‘ପରିବାରରୁ ନିଶାମୁକ୍ତି ଆନ୍ଦୋଳନର ମୂଳଦୁଆ ପଡ଼ିବା ଦରକାର’

‘ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ’ର ରାଜ୍ୟସ୍ତରୀୟ ସମ୍ମିଳନୀ

ପୁରୀ : ପରିବାରରୁ ନିଶାମୁକ୍ତି ଆନ୍ଦୋଳନର ମୂଳଦୁଆ ପଡ଼ିବା ଦରକାର। ତା’ହେଲେ ଯାଇ ଓଡ଼ିଶା ଏକ ନିଶାମୁକ୍ତ ରାଜ୍ୟ ଭାବେ ବିବେଚିତ ହୋଇପାରିବ। ରାଜନେତାମାନେ ବି ଏହି ଆନ୍ଦୋଳନର ସୂତ୍ରଧର ହେବା ଜରୁରୀ। କିନ୍ତୁ ମଦମୁକ୍ତି ତଥା ନିଶାମୁକ୍ତି ଆନ୍ଦୋଳନ ବେଳକୁ ରାଜନେତାଙ୍କ ସ୍ବର ନରମି ଯାଉଛି। ଏହି ସ୍ବର ମଦମୁକ୍ତ ଦିଗରେ ଶାଣିତ ହେବା ଦରକାର ବୋଲି ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ତୃତୀୟ ରାଜ୍ୟସ୍ତରୀୟ ସମ୍ମିଳନୀରେ ଅତିଥିମାନେ କହିଛନ୍ତି।

ପୁରୀ ସଂସ୍କୃତି ଭବନଠାରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ସମ୍ମିଳନୀରେ ମୁଖ୍ୟବକ୍ତା ଭାବେ ‘ସମ୍ବାଦ’ ସମ୍ପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କହିଥିଲେ, ଓଡ଼ିଶାରେ ଆନ୍ଦୋଳନ ଯୁକ୍ତିଯୁକ୍ତ ହୋଇଥିଲେ ବି କାହିଁକି ଏହା ସଫଳ ହେଉନାହିଁ ସେନେଇ ତର୍ଜମା କରିବାର ବେଳ ଆସିଛି। କରୋନା ବେଳେ ସରକାର ମଦରୁ ଦୁଇଗୁଣା ରାଜସ୍ୱ ପାଇଛନ୍ତି। ସରକାର ଯଦି ମଦମୁକ୍ତ ଓଡ଼ିଶା ଘୋଷଣା କରିବେ, ତେବେ ଚୋରାମଦକୁ ରୋକି ପାରିବା ସମ୍ଭବ ହେବ ତ? ତେଣୁ ଏହା ବଦଳରେ ଯେଉଁମାନେ ମଦ୍ୟପାନ କରୁଛନ୍ତି, ସେମାନଙ୍କ ଉପରେ ଚାପ ପକାଇବା ଦରକାର। ଆଜି ଭୋଟ୍‌ ଯେଉଁଠି, ନେତା ସେଇଠି। ଯଦି ଅଧିକ ସଂଖ୍ୟକ ଲୋକ ଓଡ଼ିଶା ନିଶା ନିବାରଣ ଅଭିଯାନରେ ସାମିଲ ହୋଇପାରିବେ, ତେବେ ସଂଖ୍ୟା ଖେଳରେ ଆମେ ସଫଳ ହୋଇ ଆମ ଲକ୍ଷ୍ୟ ହାସଲ କରିପାରିବା।

