ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ : କରୋନା ରୋଗୀଙ୍କୁ ସର୍ବୋତ୍ତମ ଚିକିତ୍ସା ଦିଆଯିବ: ମୁଖ୍ୟମନ୍ତ୍ରୀ

କୋଭିଡ୍‌ ଯୋଦ୍ଧାଙ୍କ ତ୍ୟାଗ ଓ ସେବାର ତୁଳନା ନାହିଁ, ଯୋଗ ଦେଲେ ୧୦୦ ନିମନ୍ତ୍ରିତ ଅତିଥି

ଭୁବନେଶ୍ୱର : ପଇସା ପାଇଁ ଓଡ଼ିଶାରେ କେହି ଜଣେ ‌ବି ରୋଗୀ ଚିକିତ୍ସାରୁ ବଞ୍ଚିତ ହେବେ ନାହିଁ। ଏଥିପାଇଁ ଓଡ଼ିଶା ସରକାର କୋଭିଡ୍‌ ରୋଗୀଙ୍କୁ ସବୁପ୍ରକାର ସୁବିଧା ମାଗଣାରେ ଯୋଗାଉଛନ୍ତି। ପ୍ରତି ଜୀବନ ଆମ ପାଇଁ ମୂଲ୍ୟବାନ। ଏହି ମିସନ୍ ନେଇ ଆମେ କାମ କରୁଛୁ। ସମସ୍ତଙ୍କୁ ସର୍ବୋତ୍ତମ ଚିକିତ୍ସା ଦେବାକୁ ଚେଷ୍ଟା କରୁଛୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ଶନିବାର ଦିନ ପ୍ରଦର୍ଶନୀ ପଡ଼ିଆରେ ୭୪ତମ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ଉଦ୍‌ବୋଧନ ଦେଇ ସେ କହିଲେ ଯେ ଗତ ୫ ମାସ ହେଲା ସାରା ଦେଶ କରୋନା ବିରୋଧରେ ଲଢ଼ୁଛି। କରୋନା ଆଜି କେବଳ ଭାରତ ନୁହେଁ, ସାରା ବିଶ୍ବ ତଥା ମାନବ ଜାତି ପାଇଁ ଏକ ବଡ଼ ସଙ୍କଟ ଭାବେ ଦେଖା ଦେଇଛି। ଶିକ୍ଷା, ସ୍ବାସ୍ଥ୍ୟ, ଅର୍ଥନୀତି, ପର୍ଯ୍ୟଟନ, ପରିବହନ ତଥା ସମାଜ ଉପରେ ଏହା ଗଭୀର ପ୍ରଭାବ ପକାଇଛି। ସାରା ବିଶ୍ବରେ କୋଟି କୋଟି ‌େଲାକ ଜୀବିକା ହରାଉଛନ୍ତି। ଟିକା ଆସିବା ପରେ କରୋନା ନିୟନ୍ତ୍ରଣକୁ ଆସିବ। କିନ୍ତୁ ଅର୍ଥନୀତି ଓ ସମାଜ ଉପରେ କରୋନା ଯେଉଁ କ୍ଷତି କରିଛି, ତାହାକୁ ଭରଣା କରିବା ପାଇଁ ଆମକୁ ସାହସର ସହ କାମ କରିବାକୁ ପଡ଼ିବ। ଓଡ଼ିଶା ସରକାର କରୋନା ମୁକାବିଲା ପାଇଁ ବିଭିନ୍ନ ଅଞ୍ଚଳରେ କୋଭିଡ୍‌ ହସ୍ପିଟାଲ କରିଛନ୍ତି। ୫ଟି ପ୍ଲାଜ୍‌ମା ବ୍ୟାଙ୍କ ସହ ପ୍ଲାଜ୍‌ମା ଥେରାପି ସେବା ରୋଗୀଙ୍କୁ ମିଳୁଛି। ଲକ୍‌ଡାଉନ୍ ସମୟରେ ଅର୍ଥନୈତିକ କାରବାର ଜାରି ରଖିବା ପାଇଁ ଆମେ ପଦକ୍ଷେପ ନେଇଛୁ। କୃଷି କାର୍ଯ୍ୟ, ନିର୍ମାଣ କାର୍ଯ୍ୟ ସହିତ ବିଭିନ୍ନ ନିଯୁକ୍ତି ସୃଷ୍ଟିକାରୀ କାମ ଜାରି ରହିଛି। ଏହି ସମୟରେ ଓଡ଼ିଶାକୁ ୧୨ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି। ଦେଶରେ ଏହି ସମୟ‌େର ହୋଇଥିବା ପୁଞ୍ଜିନିବେଶରୁ ୧୮% ଓଡ଼ିଶାକୁ ହିଁ ଆସିଛି। ମହାରାଷ୍ଟ୍ରକୁ ପଛରେ ପକାଇ ଓଡ଼ିଶା ପୁଞ୍ଜିନିବେଶରେ ଦେଶରେ ଏକ ନମ୍ବର ହୋଇଛି। ୨୦୧୯-୨୦ରେ ଦେଶରେ କୃଷି କ୍ଷେତ୍ରରେ ଅଭିବୃଦ୍ଧି ହାର ୨.୮୦% ପ୍ରତିଶତ ଥିଲା ବେଳେ ଆମ ରାଜ୍ୟରେ କୃଷି କ୍ଷେତ୍ରରେ ଅଭିବୃଦ୍ଧି ହାର ୭.୬୧% ରହିଛି।

