ସ୍ବାଧୀନତାର ଅମୃତ ମହୋତ୍ସବ ରାଜ୍ୟସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତା: ‘ବିଶ୍ବଗୁରୁ ଭାରତ’ ଉପରେ ପ୍ରବନ୍ଧ ଲେଖିଲେ ୨୦୫ପ୍ରତିଯୋଗୀ

ଭୁବନେଶ୍ବର : ଓଡ଼ିଶା ରାଜ୍ୟପାଳଙ୍କ ପରାମର୍ଶକ୍ରମେ ଓଡ଼ିଶା ସରକାରଙ୍କ ସହଯୋଗିତାରେ ‘ସମ୍ବାଦ ଗ୍ରୁପ୍‌’ ପକ୍ଷରୁ ସ୍ବାଧୀନତାର ଅମୃତ ମହୋତ୍ସବ ଅବସରରେ ଆୟୋଜିତ ରାଜ୍ୟସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତା ରବିବାର ପୂର୍ବାହ୍ନ ସାଢ଼େ ୧୧ଟାରେ ଓୟୁଏଟି କୃଷି ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର ୩୦ ଜିଲ୍ଲା ଓ ୫ ମହାନଗର ନିଗମରୁ ଉଭୟ ଇଂରାଜୀ ଓ ଓଡ଼ିଆ ବର୍ଗରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ। ଓଡ଼ିଆ ପ୍ରବନ୍ଧରେ ୧୦୨ ଓ ଇଂରାଜୀ ପ୍ରବନ୍ଧରେ ୧୦୩ ପ୍ରତିଯୋଗୀ ସମୁଦାୟ ୨୦୫ଜଣ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ। ପରୀକ୍ଷା କେନ୍ଦ୍ରରେ ରାଜ୍ୟପାଳଙ୍କ ଲୋକସମ୍ପର୍କ ଅଧିକାରୀ ରକ୍ଷକ ନାୟକ, ଏଡିସି ଚିନ୍ମୟ ନାୟକ ଓ ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ହିମାଂଶୁ ନାରାୟଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ପ୍ରବନ୍ଧର ବିଷୟବସ୍ତୁ ଘୋଷଣା କରିଥିଲେ। ପ୍ରବନ୍ଧର ବିଷୟବସ୍ତୁ ଥିଲା ‘ବିଶ୍ବଗୁରୁ ଭାରତ’।

ଏହି ଅବସରରେ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ସହ ସ୍ଥିର ମସ୍ତିଷ୍କରେ ନିଜ ଭାବନା ପ୍ରକାଶ କରିବାକୁ ପରାମର୍ଶ ଦେଇଥିଲେ। ମଧ୍ୟାହ୍ନ ୧୨ଟା ୧୫‌ରେ ପରୀକ୍ଷା ଶେଷ ହୋଇଥିଲା। ଏହାପରେ ପରୀକ୍ଷା ଖାତା ମୂଲ୍ୟାଙ୍କନ ହୋଇଥିଲା। ପ୍ରଫେସର୍‌ ଧରଣୀଧର ସା‌ହୁ, ପ୍ରଫେସର୍‌ କାଳିଦାସ ମିଶ୍ର ଓ ପ୍ରଫେସର୍‌ ଯତୀନ ନାୟକ ପ୍ରମୁଖ ଇଂରାଜୀ ପ୍ରବନ୍ଧର ବିଚାରକ ଭାବେ ଯୋଗ ଦେଇଥିବ‌ା ବେଳେ ମାଧ୍ୟମିକ ଶିକ୍ଷା ପରିଷଦର ପୂର୍ବତନ ସଚିବ ହେମେନ୍ଦ୍ର ନାରାୟଣ ଦାଶ, ଓଡ଼ିଶା ସାହିତ୍ୟ ଏକାଡେମିର ପୂର୍ବତନ ଉପସଭାପତି ଗାୟତ୍ରୀ ସରଫ୍‌, ସେଣ୍ଟ୍ରାଲ ଆଡ୍‌ମିନିଷ୍ଟ୍ରେଟିଭ୍‌ ଟ୍ରିବ୍ୟୁନାଲର ସଦସ୍ୟ ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ ପ୍ରମୁଖ ଓଡ଼ିଆ ପ୍ରବନ୍ଧ ପ୍ରତିଯୋଗିତାର ବିଚାରକ ଭାବେ ଯୋଗ ଦେଇଥିଲେ। ‘ଆମ ଓଡ଼ିଶା’ର ସମ୍ପାଦକ ସ୍ବରାଜ ମିଶ୍ର ଉପସ୍ଥିତ ରହି ପରୀକ୍ଷା ପରିଚାଳନା କରିଥିଲେ।

