ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବୀମା ପ୍ରିମିୟମ୍‌ ଖର୍ଚ୍ଚ ବହନ କରିବେ ସରକାର

ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍‌ ଦିବସ

ଭୁବନେଶ୍ୱର : ସାମ୍ବାଦିକମାନଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍‌ର ଶତ ପ୍ରତିଶତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର। ଏ ନେଇ ନ୍ୟୁ ଇଣ୍ଡିଆ ଇନ୍‌ସ୍ୟୁରାନ୍ସକୁ ଏକ କୋଟି ୧୫ ଲକ୍ଷ ୨୭ ହଜାର ୮୭୨ ଟଙ୍କା ପ୍ରଦାନ କରାଯିବ ବୋଲି ଜାତୀୟ ପ୍ରେସ୍‌ ଦିବସ ଅବସରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ସୂଚନା ଓ ଲୋକ ସମ୍ପର୍କ, ଗ୍ରାମ୍ୟ ଉନ୍ନୟନ, ସାଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି।

ଲୋକ ସମ୍ପର୍କ ବିଭାଗର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଆରୁଖ କହିଲେ, ସାମ୍ବାଦିକଙ୍କ କଲ୍ୟାଣ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଉଛନ୍ତି। ଓଡ଼ିଶା ରାଜ୍ୟ କର୍ମଜୀବୀ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନା ପୂର୍ବରୁ ରାଜ୍ୟ ସରକାର ବୀମା ପ୍ରିମିୟମ୍‌ର ୭୫ ପ୍ରତିଶତ ଓ କର୍ମଜୀବୀ ସାମ୍ବାଦିକ ୨୫ ପ୍ରତିଶତ ଦେବା ପାଇଁ ସ୍ଥିର ହୋଇଥିଲା। ଅନେକ ସାମ୍ବାଦିକ ବୀମା ପ୍ରିମିୟମ୍‌ର ୨୫ ପ୍ରତିଶତକୁ କମାଇବା ଓ ଆବଶ୍ୟକ ସ୍ଥଳରେ ସମ୍ପୂର୍ଣ୍ଣ ଛାଡ଼ ପାଇଁ ଅନୁରୋଧ କରିଥିଲେ। ତାହାକୁ ବିଚାରକୁ ନେଇ ସମ୍ପୂର୍ଣ୍ଣ ଖର୍ଚ୍ଚ ସରକାର ବହନ କରିବେ ବୋଲି ନିଷ୍ପତ୍ତି ହୋଇଛି। ଜିଲ୍ଲା ଓ ରାଜ୍ୟସ୍ତରରେ ଚିହ୍ନଟ ହୋଇଥିବା ୨୧୩୮ ଜଣ କର୍ମଜୀବୀ ସାମ୍ବାଦିକ ଓ ସେମାନଙ୍କ ପରିବାର(ସର୍ବାଧିକ ୪ ଜଣ) ଏହି ସ୍ୱାସ୍ଥ୍ୟ ବୀମା ଯୋଜନାରେ ଉପକୃତ ହେବେ। କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରଗୁଡ଼ିକ ବିଜ୍ଞାପନ ଦର ପ୍ରତି ବର୍ଗ ସେମି ପିଛା ୪ରୁ ୧୦ ଟଙ୍କା ବୃଦ୍ଧି କରାଯାଇଛି ବୋଲି ସେ କହିଛନ୍ତି। ଚଳିତବର୍ଷ ପ୍ରେସ୍‌ ଦିବସର ପ୍ରସଙ୍ଗ ‘ଗଣମାଧ୍ୟମ ପାଇଁ ଆହ୍ଵାନ’ ଉପରେ ଆଲୋକପାତ କରି ଶ୍ରୀ ଆରୁଖ କହିଲେ ଗଣମାଧ୍ୟମ ହିଁ ଆମ ସାମାଜିକ, ସାଂସ୍କୃତିକ, ଅର୍ଥନୈତିକ, ରାଜନୈତିକ ଧାରାକୁ ଶୁଙ୍ଖଳିତ କରୁଛି। ସୁସ୍ଥ ଗଣତନ୍ତ୍ର, ନୂତନ ସମାଜ ପ୍ରତିଷ୍ଠା, ଲୋକ ଚରିତ୍ର ଓ ନାଗରିକ ସଂସ୍କୃତିକୁ ଉନ୍ନତ କରିବାରେ ଗଣମାଧ୍ୟମ ପ୍ରମୁଖ ଭୂମିକା ତୁଲାଉଛି ବୋଲି କହିଥିଲେ।

ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଗଣମାଧ୍ୟମ ସମ୍ମୁଖୀନ ହେଉଥିବା ଆହ୍ଵାନଗୁଡ଼ିକ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସୂଚନା ଓ ଲୋକ ସମ୍ପର୍କର୍ ବିଭାଗ କମିସନର ସୁରେନ୍ଦ୍ର କୁମାର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ସାମ୍ବାଦିକତା ପ୍ରଥମ ପର୍ଯ୍ୟାୟରେ ଏକ ପ୍ରବୃତ୍ତି ଓ ପରବର୍ତୀ ସମୟରେ ଏକ ବୃତ୍ତିରେ ପରିଣତ ହୋଇଛି ବୋଲି କହିଥିଲେ। ବିଭାଗୀୟ ନିର୍ଦେଶକ ଲକ୍ଷ୍ମୀଧର ମହାନ୍ତି ଧନ୍ୟବାଦ ଦେଇଥିଲେ। ପୂର୍ବରୁ ଅନୁଷ୍ଠିତ ‘ଗଣମାଧ୍ୟମ ପାଇଁ ଆହ୍ଵାନ’ ଶୀର୍ଷକ କଲେଜସ୍ତରୀୟ ଓଡ଼ିଆ ଏବଂ ଇଂରାଜୀ ବକ୍ତତା ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ସୂଚନା ଅଧିକାରୀ ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ପୂର୍ବରୁ ଜୟଦେବ ଭବନ ପରିସରରେ ଏକ ସମ୍ବାଦପତ୍ର ପ୍ରଦର୍ଶନୀକୁୁ ମନ୍ତ୍ରୀ ଶ୍ରୀ ଆରୁଖ ଉଦ୍‌ଘାଟନ କରିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରକାଶିତ ଦୈନିକ, ସାପ୍ତାହିକ, ପାକ୍ଷିକ ଓ ମାସିକ ସମ୍ବାଦପତ୍ର ଏହି ପ୍ରଦର୍ଶନୀରେ ସ୍ଥାନ ପାଇଛି।

ସମ୍ବନ୍ଧିତ ଖବର