ଏହି ଅବସରରେ ନିଶାମୁକ୍ତି ପାଇଁ ରକ୍ଷା ବନ୍ଧନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ। ଯେହେତୁ ଏହି ଦିନରେ ଭଉଣୀ ରାକ୍ଷୀ ବାନ୍ଧିବା ବଦଳରେ ଭାଇକୁ କିଛି ଉପହାର ଦେବାର ପରମ୍ପରା ଅଛି, ଏହି ଉପହାର ବଦଳରେ ଭଉଣୀ ଯଦି ଭାଇକୁ ନିଶା ଛାଡ଼ିବା ନେଇ ଶପଥ କରାଇପାରିବ ତେବେ ସମାଜ ମଦରୁ ମୁକୁଳି ପାରିବ। ଏଣୁ ମହିଳାମାନେ ଏହି ଆନ୍ଦୋଳନକୁ ନିଜ ପରିବାରରେ ସାମିଲ କରନ୍ତୁ। ନିଜ ପରିବାରକୁ ମଦରୁ ଦୂରେଇ ପାରିଲେ, ମଦମୁକ୍ତ ଆନ୍ଦୋଳନ ସଫଳ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଏଣୁ ପଦ୍ମଚରଣ ନାୟକଙ୍କୁ ଶହେ ବର୍ଷ ପୂରିବା ଆଗରୁ ‘ମଦମୁକ୍ତ ଓଡ଼ିଶା’ର ଏକ ବଡ଼ ଉପହାର ଦେବାକୁ ଶ୍ରୀ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମାଜସେବୀ ତୁଳସୀ ମୁଣ୍ଡା କହିଥିଲେ, ନିଶାମୁକ୍ତି ପାଇଁ ଯଦି ଘର, ଗାଁଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ, ସମସ୍ତେ ଶପଥ ନେବା, ଜିଦଖୋର ହେବା, ତେବେ ଆମେ ଏଥିରେ ସଫଳତା ପାଇପାରିବା। ଅନ୍ୟତମ ଅତିଥି ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ କହିଥିଲେ, ମୁଁ ଏତେ ଥର ନଗରପାଳ, ବିଧାୟକ ହୋଇଛି, କିନ୍ତୁ କେବେ ନିଶା ଖାଇନି କି ନିଶା ଖାଇ ଭୋଟ ମାଗିନି। ନିଶା ଛଡ଼ାଇବା ପାଇଁ ବହୁତ ଉଦ୍ୟମ କରିଛି। ତେଣୁ ମଦ ପିଉଥିବା ଲୋକ ନିର୍ବାଚନ ଲଢ଼ି ନ ପାରିବାର ନିୟମ ଆସିବା ଦରକାର। ୱାର୍ଡ ମେମ୍ବରଠାରୁ ଆରମ୍ଭ କରି ବିଧାୟକ, ସାଂସଦ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଏହି ନିୟମ ଲାଗୁ ହେବା ଦରକାର। ମଦ ପିଇଲେ ରାସନ କାର୍ଡ ମିଳିବନି ବୋଲି ସରକାର ଆଇନ କରିଦିଅନ୍ତୁ, ଦେଖିବେ ସମାଜରୁ ନିଶା ବ୍ୟାଧି ଦୂରେଇଯିବ ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି।

ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ରାଜ୍ୟ ସଭାପତି ପଦ୍ମଚରଣ ନାୟକ ସ୍ବାଗତ ଭାଷଣରେ କହିଥିଲେ, ଓଡ଼ିଶାକୁ ନିଶାମୁକ୍ତି ପ୍ରସଙ୍ଗ ଅନେକ ଥର ବିଧାନସଭାରେ ଉଠିଛି। କିନ୍ତୁ ଏହି ପ୍ରସଙ୍ଗ ଉଠିଲେ ବିଧାୟକମାନଙ୍କ ସ୍ବର ନରମି ଯାଉଛି। ଯଦି ବିହାର ଆଜି ମଦମୁକ୍ତ ରାଜ୍ୟ ହୋଇପାରୁଛି, ତେବେ ଓଡ଼ିଶା କାହିଁକି ନୁହେଁ ବୋଲି ସେ ପ୍ରଶ୍ନ କରିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଫାର୍ମାକୋଲଜି ବିଭାଗର ଡାକ୍ତର ଇନ୍ଦିରାଜି, କଟକୀ ମଠ ମହନ୍ତ ଡ. ବିଜୟ ନାରାୟଣ ରାମନୁଜ ଦାସ, ରାଧବଲ୍ଲଭ ମଠ ମହନ୍ତ ରାମକୃଷ୍ଣ ଦାଶ ମହାରାଜ, ସାହିତ୍ୟିକ ପ୍ରଫେସର କୈଳାସ ଚନ୍ଦ୍ର ଟିକାୟତରାୟ, ଆଚାର୍ଯ୍ୟ ମନ୍ମଥ ମହାରାଜ, ସଂଗଠକ ଚକ୍ରଧର ମହାପାତ୍ର ପ୍ରମୁଖ ନିଶାମୁକ୍ତ ସମାଜ ପାଇଁ ଦୃଢ଼ ଆଇନ ଆସିବା ଦରକାର ବୋଲି ମତବ୍ୟକ୍ତ କରିଥିଲେ।

ଗୀତିକାର ବଦ୍ରି ମିଶ୍ର ଓ ସାହିତ୍ୟିକ ଶ୍ୟାମପ୍ରକାଶ ସେନାପତି ମଞ୍ଚ ପରିଚାଳନା କରିଥିଲେ। ଏହି ସମ୍ମିଳନୀରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ନିଶାମୁକ୍ତି ଆନ୍ଦୋଳନ ସହ ଜଡ଼ିତ ବହୁ ସଂଗଠକ, ଗାନ୍ଧୀବାଦୀ ନେତା ଯୋଗ ଦେଇଥିଲେ। ରମାକାନ୍ତ ମଣ୍ଡଳ ସଂପାଦକୀୟ ବିବରଣୀ ପାଠ କରିଥିଲେ।

ସମ୍ବନ୍ଧିତ ଖବର