 

କୃତୀ ପ୍ରତିଭାଙ୍କ ମତାମତ

ଆଗକୁ ବଢ଼ିବାରେ ସହାୟକ ହେବ
‘ସମ୍ବାଦ’ର ଏପରି ନୂଆ ପଦକ୍ଷେପ ଛାତ୍ରଛାତ୍ରୀମାନଙ୍କୁ ଆଗକୁ ବଢ଼ିବାରେ ସହାୟକ ହେବ। ରାଜ୍ୟପାଳଙ୍କ ଦିଗ୍‌ଦର୍ଶନ ଓ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ମୁଁ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ବହୁତ ଖୁସି। ଏଥିପାଇଁ ମୁଁ ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ୍‌ ସାର୍‌ ଓ ‘ସମ୍ବାଦ’ର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ସାର୍‌ଙ୍କୁ ଧନ୍ୟବାଦ ଜଣାଉଛି।
ଶାଶ୍ବତୀ ନାୟକ, ପ୍ରଥମ (ଇଂରାଜୀ ପ୍ରବନ୍ଧ)
ଭେଙ୍କଟେଶ୍ବର ଇଂରାଜୀ ମିଡିୟମ୍‌ ସ୍କୁଲ୍‌, ଭୁବନେଶ୍ବର

ଆଜିର ଦିନକୁ କେବେ ଭୁଲିବିନି
ମୋ ପାଇଁ ଏହି ପୁରସ୍କାର ସବୁଦିନ ପାଇଁ ସ୍ମୃତି ହୋଇ ରହିବ। ଆଗକୁ ବଢ଼ିବା ପାଇଁ ମୋତେ ଆହୁରି ଉତ୍ସାହିତ କରିବ। କେବେ ଭାବି ନଥିଲି, ଏପରି ଏକ ରାଜ୍ୟସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାରେ କୃତକାର୍ଯ୍ୟ ହେବି ଓ ରାଜଭବନ ଭିତରେ ରାଜ୍ୟପାଳଙ୍କ ହାତରୁ ପୁରସ୍କାର ପାଇବି। ‘ସମ୍ବାଦ’ ଏମିତି ଛାତ୍ରଛାତ୍ରୀଙ୍କୁ ପାଇଁ ନୂଆ ଅବସର ଆଣି ଦେଉଥାଉ।
ସୃଷ୍ଟି ସ୍ମରଣିକା ବିଶି, ଦ୍ବିତୀୟ (ଇଂରାଜୀ ପ୍ରବନ୍ଧ)
ଡିଏଭି ପବ୍ଲିକ ସ୍କୁଲ୍‌, ତାଳଚେର, ଅନୁଗୁଳ

‘ସମ୍ବାଦ’ ମୋ ଆଶା ପୂରଣ କରିଛି
ମୁଁ କେବେ ଏମିତ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବି ବୋଲି ଆଶା କରିନଥିଲି। କିନ୍ତୁ ‘ସମ୍ବାଦ’ ପାଇଁ ତାହା ସମ୍ଭବ ହୋଇପାରିଛି। ଆଜି ବହୁତ କିଛି ଶିଖିବାକୁ ମିଳିଲା। ଏଥିରେ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କାର ପାଇବା ମୋ ପାଇଁ ସୌଭାଗ୍ୟର କଥା। ଏଥିପାଇଁ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍‌ ଓ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ସାର୍‌ଙ୍କୁ ଧନ୍ୟବାଦ ଜଣାଉଛି।
ସାଞ୍ଚି ଅଗ୍ରୱାଲ, ତୃତୀୟ (ଇଂରାଜୀ ପ୍ରବନ୍ଧ)
ଜବାହାର ନବୋଦୟ ବିଦ୍ୟାଳୟ, ବୌଦ୍ଧ

ଏ ପୁରସ୍କାର ମୋତେ ଆଗକୁ ବଢ଼ିବାକୁ ପ୍ରେରଣା ଦେବ
ଏଦିନ ମୋ ପାଇଁ ଚିରସ୍ମରଣୀୟ ହୋଇ ରହିବ। ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇବ। ରାଜ୍ୟସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ହୋଇ ରାଜଭବନ ପରିସରରେ ରାଜ୍ୟପାଳଙ୍କ ହାତରୁ ପୁରସ୍କାର ଗ୍ରହଣ କରିଥିବାରୁ ମୁଁ ବହୁତ ଖୁସି। ‘ସମ୍ବାଦ’ ଏପରି ନୂଆ ନୂଆ ପଦକ୍ଷେପ ନେଇ ନୂଆ ନୂଆ ପ୍ରତିଭାଙ୍କୁ ସାମ୍ନାକୁ ଆଣୁଛି। ‘ସମ୍ବାଦ’ର ସଂପାଦକ ସୌମ୍ୟ ସାର୍‌ଙ୍କୁ ଏଥିପାଇଁ ଅନ୍ତରରୁ କୃତଜ୍ଞତା ଜଣାଉଛି।
ସାଇପ୍ରିୟା ଗିରି, ପ୍ରଥମ(ଓଡ଼ିଆ ପ୍ରବନ୍ଧ)
ଭଗବାନ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ, ବାଲେଶ୍ବର

‌ମୋ ଖୁସିକୁ ଶବ୍ଦରେ ବର୍ଣ୍ଣନା କରିପାରିବିନି
ଆଜି ଭଳି ଦିନ ମୋ ଜୀବନରେ ବାରମ୍ବାର ଆସୁ। ରାଜଭବନ ପରିସରରେ ରାଜ୍ୟପାଳଙ୍କ ହାତରୁ ପୁରସ୍କାର ଗ୍ରହଣ କରିବା ଆଦୌ ଛୋଟିଆ କଥା ନୁହେଁ। ମୁଁ କେତେ ଖୁସି, ତାହାକୁ ଶବ୍ଦରେ ବର୍ଣ୍ଣନା କରିପାରିବି ନାହିଁ।
ସ୍ବପ୍ନଜିତ୍‌ ନାୟକ, ଦ୍ବିତୀୟ (ଓଡ଼ିଆ ପ୍ରବନ୍ଧ)
ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଯାଜପୁର

ନୂଆ ପ୍ରତିଭା ଆବିଷ୍କାର କରିବାର ପରମ୍ପରା ଜାରି ରହୁ
ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଓ ପୂରା ‘ସମ୍ବାଦ’ ପରିବାରକୁ ଯେତେ ଧନ୍ୟବାଦ ଦେଲେ ବି ତାହା କମ୍‌ ହେବ। ଓଡ଼ିଶାର ପିଲାମାନଙ୍କୁ ଏପରି ଏକ ମଞ୍ଚ ଯୋଗାଇଦେଇ ‘ସମ୍ବାଦ’ ନୂଆ ପ୍ରତିଭାଙ୍କୁ ଆବିଷ୍କାର କରୁଛି। ଏ ଉଦ୍ୟମ ଜାରି ରହୁ। ଏହି ପୁରସ୍କାର ଆଗାମୀ ଦିନରେ ମୋତେ ଆଗକୁ ବଢ଼ିବାକୁ ଉତ୍ସାହିତ କରିବ।
ସ୍ବାଗତିକା ଚୌଧୁରୀ, ତୃତୀୟ (ଓଡ଼ିଆ ପ୍ରବନ୍ଧ)
ଶକୁନ୍ତଳାଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ,
ତରାବୋଇ, ଜଟଣୀ, ଖୋର୍ଦ୍ଧା

ସମ୍ବନ୍ଧିତ ଖବର