ଭଲ ଗାଳ୍ପିକ ହେବା ପାଇଁ ଅଧ୍ୟୟନ, ଅନୁଭୂତି ଓ ଅଭିଜ୍ଞତା ଲୋଡ଼ା

ରାଜ୍ୟସ୍ତରୀୟ ‘କଥା’ କର୍ମଶାଳା

ଭୁବନେଶ୍ବର : ମାଟିରେ ଫୁଟିଥିବା ଘାସ ଫୁଲଠୁ ନେଇ ଆକାଶର ନକ୍ଷତ୍ର ଯାଏଁ କାହାଣୀର ବିଷୟବସ୍ତୁ ବିସ୍ତାରିତ। କେବଳ କାହାଣୀର ବୀଜ ପାଇଗଲେ ଚଳିବ ନାହିଁ। ତାକୁ କୋଉ ପୃଷ୍ଠଭୂମିରେ ତିଆରି କରିବାକୁ ପଡ଼ିବ, କୋଉ ଚରିତ୍ରଙ୍କୁ ନେବାକୁ ପଡ଼ିବ, ତାହା ଗୁରୁତ୍ବପୂର୍ଣ୍ଣ। ନିଜସ୍ବ ଅନୁଭୂତିକୁ ନେଇ ହୁଏତ ଅତି ବେଶିରେ ଗୋଟିଏ କି ଦୁଇଟି ଭଲ କାହାଣୀ ଲେଖା ଯାଇପାରିବ। ମାତ୍ର ଅଧ୍ୟୟନ, ଅନୁଭୂତି ଓ ଅଭିଜ୍ଞତା ନଥାଇ କୌଣସି ଗାଳ୍ପିକ ତା’ର କ୍ଷେତ୍ର ପରିଧିକୁ ବସ୍ତୀର୍ଣ୍ଣ କରିପାରିବ ନାହିଁ। ଏକଥା କହିଛନ୍ତି ବିଶିଷ୍ଟ ଲେଖିକା ପ୍ରଫେସର୍‌ ଅର୍ଚ୍ଚନା ନାୟକ। ଗଳ୍ପ ପତ୍ରିକା ‘କଥା’ ପକ୍ଷରୁ ପାନ୍ଥନିବାସରେ ଆୟୋଜିତ ଦ୍ବିତୀୟ ରାଜ୍ୟସ୍ତରୀୟ ‘କଥା କର୍ମଶାଳା’ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବ ପ୍ରତିଭାମାନଙ୍କୁ ପରାମର୍ଶ ଦେଇ ସେ କହିଲେ ଯେ କବି ଭଳି ଗାଳ୍ପିକ କେବଳ ଅନ୍ତର୍ମୁଖୀ ହେଲେ ଚଳିବ ନାହିଁ। ସେ ଜଗତକୁ ଖୋଲା ଆଖିରେ ଦେଖିବା ଦରକାର। ଲେଖକ ଭିତରେ ଯଦି ବାଉଳାପଣ ନରହେ, ଚରିତ୍ରମାନଙ୍କ ସହ ସେ କନ୍ଦାକନ୍ଦି ନକରେ, ନ ରାଗେ କି ଗଭୀର ଭାବେ ଜଡ଼ିତ ନହୁଏ, ତା’ ହେଲେ ସେ ଗଳ୍ପ ବା ଚରିତ୍ର ସେତିକି ଆତ୍ମିକ ‌ଲାଗିବ ନାହିଁ।

‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି କହିଲେ, ଭାଷା ଓ ଭାବ ସାହିତ୍ୟର ମୂଳପିଣ୍ଡ। କିନ୍ତୁ ଏ ଦୁଇଟି ଏବେ ସଙ୍କଟରେ। ତେଣୁ ଆମ ଜୀବନକୁ ପ୍ରଭାବିତ କରୁଥିବା କାରିଗରୀ କୌଶଳକୁ କିଭଳି ସାହିତ୍ୟର ସେବାରେ ଲଗା ଯାଇ ପାରିବ, ସେ ବାବଦରେ ଆମକୁ ଯତ୍ନବାନ ହେବାକୁ ପଡ଼ିବ। ସେଇଭଳି ଲେଖକ ନିଜର ସ୍ଥିତିକୁ ସୁରକ୍ଷିତ ରଖିବା ପାଇଁ ପାଠକ ପ୍ରତି ସଚେତନ ହେବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୀ ପଟ୍ଟନାୟକ ‘ସମ୍ବାଦ’ର ବାର୍ଷିକ ସଂଖ୍ୟା ସାହିତ୍ୟ ପାଇଁ ଉତ୍ସର୍ଗୀକୃତ ବୋଲି ଉଲ୍ଲେଖ କରିବା ସହ ‘କଥା’ ପତ୍ରିକାର ଯାତ୍ରା ଉପରେ ଆଲୋକପାତ କରିଥିଲେ।

ଏହି ଦୁଇଦିନିଆ କର୍ମଶାଳାରେ ନବପ୍ରତିଭାମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଉପସ୍ଥିତ ଥିବ‌ା ବିଶିଷ୍ଟ ଲେଖକ ରବି ସ୍ବାଇଁ, ସହଦେବ ସାହୁ, ଅରବିନ୍ଦ ରାୟ ଓ ଲେଖିକା ହିରଣ୍ମୟୀ ମିଶ୍ର ଗଳ୍ପର ବିଭିନ୍ନ ଦିଗ ଉପରେ ମାର୍ଗଦର୍ଶନ କରିଥିଲେ। ‌‘କଥା’ର ସମ୍ପାଦକ ଗୌରହରି ଦାସ ଅତିଥି ପରିଚୟ ସହ ଗଳ୍ପ କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ‘କଥା’ର ସହ ସମ୍ପାଦକ କ୍ଷେତ୍ରବାସୀ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

‘କଥା’ ପତ୍ରିକାରେ ଗଳ୍ପ ଲେଖି ପୂର୍ବରୁ ନବପ୍ରତିଭା ପୁରସ୍କାର ଅର୍ଜନ କରିଥିବା ଦୁଃଖବନ୍ଧୁ ବେହେରା, ନବନୀତା ପାଣିଗ୍ରାହୀ, ଅପର୍ଣ୍ଣା ତ୍ରିପାଠୀ, ବନ୍ଦନା ମିଶ୍ର, ଅଂଶୁମାନ ସାହୁ, ସ୍ବାଗତ କୁମାର ପଣ୍ଡା, ଶୁଭାଶିଷ ପଟ୍ଟନାୟକ, ଅନିଲ କୁମାର ପଣ୍ଡା, ଜିତେନ୍ଦ୍ର ସାହୁ, ଦିଲେଶ୍ବର ରଣା, ଅବକାଶ ପ୍ରଧାନ, ଦେବାନାଂପ୍ରିୟ ପ୍ରିୟଦର୍ଶୀ ସାମଲ, ଯୋଗେଶ୍ବର ପଣ୍ଡା, ଜ୍ଞାନରଂଜନ ତ୍ରିପାଠୀ, ରଶ୍ମିରଂଜନ ସାହୁ, ଆଶିଷ କୁମାର ମିଶ୍ର ପ୍ରମୁଖ ୧୬ଜଣ ପ୍ରତିଭା ଏହି କର୍ମଶାଳାରେ ଅଂଶଗ୍ରହଣ କରିଛନ୍ତି। ଏହା ଆସନ୍ତାକାଲି ସନ୍ଧ୍ୟା ୫ଟାରେ ଉଦ୍‌ଯାପିତ ହେବ। ଉଦ୍‌ଯାପନୀ ଉତ୍ସବ‌ରେ ବିଖ୍ୟାତ ଲେଖକ ଶାନ୍ତନୁ କୁମାର ଆଚାର୍ଯ୍ୟ ଯୋଗଦେବେ।

ସମ୍ବନ୍ଧିତ ଖବର