ବରପାଲି: ଜନ୍ମପୀଠ ବରପାଲିଠାରେ ସ୍ବଭାବ କବି ଗଙ୍ଗାଧରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ କରାଯାଇଛି। ସନ୍ଧ୍ୟାରେ ସ୍ଥାନୀୟ ଗଙ୍ଗାଧର କଲ୍ୟାଣ ମଣ୍ଡପଠାରେ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଗଙ୍ଗାଧର ମେହେର କ୍ଲବ୍ର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିଲା । ମନ୍ତ୍ରୀ ରୀତା ସାହୁ ଏହାକୁ ଉଦ୍ଘାଟନ କରିଥିଲେ। କ୍ଲବ୍ର ସଭାପତି ଡ. ଘନଶ୍ୟାମ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟଅତିଥି ବରଗଡ଼ ସାଂସଦ ସୁରେଶ ପୂଜାରୀ, ସମ୍ମାନିତ ଅତିଥି ମେଜର ଚିନ୍ତାମଣି ଭାରତୀ, ନଗରପାଳ ଦିନେଶ ଗହୀର ଓ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଡ. ଶୁକମୁନି ମେହେର ଓ ମୁଖ୍ୟବକ୍ତା ଡ. କୃଷ୍ଣକେଶବ ଷଡ଼ଙ୍ଗୀ ଯୋଗ ଦେଇ ଗଂଗାଧର ସାହିତ୍ୟ ଉପରେ ଆଲୋକପାତ କରିଥିଲେ। ସାଂସଦ ଶ୍ରୀ ପୂଜାରୀ ନିଜ ବକ୍ତବ୍ୟରେ ଓଡ଼ିଶାର କବିମାନଙ୍କ ଭିତରେ ଗଙ୍ଗଧର ସର୍ବଶ୍ରେଷ୍ଠ ବୋଲି ବିବେଚନା କରିଥିଲେ। ସେ ରବୀନ୍ଦ୍ରନାଥ ଟେଗୋରଙ୍କ ସହିତ ଗଙ୍ଗଧର ସାହିତ୍ୟକୁ ତୁଳନା କରିଥିଲେ। ତାଙ୍କ ରଚନାରେ ସବୁ ଉପାଦାନ ଥିବା ସେ କହିଥିଲେ। ଡ. ମେହେର ନିଜ ବକ୍ତବ୍ୟରେ କବି ଗଂଗାଧର ମେହେରଙ୍କୁ ଜାତୀୟ କବି ବୋଲି ବିବେଚନା କରିଥିଲେ।
ସମ୍ମାନତ ଅତିଥି ଚିନ୍ତାମଣି ଭାରତୀ କବିଙ୍କୁ ଓଡ଼ିଶାର କାଳିଦାସ ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ। କ୍ଲବ୍ର ସଭ୍ୟ ବିନୋଦାନନ୍ଦ ସାହୁ ସ୍ଵାଗତ ଭାଷଣ, ସମ୍ପାଦକ ଆନନ୍ଦ ମେହେର ଅତିଥି ପରିଚୟ ଓ ସହସମ୍ପାଦକ ବାଲକିଶୋର ଖାଡଙ୍ଗା ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ହରିପ୍ରିୟା ମୁଣ୍ଡ ସ୍ମାରକୀ ଗଙ୍ଗାଧର ସମ୍ମାନରେ ସାହିତ୍ୟିକ ଛାୟାକାନ୍ତ ଷଡ଼ଙ୍ଗୀ ସମ୍ମାନିତ କରାଯାଇଥିଲା। ଲିଟିଲ୍ ଏଞ୍ଜଲେ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ। ସକାଳେ ଗଙ୍ଗାଧର ମେହେର କ୍ଲବ୍ ପକ୍ଷରୁ କ୍ଲବ୍ ପରିସରରେ କବିଙ୍କ ଆଵକ୍ଷ ପ୍ରତିମୂର୍ତ୍ତିରେ ସଭାପତି ଡ. ଘନଶ୍ୟାମ ପାଣିଗ୍ରାହୀ, ସମ୍ପାଦକ ଆନନ୍ଦ ମେହେର, ନରେନ୍ଦ୍ର ହୋତା, ବାଲକିଶୋର୍ ଖାଡ଼ଙ୍ଗା, ହାରଧନ ମେହେର, ଧ୍ରୁବଚରଣ ମେହେର, ଯୁଧିଷ୍ଟିର ମେହେର, ହୃଷୀକେଶ ମେହେର, ସରୋଜ ତ୍ରିପାଠୀ, ଚିତ୍ତରଂଜନ ସାହୁ ଉପସ୍ଥିତ ରହି କବିଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଲିଟିଲ୍ ଏଞ୍ଜଲ୍ସ ପବ୍ଲିକ ସ୍କୁଲ ପକ୍ଷରୁ ଛାତ୍ରଛାତ୍ରୀମାନେ ଶୋଭାଯାତ୍ରାରେ ବାହାରି ବସ୍ଷ୍ଟାଣ୍ଡ ନିକଟସ୍ଥ କବିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। ଭୁଲିଆ ସମାଜ ପକ୍ଷରୁ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରି କବିଙ୍କ ବାସ ଭବନ ଓ ପ୍ରତିମୂର୍ତ୍ତି ସ୍ଥଳୀରେ ପହଂଚିଥିଲା।