ଭୁବନେଶ୍ୱର : ଆମ ପୂର୍ବ ପୁରୁଷମାନେ ଆମମାନଙ୍କ ପାଇଁ ମିଠା ବୃକ୍ଷଟିଏ ଲଗାଇ ଯାଇଥିଲେ। ଭାବିଥିଲେ ଏହି ବୃକ୍ଷ ସବୁବେଳେ ଆମକୁ ମିଠା ଫଳ ଦେଉଥିବ। କିନ୍ତୁ ଆମେ କ’ଣ କରିଛୁ? କୀଟନାଶକ, ପିଡ଼ିଆ ଓ ରସାୟନ ଦେଇ ଆମେ ଏ ବୃକ୍ଷରୁ ସମୟ ପୂର୍ବରୁ ଫଳ ଖାଇବାକୁ ଚେଷ୍ଟା କଲେ। ଫଳରେ ମିଠା ବୃକ୍ଷଟି କାଳକ୍ରମେ ବିଷ ବୃକ୍ଷ ହୋଇଗଲା। ସେମିତି ହୋଇଛି ଆମ ସଂସଦୀୟ ଗଣତନ୍ତ୍ରର ଅବସ୍ଥା। ଆମ ଦେଶର ଉନ୍ନତି, ବିକାଶ ତଥା ବିବିଧତା ଭିତରେ ଏକତାକୁ ବଞ୍ଚାଇ ରଖିବାକୁ ସଂସଦୀୟ ଗଣତନ୍ତ୍ର ଥିଲା ଆମ ପୂର୍ବପୁରୁଷଙ୍କର ଆମମାନଙ୍କ ପ୍ରତି ଏକ ବଡ଼ ଉପହାର। କିନ୍ତୁ ଆଜି ସେହି ବ୍ୟବସ୍ଥାକୁ ଆମେ ଭୁଶୁଡ଼ାଇ ଦେବାରେ ଲାଗିଛୁ। ‘ସମ୍ବାଦ’ର ବାର୍ଷିକ ଉତ୍ସବ ଉପଲକ୍ଷେ ଆଜି ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ ପକ୍ଷରୁ ଆୟୋଜିତ ‘ସଂସଦୀୟ ଗଣତନ୍ତ୍ର ଭାରତ ପାଇଁ ଉପଯୋଗୀ ନୁହେଁ’ ଶୀର୍ଷକ ରାଜ୍ୟସ୍ତରୀୟ ବିତର୍କ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପ୍ରତିଯୋଗୀମାନେ ଏଭଳି ମତ ରଖିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ନିଜର ବଳିଷ୍ଠ ବିତର୍କରେ ସମସ୍ତଙ୍କୁ ପଛରେ ପକାଇ ରେଭେନ୍ସା ବିଶ୍ବବିଦ୍ୟାଳୟର ଛାତ୍ରୀ ପ୍ରେରଣା ଜେନା ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସେହିଭଳି ଜଗତସିଂପୁର ଆଦିକବି ସାରଳା ଦାସ ମହାବିଦ୍ୟାଳୟର ଛାତ୍ର ଅଂଶୁମାନ ସାହୁ ଏବଂ ଭୁବନେଶ୍ବର ସେଣ୍ଟ୍ ଜାଭିୟର୍ସ ହାଇସ୍କୁଲର ଛାତ୍ର ୟଶ୍ ମହାନ୍ତି ନିଜ ବକ୍ତବ୍ୟରେ ସମସ୍ତଙ୍କୁ ପ୍ରଭାବିତ କରିବା ସହ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଥିଲେ।
