ରାଜ୍ୟସ୍ତରୀୟ କୋଶଲାପୁଞ୍ଜା ଡଙ୍ଗର ମହୋତ୍ସବ: ବଜାଶାଲ ଓ ରୁମକୁଝୁମାନାରେ ଦୁଲୁକିଲା ମଞ୍ଚ

ଭବାନୀପାଟଣା/ମ.ରାମପୁର: କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ଗୌଡ଼ କରଳାଖୁଣ୍ଟାରେ ରାଜ୍ୟସ୍ତରୀୟ କୋଶଲାକୁଞ୍ଜା ଡଙ୍ଗର ମହୋତ୍ସବ ଆୟୋଜିତ ହେଉଛି।  ଦ୍ୱିତୀୟ ଦିନର ସାଂସ୍କୃତିକ କାର୍ଯ୍ୟକ୍ରମରେ ବଜାଶାଲ ଓ ରୁମକୁଝୁମାନାରେ ଦର୍ଶକ ବିଭୋର ହୋଇଥିଲେ। ଏହି ଅବସରରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ସୁଜିତ କୁମାର ମୁଖ୍ୟ ଅତିଥି ଏବଂ ମୁଖ୍ୟବକ୍ତା ଭାବରେ ଥୁଆମୂଳ ରାମପୁର ମହାବିଦ୍ୟାଳୟର ଅଧ୍ୟାପକ ସତ୍ୟ ନାରାୟଣ ମୁଣ୍ଡଛିନା ଯୋଗଦେଇ ରାଜ୍ୟସ୍ତରୀୟ କୁଶୁପୁଞ୍ଜା ଡଙ୍ଗର ମହୋତ୍ସବ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିବା ସହ କଳାହାଣ୍ଡି କଳା ସଂସ୍କୃତିର ଗନ୍ତା ଘର ବୋଲି ବକ୍ତବ୍ୟ ରଖିଥିଲେ। ଆମପାଣି ସାଂସ୍କୃତିକ ଅନୁଷ୍ଠାନର ପ୍ରତିଷ୍ଠାତା ଋତୁରାଜ ମାଝୀ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ।

ଏହି ଅବସରରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ମନୋନୀତ ହୋଇଥିବା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। କଳାହାଣ୍ଡି ଜିଲ୍ଲାର ବରିଷ୍ଠ ସାମ୍ବାଦିକ କମ୍ବୁପାଣି ମିଶ୍ର ଓ ଦେବେନ୍ଦ୍ର ବିଶିଙ୍କୁ ସାମ୍ବାଦିକ ସମ୍ମାନ, ସମାଜସେବୀ ସଚ୍ଚିଦାନନ୍ଦ ମହାଖୁଡ଼ ଓ ମନୋଜ ପଟ୍ଟନାୟକଙ୍କୁ ବିଶିଷ୍ଟ ସମାଜସେବୀ ସମ୍ମାନ, ଯଯାତି ନାୟକ, ଲିପ୍ସା ମହାରଣା, ଶାସ୍ବତ ତ୍ରିପାଠୀ, ଶତ୍ରୁଘ୍ନ ଲୁହାଙ୍କୁ ବିଶିଷ୍ଟ କଣ୍ଠଶିଳ୍ପୀ ସମ୍ମାନ, ସୁବର୍ଣ୍ଣପୁର ଜିଲ୍ଲାର ସାମ୍ବାଦିକ ସତ୍ୟବ୍ରତ ପଧାନ ଓ ସନ୍ତୋଷ କୁମାର ମିଶ୍ରଙ୍କୁ ସାମ୍ବାଦିକ ସମ୍ମାନରେ ସମ୍ମାନିତ କରାଯାଇଥିଲା। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ନିକ୍କୀ ଓ ଗ୍ରୁପଙ୍କ ଦ୍ୱାରା ବଜାଶାଲ ପରିବେଷଣ କରାଯାଇଥିବା ବେଳେ ଶତ୍ରୁଘ୍ନ ଲୁହା ଓ ଶାସ୍ବତ ତ୍ରିପାଠୀଙ୍କ ରୁମକୁ ଝୁମାନା ମେଲୋଡି ଗ୍ରୁପର କଳାକାରଙ୍କ ଦ୍ୱାରା ସୁର ଝଙ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିରଞ୍ଚି ନାରାୟଣ ମୁଣ୍ଡ ମଞ୍ଚ ପରିଚାଳନା କରିଥିଲେ। ଆୟୋଜକ କମିଟି ପକ୍ଷରୁ ଅନନ୍ତ କୁମାର ପାଲ, ଲକ୍ଷ୍ମଣ ସ୍ୱାଇଁ ଓ ସଂକୀର୍ତ୍ତନ ପାଲ ସମେତ କମିଟି କାର୍ଯ୍ୟକର୍ତା ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର