ଭୁବନେଶ୍ବର, (ଭବାନୀ ଶଙ୍କର ତ୍ରିପାଠୀ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହେଲା। ଲୋକପ୍ରତିନିଧି ଓ ରାଜ୍ୟ ସରକାରଙ୍କ ଅଧିକାରୀ ନିଜ ନିଜ ଜିଲ୍ଲା ଓ ରାଜ୍ୟ ସଂପର୍କରେ ଅନେକ ପ୍ରସ୍ତାବ ସାମ୍ନାରେ ରଖିଲେ। ଅସନ୍ତୋଷ ବି ଜଣାଇଲେ। ହେଲେ ଯେଉଁ ୪ଟି ବିଷୟ ଏବେ ଓଡ଼ିଶାର ବିପର୍ଯ୍ୟୟର ଭୟାବହତାକୁ ଇଙ୍ଗିତ କରୁଛି, ଯେଉଁ କାରଣରୁ ରାଜ୍ୟରେ ଦିନକୁ ହାରାହାରି ୧୮ ଜଣ ଲୋକଙ୍କ ପ୍ରାଣହାନି ଘଟୁଛି, ସେ ସଂପର୍କରେ ଠୋସ୍ ରଣନୀତି ନିର୍ଧାରଣ ହେଲାନାହିଁ।
କେଉଁ ପରିସ୍ଥିତିରେ ନଦୀରେ ବୁଡ଼ି ମୃତ୍ୟୁ ସଂଖ୍ୟା ବଢ଼ୁଛି, ବଜ୍ରପାତ ଜନିତ ମୃତ୍ୟୁ ହ୍ରାସ ପାଇଁ କେଉଁସ୍ତରରେ ସଚେତନତା ହେବା ଦରକାର, ସର୍ବୋପରି ସାପକାମୁଡ଼ା ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇପାରିବ ନା ନାହିଁ, ଏ ସଂପର୍କରେ ନା କେହି ପ୍ରଶ୍ନ ଉଠାଇଲେ ନା ରାଜ୍ୟ ସରକାର ନିଜ଼ ଆଡ଼ୁ କାର୍ଯ୍ୟକ୍ରମ ସଂପର୍କରେ ତଥ୍ୟ ରଖିଲେ।
ସରକାରଙ୍କ ରିପୋର୍ଟ ସୂଚାଉଛି, ୨୦୧୫-୧୬ରୁ ୨୦୧୯-୨୦ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ଅର୍ଥାତ୍ ପାଞ୍ଚ ବର୍ଷରେ ପାଣିରେ ବୁଡ଼ି ୩୮୪୮ ଜଣଙ୍କର ମୃତ୍ୟୁ ହୋଇଛି। ବେସରକାରୀ ତଥ୍ୟକୁ ବିଚାରକୁ ନେଲେ ଏହି ସଂଖ୍ୟା ଆହୁରି ଅଧିକ ହୋଇପାରେ। ସାପକାମୁଡ଼ା ଜନିତ ମୃତ୍ୟୁ ସଂଖ୍ୟା ବି କିଛି କମ୍ ନୁହେଁ। ଏହି ସମୟ ମଧ୍ୟରେ ରାଜ୍ୟରେ ୩୬୨୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ୧୯୪୦, ଅଗ୍ନିକାଣ୍ଡ କାରଣରୁ ୪୭୮ ଓ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ୨୧୧ ରହିଛି।
ନିକଟରେ ସାପକାମୁଡ଼ା ଇଞ୍ଜେକସନ୍ ଅଭାବ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ସରକାର ନିଜେ ନୋଟିସ୍ ମାରି ଏହି ଇଞ୍ଜେକ୍ସନ୍ ନ ଥିବା କଥା ଜଣାଇଲେ। ଆଜି କିନ୍ତୁ ବୈଠକରେ ଏଭଳି ଏକ ସଙ୍ଗିନ୍ ପ୍ରସଙ୍ଗ ଉପରେ କେହି କିଛି କହିଲେ ନାହିଁ। ଏକଥା ବି ଆଲୋଚନା ହେଲା ନାହିଁ ଯେ ନିର୍ଦିଷ୍ଟ କି ପଦକ୍ଷେପ ନିଆଗଲେ, ସବୁ ଗୋଷ୍ଠୀ ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ମଧ୍ୟ ସାପକାମୁଡ଼ା ଇଞ୍ଜେକସନ୍ ପର୍ଯ୍ୟାପ୍ତ ପରିମାଣରେ ମିଳିବ।
ବିଭିନ୍ନ ନଦୀରେ, ଏପରିକି ଚିଲିକା ଆଦିରେ ବିନା ଲାଇସେନ୍ସରେ ଶହ ଶହ ଡଙ୍ଗା ଚାଲୁଛି। ଡଙ୍ଗା ନାବିକଙ୍କ ପାଇଁ ପ୍ରଶିକ୍ଷଣର ଯେଭଳି ଅଭାବ ରହିଛି, ସେମିତି ଲାଇସେନ୍ସ ପ୍ରଦାନ କ୍ଷେତ୍ରରେ ମଧ୍ୟ ସରକାରୀ ସେବା ବ୍ୟବସ୍ଥାଟି ଅତ୍ୟନ୍ତ ଜଟିଳ। ଏଭଳିସ୍ଥିତିରେ ଗୋଟିଏ ଡଙ୍ଗା ବୁଡି଼ ଘଟଣା ପରେ ଗଣମାଧ୍ୟମରେ ଖବର ପ୍ରକାଶ ପରେ ସରକାର ଯେଭଳି ତତ୍ପରତା ଦେଖାଇଥାନ୍ତି, ତାର କିଛି ଦିନ ପରେ ସମସ୍ତେ ସେମିତି ନିରବ ହୋଇଯାନ୍ତି। ଏ କ୍ଷେତ୍ରରେ ପ୍ରାକୃତିକ ବିପର୍ଯ୍ୟୟ ବୈଠକରେ କି ରଣନୀତି ନିର୍ଧାରଣ ହେଲା ତାହା ଜଣାପଡ଼ିଲାନି।
ବଜ୍ରପାତ କଥା ନ କହିବା ଭଲ। ତୃଣମୂଳସ୍ତରରେ ଅଂଶୁଘାତକୁ ନେଇ ଯେମିତି ସଚେତନତା ସୃଷ୍ଟି କରାଯିବା କାରଣରୁ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଲା, ଏ କ୍ଷେତ୍ରରେ କଣ କଣ ପଦକ୍ଷେପ ନେଲେ ଏହି ବିପର୍ଯ୍ୟୟ ଜନିତ ମୃତ୍ୟୁ ସଂଖ୍ୟା କମିପାରିବ, ସେ ନେଇ ନା ସରକାର କିଛି ଠୋସ୍ ପଦକ୍ଷେପ ନେଉଛନ୍ତି ନା ଲୋକପ୍ରତିନିଧିମାନେ ଏ ନେଇ ସରକାରଙ୍କୁ କିଛି ନିଷ୍ପତ୍ତି ନେବାକୁ ବାଧ୍ୟ କରିପାରିଲେ।
କୋଭିଡ଼୍ ମହାମାରୀ ଜନିତ ମୃତ୍ୟୁ ସଂଖ୍ୟା ଏବେ ରାଜ୍ୟରେ ୨୦ ଟପିନି। ଏହାକୁ ନେଇ ସରକାର ଲକ଼୍ଡାଉନ୍, ସଟ୍ଡାଉନ୍ ଜାରି ରଖିଛନ୍ତି, ଯାହାକୁ ସବୁ ମହଲରେ ପ୍ରଶଂସା ମିଳୁଛି। ତିନିମାସ ଧରି ରାଜ୍ୟ କଟକଣା ଭିତରେ ଫସିଛି। ଦେଶ ବି। ହେଲେ ପାଣିରେ ବୁଡ଼ିବା କାରଣରୁ ହେଉ ଅଥବା ବଜ୍ରପାତ କିମ୍ବା ସାପକାମୁଡା଼େର ଏଭଳି ତତ୍ପରତା କାହିଁକି ଦେଖାଯାଉନାହିଁ, ତାହା ବୁଝି଼ହେଉନାହିଁ। ଏସବୁ ଲୋକଙ୍କ ଜୀବନର କଣ କିଛି ମୂଲ୍ୟ ନାହିଁ?
ଆହୁରି ସାଂଘାତିକ କଥା ହେଲା, ମହାବାତ୍ୟା ପରବର୍ତୀ ପରିସ୍ଥିତିରେ ରାଜ୍ୟରେ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ହୋଇଥିଲା। ଏବେ ସରଜମିନ୍ ସ୍ଥିତି ଅନୁଧ୍ୟାନ କରିବା ପରେ ଦେଖାଯାଉଛି ଅନେକ ଆଶ୍ରୟସ୍ଥଳୀର ସ୍ଥିତି ସଙ୍ଗିନ୍ ଆଡ଼କୁ ଗଲାଣି। ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ଅଡିଟ୍ କରିବା ପରେ ଏବେ ମରାମତି କରିଛନ୍ତି। କିନ୍ତୁ ଏହା ତାଳିପକା ଭଳି। ଏସବୁର ସୁଦୃଢୀକରଣ ଯେତିକି ଗୁରୁତ୍ବପୂର୍ଣ୍ଣ, ନୂଆ ଆଶ୍ରୟସ୍ଥଳ ନିର୍ମାଣ ସେତିକି ଅପରିହାର୍ଯ୍ୟ।
ମହାବାତ୍ୟା ପରବର୍ତୀ ପରିସ୍ଥିତିରେ ଆଇଆଇଟି ଖଡ଼ଗପୁର ଅନୁଧ୍ୟାନ କରି ଜଣାଇଥିଲେ ଯେ ସମୁଦ୍ର ଉପକୂଳରୁ ୧୦ କିଲୋମିଟର ସବୁଠାରୁ ଅଧିକ ସମ୍ବେଦନଶୀଳ ଅଞ୍ଚଳ। ଏହି ୪୮୦୦ ବର୍ଗ କିଲୋମିଟରରେ ସେତେବେଳେ ୫୧୨ଟି ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ କୁହାଯାଇଥିଲା, ଯାହା ଏବେ ବଢ଼ି ୮୭୯ରେ ପହଞ୍ଚିଛି। ସମୁଦ୍ର ସଂଲଗ୍ନ ଅଞ୍ଚଳରେ କିନ୍ତୁ ଲୋକସଂଖ୍ୟା ମଧ୍ୟ ବଢ଼ିଗଲାଣି। ଏଭଳି ପରିସ୍ଥିତିରେ ଏହି ୪୮୦୦ କିଲୋମିଟର ଅଞ୍ଚଳରେ ଆହୁରି ଅଧିକ ବାତ୍ୟା ଆଶ୍ରୟସ୍ଥଳୀର ଆବଶ୍ୟକତା ରହିଛି ଏକଥା ବିଶେଷଜ୍ଞମାନେ ବିଭିନ୍ନ ସମୟରେ ମତ ରଖିଛନ୍ତି।
ପୁଣି ଫନି ବାତ୍ୟା ଜଣାଇ ଦେଇଛି ଯେ ୧୦ କିଲୋମିଟରରୁ ଅଧିକ ଦୂରରେ ମଧ୍ୟ ବାତ୍ୟା ଭୟାନକ କ୍ଷତି ପହଞ୍ଚାଉଛି। ଏସବୁ ଅଞ୍ଚଳରେ ମଧ୍ୟ ଅନୁରୂପ ପଦକ୍ଷେପ ଦ୍ବିତୀୟ ପର୍ଯ୍ୟାୟରେ ନିଆଯିବା ଦରକାର ଥିଲା, ଯାହା ଏଯାଏ ହୋଇନାହିଁ। ସର୍ବୋପରି ସମୁଦ୍ର ସଂଲଗ୍ନ ୧୦ କିଲୋମିଟର ପରିଧି ମଧ୍ୟରେ ଯେତେସବୁ କଚ୍ଚା ଘର ଅଛି ବା ବାତ୍ୟା ପରିପ୍ରେକ୍ଷୀରେ ସମ୍ବେଦନଶୀଳ ବୋଲି କୁହାଯାଉଛି, ସେସବୁକୁ ସ୍ବତନ୍ତ୍ର ବାତ୍ୟା ନିରୋଧୀ ପକ୍କା ଘରରେ ପରିଣତ କରିବା ଲାଗି କାହିଁକି ଯୋଜନା ହେଉନାହିଁ, ତାହା ଏବେ ବି ବୁଦ୍ଧିଜୀବୀ ମହଲକୁ ଆନ୍ଦୋଳିତ କରୁଛି। ସରକାର କେବେ ହେଜିବେ?