ଆଜିର କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ ଯେ କେଉଁଠି ନା କେଉଁଠି ସଂସଦୀୟ ଗଣତନ୍ତ୍ରକୁ ନେଇ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି। ସେଇ ଅସନ୍ତୋଷ ଯୋଗୁଁ ହିଁ ଏବେ ଏଥିରେ ପରିବର୍ତ୍ତନ ବା ବିକଳ୍ପ ବ୍ୟବସ୍ଥା ନେଇ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଜୋର୍ ଧରିଛି। ଏବେ ଲୋକମାନେ ସାଂସଦକୁ ନିର୍ବାଚନରେ ବାଛୁଛନ୍ତି କି ପ୍ରଧାନମନ୍ତ୍ରୀଙ୍କୁ? ଏବେ ବିଧାୟକଙ୍କୁ ନିର୍ବାଚିତ କରାଯାଉଛି କି ମୁଖମନ୍ତ୍ରୀଙ୍କୁ? ସ୍ଥାନୀୟ ଅଞ୍ଚଳର ଭଲ ପ୍ରତିନିଧିଟିକୁ ଭୋଟ୍ ନ ଦେଇ ଏବେ ଲୋକେ ଦଳର ଚେହେରା କିଏ; ଏହାକୁ ବିଚାର କରି ଭୋଟ୍ ଦେଉଛନ୍ତି। ସେମିତିରେ ବି ତାହା ରାଷ୍ଟପତି ପ୍ରଧାନ ଶାସନ ଆଡ଼କୁ ହିଁ ଗତି କରୁଛି। ଏମିତି ହେଲେ ସଂସଦୀୟ ଗଣତନ୍ତ୍ର ତିଷ୍ଠିବ କେମିତି? ସଂସଦୀୟ ଗଣତନ୍ତ୍ରଠାରୁ ଭଲ ବ୍ୟବସ୍ଥା ଭାରତ ପାଇଁ ଆଉ କିଛି ନାହିଁ। ଆଜିର ସମୟ ଏ ସବୁ ଉପରେ ଅଧିକ ଆଲୋଚନା ପର୍ଯ୍ୟାଲୋଚନାର ଆବଶ୍ୟକ କରୁଛି ବୋଲି ସେ କହିଥିଲେ।
ପ୍ରତିଯୋଗିତାରେ ବିଚାରକ ଭାବେ ବିଶିଷ୍ଟ ରାଜନେତା ପୂର୍ବତନ ସାଂସଦ ମହାମେଘବାହାନ ଐର ଖାରବେଳ ସ୍ବାଇଁ, ଫକୀର ମୋହନ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଶୁକଦେବ ନନ୍ଦ ଓ ବିଜେବି କଲେଜର ରାଜନୀତି ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ଅଭିରାମ ବିଶ୍ବାଳ ଯୋଗ ଦେଇଥିଲେ। ନିଜ ବକ୍ତବ୍ୟରେ ଶ୍ରୀ ସ୍ବାଇଁ କହିଥିଲେ ଯେ ଗଣତନ୍ତ୍ରରେ ଏବେ ଅନେକ ଦୋଷତ୍ରୁଟି ଦେଖାଗଲାଣି। କିନ୍ତୁ ଗଣତନ୍ତ୍ର ଅପେକ୍ଷା ଆଉ ଗୋଟେ ଭଲ ବ୍ୟବସ୍ଥା କିଛି ଅଛି କି? ଗଣତନ୍ତ୍ରରେ ଦୁଇ ପ୍ରକାର ଶାସନ ରହିଛି। ଗୋଟିଏ ହେଉଛି ସଂସଦୀୟ ଗଣତନ୍ତ୍ର; ଯେଉଁଥିରେ ଲୋକମାନେ ସାଂସଦ ଓ ବିଧାୟକମାନଙ୍କୁ ନିର୍ବାଚିତ କରନ୍ତି ଏବଂ ପରେ ସେମାନେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ନିର୍ବାଚିତ କରନ୍ତି। ଅନ୍ୟଟି ହେଉଛି ରାଷ୍ଟ୍ରପତି ପ୍ରଧାନ ଗଣତନ୍ତ୍ର, ଯେଉଁଥିରେ ଲୋକେ ସିଧାସଳଖ ପ୍ରଧାନମନ୍ତ୍ରୀ ବା ରାଷ୍ଟ୍ରପତିଙ୍କୁ ମନୋନୀତ କରନ୍ତି। ତେବେ ଯଦି ସଂସଦୀୟ ଗଣତନ୍ତ୍ର ନ ରହିବ ତଳସ୍ତରରେ ଲୋକମାନଙ୍କ ଗୁହାରି ଶୁଣିବ କିଏ? ଏଣୁ ସଂସଦୀୟ ଗଣତନ୍ତ୍ର ଯୋଗୁଁ ଲୋକଙ୍କ ପ୍ରତିନିଧି ନିର୍ବାଚିତ ହେବା ଆବଶ୍ୟକ ବୋଲି ସେ ମତ ରଖିଥିଲେ।