କରୋନା ଯୋଦ୍ଧାମାନଙ୍କୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଲେ ଯେ କରୋନା ବିରୋଧରେ ଆମର ଲଢ଼େଇରେ କୋଭିଡ୍‌ ଯୋଦ୍ଧାମାନେ ଯେପରି କାମ କରୁଛନ୍ତି ତାହାର ତୁଳନା ନାହିଁ। ସେମାନଙ୍କ ସେବା ଓ ତ୍ୟାଗ ପାଇଁ ସାରା ଭାରତରେ ଆମ ରାଜ୍ୟରେ ଆରୋଗ୍ୟ ହାର ଭଲ ରହିଛି। ମୃତ୍ୟୁ ହାର ମଧ୍ୟ କମ୍ ରହିଛି। ସେମାନଙ୍କ ତ୍ୟାଗ ଓ ସେବା ପାଇଁ ଓଡ଼ିଆ ଜାତି ସେମାନଙ୍କ ନିକଟରେ ଋଣୀ।

ଲୋକଙ୍କୁ ଆଶା ଓ ସମ୍ଭାବନା ଦେଖାଇ ଶ୍ରୀ ପଟ୍ଟନାୟକ କହିଛନ୍ତିଯେ ଓଡ଼ିଆ ଜାତି ଅନେକ ବିପଦର ସାମ୍ନା କରିଛି। ସାହସର ସହ ମୁକାବିଲା କରି ନୂଆ ଇତିହାସ ଲେଖିଛି। ମୋର ପୂରା ବିଶ୍ବାସ କରୋନା ଶୀଘ୍ର ଦୂର ହେବ। ସ୍କୁଲ୍‌ମାନଙ୍କରେ ପୁଣି ଥରେ ଘଣ୍ଟା ବାଜି ଉଠିବ। ମାନବ ଜାତିର ଜୟଯାତ୍ରା ଆହୁରି ଆଗକୁ ବଢ଼ିବ।

କୋଭିଡ୍‌-୧୯ ମହାମାରୀ ଦୃଷ୍ଟିରୁ ମାତ୍ର ୩ ପ୍ଲାଟୁନ୍ ପୁଲିସ୍‌, ଓଡ୍ରାଫ୍‌, ଓଏସ୍‌ଏପି ସପ୍ତମ ବାଟାଲିଅନ୍ ଓ ଏଏସ୍‌ପି ବାଟାଲିଅନ୍ ସହ ରାଜ୍ୟ ବ୍ରାସ୍‌ ବ୍ୟାଣ୍ଡ୍‌ ସ୍ବାଧୀନତା ଦିବସ ସମାରୋହରେ ସାମିଲ ହୋଇଥିଲେ। ୩୧ ଜଣ କୋଭିଡ୍‌ ଯୋଦ୍ଧାଙ୍କ ସମେତ ମାତ୍ର ୧୦୦ ଜଣ ନିମନ୍ତ୍ରିତ ଅତିଥିଙ୍କ ଉପସ୍ଥିତିରେ ସାମାଜିକ ଦୂରତା ନିୟମ ପାଳନ କରାଯାଇ ସମାରୋହ ଅନୁଷ୍ଠିତ ହୋଇଥିଲା।

ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଗୃହ ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି କେ ପାଣ୍ଡିଆନ୍, ଗୃହ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା, ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା, ଉଚ୍ଚଶିକ୍ଷଶ ବିଭାଗର ପ୍ରମୁଖ ସଚିବ ଶାଶ୍ବତ ମିଶ୍ର, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ପ୍ରମୁଖ ସଚିବ ରଞ୍ଜନା ଚୋପ୍ରା, ରାଜସ୍ବ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ, ସୂଚନା ଓ ଲୋକସମ୍ପର୍କ ବିଭାଗର ସଚିବ ସଞ୍ଜୟ କୁମାର ସିଂହ, ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ଏବଂ ପୁଲିସ୍‌ କମିସନର୍‌ ସୁଧାଂଶୁ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର