ଭୁବନେଶ୍ୱର : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବ ସର୍ବଦା ଓଡ଼ିଶାର ସାମଗ୍ରିକ ବିକାଶ କଥା ଚିନ୍ତା କରୁଥିଲେ। କେବଳ ସେ ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିନଥିଲେ ବରଂ ଜଣେ ଐତିହାସିକ, ସାହିତ୍ୟିକ, ସାମ୍ବାଦିକ, ସମ୍ପାଦକ, ଦକ୍ଷ ପ୍ରଶାସକ ଓ ସଂସ୍କୃତି ସମ୍ପନ୍ନ ବ୍ୟକ୍ତି ଭାବେ ସୁପ୍ରତିଷ୍ଠିତ ଥିଲେ। ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ବମ୍ବେ ପ୍ରଦେଶର ରାଜ୍ୟପାଳ ଭାବେ ସେ ନିଜର କର୍ତ୍ତବ୍ୟ ଯେଉଁଭଳି ଭାବେ ନିଷ୍ଠାର ସହ ତୁଲାଇଥିଲେ ଓ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଝାସଦେଇ ନେତୃତ୍ୱର ପରାକାଷ୍ଠା ପ୍ରଦର୍ଶନ କରିଥିଲେ ତାହା ପ୍ରେରଣାଦାୟୀ। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜୟଦେବ ଭବନରେ ଡ. ହରେକୃଷ୍ଣ ମହତାବଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବର ଅତିଥିମାନେ ଯୋଗଦେଇ ଏଭଳି ମତବ୍ୟକ୍ତ କରିଛନ୍ତି।

Advertisment

ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ରାଜ୍ୟସଭା ସାଂସଦ ସୁଲତା ଦେଓ ଉତ୍କଳ କେଶରୀ ଡ. ମହତାବ ଓଡ଼ିଶାର ଏକ ବହୁମୁଖୀ ଅନୁଷ୍ଠାନ ଥିଲେ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗାଦଇ ଭଣ୍ଡାରିପୋଖରୀର ବିଧାୟକ ପ୍ରଫୁଲ୍ଲ ସାମଲ ଡ. ମହତାବ କୌଣସି କାମ କରିବାକୁ ପଛାଉ ନଥିଲେ ଏବଂ ନିର୍ଭୀକତାର ସହିତ ସମସ୍ତ ପଦବିରେ କାମ କରିଛନ୍ତି ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ଗବେଷକ ଗିରୀଶ ପ୍ରସାଦ ସ୍ୱାଇଁ ମହତାବଙ୍କ କର୍ମମୟ ଜୀବନ ସମ୍ପର୍କରେ ଆଲୋକପାତ କରିବା ସହିତ ମହତାବ କିପରି ମହାତ୍ମା ଗାନ୍ଧୀଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ରାଜନୀତିକୁ ଆସିଥିଲେ ତାହା ବର୍ଣ୍ଣନା କରିଥିଲେ।

ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିବାବେଳେ କ୍ଷେତ୍ର ସହକାରୀ ନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସୂଚନା ଓ ଲୋକସମ୍ପର୍କ ବିଭାଗର ବୈଷୟିକ ନିର୍ଦ୍ଦେଶକ ସୁରେନ୍ଦ୍ର ନାଥ ପରିଡ଼ା ଧନ୍ୟବାଦ ଦେଇଥିଲେ। ଆଚାର୍ଯ୍ୟ ଜଳଧର ପ୍ରଧାନ ଓ ସାଥୀ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ।