ରାଜ୍ୟସ୍ତରୀୟ ଲୋକ ମହୋତ୍ସବ ଉଦ୍‌ଘାଟିତ : ଏକତା ଓ ସଂସ୍କୃତିର ବାର୍ତା ବାଣ୍ଟୁଛି ‘ପରବ’

କୋରାପୁଟ : ସୁନ୍ଦର ଜିନିଷ ତିଆରି କରିବା ହେଉଛି ସଂସ୍କୃତି। ଆଉ ସବୁ ସୁନ୍ଦରର ସମନ୍ବୟ ହେଉଛି ‘ପରବ’। କୋରାପୁଟର ‘ପରବ’ ଏହି ସଂସ୍କୃତିର ବାର୍ତା ବାଣ୍ଟିବା ସହ ଏକତାର ମଞ୍ଜି ବୁଣୁଛି ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ।

କୋରାପୁଟ ସରକାରୀ କଲେଜ ପଡ଼ିଆରେ ଆଜି ଉଦ୍‌ଘାଟିିତ ହୋଇଛି ରାଜ୍ୟସ୍ତରୀୟ ଲୋକ ଉତ୍ସବ ‘ପରବ’। ଏହାକୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଶ୍ରୀ ସାମଲ କହିଥିଲେ ଯେ, ରାଜ୍ୟରେ ଯେତେସବୁ ପର୍ବ ପର୍ବାଣୀ ଅନୁଷ୍ଠିତ ହେଉଛି ସେଥିରୁ ‘ପରବ’ ଅନ୍ୟତମ ଶ୍ରେଷ୍ଠ ଉତ୍ସବ। ଏଠାରେ କଳା ଓ ସଂସ୍କୃତିର ଅପୂର୍ବ ସମନ୍ବୟ ଘଟିଥାଏ।

ମୁଖ୍ୟବକ୍ତା ଭାବେ ଯୋଗଦେଇ ରାଜ୍ୟସଭା ସାଂସଦ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ପର୍ବ ପର୍ବାଣୀ ସାଧାରଣ ଜୀବନକୁ ରିଚାର୍ଜ କରି ନୂତନ ଶକ୍ତି ଦେଇଥାଏ। ଏହି ଉତ୍ସବ ଆମ ମାନଙ୍କୁ ଉତ୍ସାହ ଦେଇଥାଏ। ସାଧାରଣ ଲୋକମାନଙ୍କୁ ଏକାଠି ହେବାର ସୁଯୋଗ ଏମିତି ଉତ୍ସବ ମାଧ୍ୟମରେ ହିଁ ସମ୍ଭବ। ଆଉ ଲୋକେ ଏକାଠି ହେଲେ, ବିକାଶକୁ କେହି ଅଟକାଇ ପାରିବେ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

କୋରାପୁଟ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ତଥା ସିନେ ତାରକା ଅନୁଭବ ମହାନ୍ତି ଓ କୋରାପୁଟ ସାଂସଦ ଝିନ୍ନ ହିକ୍‌କା ଯୋଗଦେଇଥିଲେ।

ଉଦ୍‌ଘାଟନୀ ସମାରୋହରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଫୁଲ୍ଲ ପାଙ୍ଗି, ଲକ୍ଷ୍ମୀପୁର ବିଧାୟକ କୈଳାସ ଚନ୍ଦ୍ର କୁଲେସିକା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଭୁ ଜାନୀ, ସ୍ବତନ୍ତ୍ର ବିକାଶ ପରିଷଦ ସଭାପତି କମଳୁ ଜାନୀ, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଈଶ୍ବର ପାଣିଗ୍ରାହୀ, କ୍ରିଟ୍ ଅଧ୍ୟକ୍ଷ ଅଶୋକ ପାଙ୍ଗି, ଅତିରିକ୍ତ ଜିଲ୍ଲାପାଳ ଦେବେନ ପ୍ରଧାନ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦେଶକ ଅବଦୁଲ ଅକତାର, ଜୟପୁର ପୌର ନିର୍ବାହୀ ଅଧିକାରୀ ଦିବାକର ଟି.ଏସ, ଏସଓଜି କମାଣ୍ଡାଣ୍ଟ ଆଶିଷ କୁମାର ପ୍ରମୁଖ ମଞ୍ଚାସୀନ ଥିଲେ।

ସମ୍ବନ୍ଧିତ ଖବର