ପ୍ରଫେସର ନନ୍ଦ କହିଲେ, ଯୁବଶକ୍ତି ମଧ୍ୟରେ ଚେତନା ସୃଷ୍ଟି ପାଇଁ ମଝିରେ ମଝିରେ ବିତର୍କ ଜରୁରି। ଏହା ଦ୍ବାରା ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ଓ ଦେଶରେ ଚାଲୁଥିବା ବିଭିନ୍ନ ପ୍ରସଙ୍ଗ ଉପରେ ସବିଶେଷ ଧାରଣା ସୃଷ୍ଟି ହେବ। କିଛି ଭୁଲ ଧାରଣା ଦୂର ହେବା ସହ ବୌଦ୍ଧିକ ଚେତନାର ବିକାଶ ହେବ। ଶ୍ରୀ ବିଶ୍ବାଳ କହିଲେ, ଭାଷଣ, ବକ୍ତୃତା ଓ ବାଗ୍ମୀତାଠାରୁ ସମ୍ପୂର୍ଣ୍ଣ ଅଲଗା ହେଉଛି ବିତର୍କ। ବିତର୍କରେ ଜଣକୁ ବିଷୟବସ୍ତୁର ଗୋଟିଏ ପକ୍ଷ ନେବାକୁ ପଡ଼େ। ବିତର୍କ ବା ତର୍କ; ବିତଣ୍ଡା ବି ନୁହେଁ। ହୋ ହାଲ୍ଲା ବି ନୁହେଁ। ଯୁକ୍ତି, ତଥ୍ୟ ଓ ବିଶ୍ଲେଷଣ ବଳରେ ଜଣେ ନିଜ ବକ୍ତବ୍ୟ ରଖିଥାଏ। ଭାଷା, ବିଷୟବସ୍ତୁ ଓ ଉପସ୍ଥାପନା ଶୈଳୀ ବିତର୍କ କରିବାର ମୁଖ୍ୟ ଅସ୍ତ୍ର ବୋଲି ଶ୍ରୀ ବିଶ୍ବାଳ କହିଥିଲେ। ବିଷୟବସ୍ତୁ ଉପରେ ଆଲୋକପାତ କରି ଶ୍ରୀ ବିଶ୍ବାଳ କହିଥିଲେ, ଏବେ ଦେଶରେ ବହୁ ଆଡ଼ୁ ସ୍ବର ଉଠୁଛି ଯେ, ଏବେ ସଂସଦୀୟ ଗଣତନ୍ତ୍ର ସ୍ଥାନରେ ରାଷ୍ଟ୍ରପତିପ୍ରଧାନ ଶାସନ ହେଉ। ତେବେ ରାଷ୍ଟ୍ରପତି ପ୍ରଧାନ ଶାସନ ହେଉ କି ଗଣତନ୍ତ୍ର ହେଉ; ତାହା ଅନେକ ସମୟରେ ସ୍ପଷ୍ଟ କରାଯାଉନାହିଁ ବୋଲି ସେ କହିଥିଲେ।
‘ସମ୍ବାଦ’ର ବାର୍ତା ବିଭାଗ ମୁଖ୍ୟ ମହାପ୍ରବନ୍ଧକ ଅରବିନ୍ଦ ଦାସ ସ୍ବାଗତ ଅଭିଭାଷଣ ରଖିଥିଲେ। ଚିଫ୍ ରିପୋର୍ଟର ଚୌଧୁରୀ ଅମିତାଭ ଦାସ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ। ଆସନ୍ତାକାଲି ଅର୍ଥାତ ଅକ୍ଟୋବର ୪ ତାରିଖ ସଂଧ୍ୟାରେ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ‘ସମ୍ବାଦ’ର ବାର୍ଷିକୋତ୍ସବ ପାଳନ ଅବସରରେ ଏହି ବିଜେତାମାନଙ୍କୁ ପୁରସ୍କୃତ କରାଯିବ।