ଗଣତନ୍ତ୍ରରେ ଲୋକକଲ୍ୟାଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ

ଭୁବନେଶ୍ୱର : ଗଣତନ୍ତ୍ରରେ ଲୋକ କଲ୍ୟାଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ତେଣୁ ସାମାଜିକ କାର୍ଯ୍ୟକ୍ରମରେ ଆମେ ସମାଜର ସବୁ ବର୍ଗର କଲ୍ୟାଣ ଉପରେ ଜୋର୍‌ ଦେଇ ଆସିଛୁ। ବୁଧବାର ରାଜଧାନୀର ମହାତ୍ମାଗାନ୍ଧୀ ମାର୍ଗରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ୭୨ତମ ସ୍ୱାଧୀନତା ଦିବସର ରାଜ୍ୟସ୍ତରୀୟ ପରେଡ୍‌ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପତାକା ଉତ୍ତୋଳନ କରିବା ସହିତ ଅଭିବାଦନ ଗ୍ରହଣ କରିଥିଲେ।

‘ସୁସ୍ଥ ଓଡ଼ିଶା- ସୁଖୀ ଓଡ଼ିଶା’ ଉପରେ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କିଏ ସହଯୋଗ କରୁ କିମ୍ବା ନ କରୁ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ ହୋଇଛି। ମୁଁ ଆପଣମାନଙ୍କୁ ଦେଇଥିବା କଥା ରଖିପାରିଛି। ଆପଣମାନଙ୍କ ଟଙ୍କା ଓ ଆପଣମାନଙ୍କ ସହଯୋଗରେ ଏହି ଯୋଜନା କାର୍ଯ୍ୟକାରୀ ହେବ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆହୁରି ମଧ୍ୟ କହିଥିଲେ, ତାଙ୍କ ସରକାର ଚାଷୀ, ମହିଳା ଓ ଯୁବ ସମାଜର ବିକାଶ ଉପରେ ଗୁରୁତ୍ୱ ଦେଇ ଆସିଛି। ସେମାନଙ୍କୁ ଏକ ପ୍ରତିଶତ ସୁଧରେ ରାଜ୍ୟ ସରକାର ଋଣ ଯୋଗାଉଛନ୍ତି। କାରଣ ସେମାନେ ହେଉଛନ୍ତି ଆମ ବିକାଶର ମୁଖ୍ୟ ଆଧାର।

ସେହିପରି ଏସିଆନ୍‌ ଆଥଲେଟିକ୍‌ ମିଟ୍‌ର ସଫଳତା ପରେ ଓଡ଼ିଶାରେ ଆଗାମୀ ନଭେମ୍ବରରେ ହକି ବିଶ୍ୱକପ ଅନୁଷ୍ଠିତ ହେଉଥିବାରୁ ଏହା ଆମ ରାଜ୍ୟ ପାଇଁ ଗର୍ବର ବିଷୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ ଏହି ଅବସରରେ ଦେଶର ମହାନ ଦେଶଭକ୍ତଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଚଳିତ ବର୍ଷ ପରେଡ୍‌ରେ ୪୮ଟି ଦଳ ଅଂଶଗ୍ରହଣ କରିବାର ଥିଲା। କିନ୍ତୁ ଲଗାଣ ବର୍ଷା କାରଣରୁ ସ୍କୁଲ ଓ କଲେଜ ପିଲାଙ୍କ ପରେଡ୍‌ରେ ଯୋଗ ଦେବା ଉପରେ ରାଜ୍ୟ ସରକାର କଟକଣା ଲଗାଇବା ପରେ ମାତ୍ର ୨୧ଟି ଦଳ ଏଥିରେ ଅଂଶଗ୍ରହଣ କରିଥିଲେ। ପରେଡ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଦଳକୁ ମୁଖ୍ୟମନ୍ତ୍ରୀ ଟ୍ରଫି ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ପ୍ରମୁଖ ସଚିବ ଓ ପୁଲିସ ଡିଜି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର