ସବୁ ବିଦ୍ୟାଳୟର ଛାତ୍ରଛାତ୍ରୀ କରିବେ ଶପଥ ପାଠ

ରାଜ୍ୟସ୍ତରୀୟ ଶିଶୁ ଦିବସ ସମାରୋହ

ଭୁବନେଶ୍ୱର : ଆସନ୍ତା ୧୪ତାରିଖରେ କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟ ସ୍ତରୀୟ ଶିଶୁ ଦିବସ ପାଳନ ହେବ। ପ୍ରଥମ କରି ସବୁ ବ୍ଲକ, ଗ୍ରାମପଞ୍ଚାୟତ ଏବଂ ଗ୍ରାମସ୍ତରରେ ଶିଶୁ ଦିବସ ପାଳନ ହେବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ୪୫ମିନିଟ ଧରି ଆୟୋଜନ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଶିଷ୍ଟ କଳାକାରଙ୍କ ଦ୍ୱାରା ବିଭିନ୍ନ ମନୋରଞ୍ଜନଭିତ୍ତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ କାର୍ଯ୍ୟକ୍ରମ ଘୋଷଣା କରିବାର ଯୋଜନା ଅଛି। ଏହାସହ ଉପସ୍ଥିତ ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ ଓ ଶିକ୍ଷାନୁରାଗୀଙ୍କ ସହ ଭାବ ବିନିମୟ କରିବେ। ତେଣୁ ଏହି କାର୍ଯ୍ୟକ୍ରମକୁ କିପରି ସାରା ରାଜ୍ୟର ପିଲା ଦେଖିପାରିବେ ସେଥିପାଇଁ ସ୍କୁଲ ସ୍ତରରେ ଟିଭିର ବନ୍ଦୋବସ୍ତ କରିବାକୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶନାମା ଜାରି ହୋଇଛି।

ସେହିପରି ଚଳିତବର୍ଷ ଶିଶୁ ଦିବସ ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରଥମ ଥର ପାଇଁ ଏକ ଶପଥ ପାଠ କରିବେ। ଶିଶୁ ଦିବସରେ ସବୁ ବିଦ୍ୟାଳୟରେ ଏକସଙ୍ଗେ ଏହି ଶପଥ ପାଠ ଉତ୍ସବ ହେବ। ପ୍ରତିବର୍ଷ ନୂଆ କରି ନାମ ଲେଖାଉଥିବା ଛାତ୍ରଛାତ୍ରୀମାନେ ଏଣିକି ସେମାନଙ୍କ ସ୍କୁଲରେ ଏହି ଶପଥ ପତ୍ର ସାମୂହିକ ଭାବେ ପାଠ କରିବେ ଏବଂ ସ୍କୁଲର ପ୍ରତ୍ୟେକ ଦିନ ସମୂହ ପ୍ରାର୍ଥନା ପରେ ଛାତ୍ରଛାତ୍ରୀମାନେ ଏହି ଶପଥ ପାଠ କରିବେ। ଜନ୍ମ ଭୂମି ଓଡ଼ିଶାର ବନ୍ଦନା ସହିତ ଓଡ଼ିଶା ଜନନୀର ଗୌରବକୁ ନିଜ କାର୍ଯ୍ୟ ଦ୍ୱାରା ନୂଆ ଶିଖରରେ ପହଞ୍ଚାଇବା ଏବଂ ଭଲ ମଣିଷ ହେବା ପାଇଁ ଏହି ଶପଥ ପତ୍ର ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଯୋଗାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର