୟାବ୍ ଟେକ୍ନିସିଆନ୍, ରେଡିଓଗ୍ରାଫର, ବହୁମୁଖୀ ସ୍ବାସ୍ଥ୍ୟ କର୍ମୀ, ଷ୍ଟାପ୍‌ ନର୍ସମାନଙ୍କ ପଦୋନ୍ନତି କରାଯାଇ ୯୩୦୦, ଜପି ୪୨୦୦ କରାଯାଇଥିବା ବେଳେ ଫାର୍ମାସିଷ୍ଟମାନେ ସେଥିରୁ ବଞ୍ଚିତ ହୋଇଛନ୍ତି। ଅନ୍ୟପକ୍ଷରେ କ୍ୟାଡର ରୁଲକୁ ପ୍ରମୋସନ୍ ଆଳରେ କାର୍ଯ୍ୟକାରୀ କରାଗଲେ ଫାର୍ମାସିଷ୍ଟମାନେ କ୍ଷତି ସହିବେ। ଏହାକୁ ପ୍ରତିବାଦ କରିଛନ୍ତି ଓଡ଼ିଶା ଫର୍ମାସିଷ୍ଟ ସଂଘର କର୍ମକର୍ତ୍ତା। ୨୦୧୩ କ୍ୟାଡର୍ ଆଧରରେ ହେବାକୁ ଥିବା ପଦୋନ୍ନତିକୁ ବନ୍ଦ କରି କ୍ୟାଡର ପୁନର୍ଗଠନ ପରେ ପଦୋନ୍ନତି ଦିଆଯିବା ଏବଂ ଦୀର୍ଘବର୍ଷ ଧରି କାର୍ଯ୍ୟ କରୁଥିବା ଷ୍ଟାଫ୍ ନର୍ସମାନଙ୍କୁ ନିୟମିତ କରାଯିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି।

ଏହି ଦାବିଗୁଡିକ ଉପରେ ସରକାର ଧ୍ୟାନ ନଦେଲେ ଆଗାମୀ ଦିନରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦୃଢ ବିରୋଧ କରାଯିବା ସହ ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟ ସମ୍ମୁଖରେ ପ୍ରତିବାଦ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି। ସମ୍ମିଳନୀରେ କ୍ରିୟାନୁଷ୍ଠାନ କମିଟି ଉପଦେଷ୍ଟା ଦୀପ୍ତିରଞ୍ଜନ ସ୍ବାଇଁ, ଅଧ୍ୟକ୍ଷ ପ୍ରଭାତ ସାହୁ,ଆବାହକ ଶ୍ରୀକାନ୍ତ ଜେନା, କମିଟିର ଢେଙ୍କାନାଳ ଶାଖା ସଂପାଦକ ଅନିଲ କୁମାର ସାହୁ, କଟକ ଫାର୍ମାସିଷ୍ଟ ସଂଘ ସଂପାଦକ ସୁଧାଂଶୁ ଶେଖର ପଣ୍ତା, ବଲାଙ୍ଗୀରର ଫାର୍ମାସିଷ୍ଟ ମଞ୍ଜୁଲତା ସିଂ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରାରମ୍ଭରେ ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ହଲ୍ ଠାରେ ଓପ୍ସା ଢେଙ୍କାନାଳ ଶାଖା ପକ୍ଷରୁ ଆୟୋଜିତ ଜାତୀୟ ଫାର୍ମାସି ସପ୍ତାହ ପାଳନ ଉପଲକ୍ଷେ ପ୍ରତିଭା ସମ୍ବର୍ଦ୍ଧନା ଉତ୍ସବକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୁଜାତାରାଣୀ ମିଶ୍ର ଉଦ୍‌ଘାଟନ କରିଥିଲେ । ଓସିପିଏସ୍‌ କଲେଜର ଅଧ୍ୟକ୍ଷ ସୁଦୀପ ବୋଷ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ ଫାର୍ମାସିଷ୍ଟମାନେ କିଭଳି ସ୍ବାସ୍ଥ୍ୟ ସେବାର ଗୁରୁତ୍ବପୂର୍ଣ୍ଣ ଅଙ୍ଗ ସେ ସଂପର୍କରେ ଆଲୋକପାତ କରିଥିଲେ। ‘ଓମସାର ଢେଙ୍କାନାଳ ଶାଖା ସଭାପତି ତଥା ବରିଷ୍ଠ ଅସ୍ଥିଶଲ୍ୟ ବିଶେଷଜ୍ଞ ପ୍ରଦ୍ୟୋତ ବେହେରା ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ଜିଲ୍ଲା ସଂଘ କ୍ରିୟାନୁଷ୍ଠାନ କମିଟି ସଭାପତି ଈଶ୍ବର ସାହୁ ଏବଂ ସମ୍ପାଦକ ଅନିଲ୍ କୁମାର ସାହୁ ଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନବାଗତ ଫାର୍ମାସିଷ୍ଟମାନଙ୍କୁ ସ୍ବାଗତ ଏବଂ ଅବସରପ୍ରାପ୍ତ ଫାର୍ମାସିଷ୍ଟ ଓ ରାଜ୍ୟର ଯୁବଫାର୍ମାସିଷ୍ଟ ପ୍ରତିଭାମାନଙ୍କୁ ସମ୍ମାନିତ କରାଯାଇଥିଲା। ବୈଠକରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବହୁ ଫାର୍ମାସିଷ୍ଟ ଯୋଗ ଦେଇଥିଲେ। ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ସଂଘର ସଦସ୍ୟମାନେ ରକ୍ତଦାନ କରିବା ସହ ଜନସାଧାରଣଙ୍କୁ ସଚେତନ କରିଥିଲେ।

ସମ୍ବନ୍ଧିତ ଖବର