ରାଜ୍ୟସ୍ତରୀୟ ପରୀକ୍ଷା ପର୍ବ କର୍ମଶାଳା: ପରୀକ୍ଷା ପୂର୍ବରୁ ଚାପମୁକ୍ତ ରୁହନ୍ତୁ ପିଲା

ଭୁବନେଶ୍ୱର: ପିଲାମାନେ ପରୀକ୍ଷା ପୂର୍ବରୁ ଚାପ ମୁକ୍ତ ରୁହନ୍ତୁ। ଏଥିପାଇଁ ପିତାମାତାଙ୍କର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି। ବର୍ତମାନ ସମୟରେ ପିଲାମାନେ କେବଳ ସାର୍ଟିଫିକେଟ୍‌ ଓ ମାର୍କ ପଛରେ ଧାଉଁଛନ୍ତି। ଏ ଦିଗରେ ଆମେ ସଚେତନ ହେଲେ ପିଲାମାନେ ଚାପମୁକ୍ତ ହୋଇପାରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ପ୍ରସ୍ତାବ ଅନୁସାରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଦ୍ୱାରା ରାଜ୍ୟସ୍ତରୀୟ ‘ପରୀକ୍ଷା ପର୍ବ’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନରେ ଇମେଜ୍‌ ହଲ୍‌ରେ ଅନୁଷ୍ଠିତ ଏହି କର୍ମଶାଳାରେ ମନ୍ତ୍ରୀ ଶ୍ରୀ ଦାଶ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ପିଲାମାନେ ପରୀକ୍ଷାକୁ ଆନନ୍ଦର ସହ ପରୀକ୍ଷା ପର୍ବ ଭାବେ ଗ୍ରହଣ କରିବା ଆବଶ୍ୟକ। ପିଲାଙ୍କୁ ସୁରକ୍ଷା ଦେବା ଓ ଚାପମୁକ୍ତ କରିବା ପାଇଁ ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ। ବିଭାଗ ଅଧୀନରେ ଥିବା କର୍ମକର୍ତ୍ତା ଓ ପଦାଧିକାରୀମାନେ ଏ ଦିଗରେ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିଲେ।

ମହିଳା ଓ ଶିଶୁ ବିକାଶ ଏବଂ ମିସନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ଯୋଗଦେଇ ପିଲାମାନେ ପରୀକ୍ଷା ସମୟରେ ଧୈର୍ଯ୍ୟ ଓ ସଞ୍ଜମତା ରକ୍ଷା କରିବାକୁ ପରାମର୍ଶ ଦେଇଥିଲେ। ଏହି କର୍ମଶାଳାରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ, ଆଦର୍ଶ ବିଦ୍ୟାଳୟର ସଙ୍ଗଠନର ସଂଯୋଜକ ବିଜୟ କୁମାର ସାହୁ, ମନୋବିଜ୍ଞାନୀ ପ୍ରାଧ୍ୟାପକ ଉଦୟନାଥ ଦାଶ, ସାମାଜିକ ବିଜ୍ଞାନ ପ୍ରଫେସର ପ୍ରୀତିଶ ଆଚାର୍ଯ୍ୟ, ୟୁନିସେଫ୍‌ ଓଡ଼ିଶାର ଶିକ୍ଷା ବିଶେଷଜ୍ଞ ଲଳିତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ରାମଚନ୍ଦ୍ର ରାଉତଙ୍କ ସମେତ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ସଂଯୋଜକ, ଜିଲ୍ଲା ମଙ୍ଗଳ ଅଧିକାରୀ ଓ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ଅନୁଷ୍ଠାନର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର