ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ: ‘ସବୁ ଜୀବନ ମୂଲ୍ୟବାନ’ ମନ୍ତ୍ର ଦୋହରାଇଲେ ମୁଖ୍ୟମନ୍ତ୍ରୀ

ବିପର୍ଯ୍ୟୟ ମୁକାବିଲାରେ ଗୋଷ୍ଠୀ ଅଂଶଗ୍ରହଣ ଉପରେ ଗୁରୁତ୍ବ

ଭୁବନେଶ୍ବର : ମହାମାରୀର ପ୍ରଭାବ ସତ୍ତ୍ବେ ଓଡିଶା ବିଭିନ୍ନ ବିପର୍ଯ୍ୟୟର ଉତ୍ତମ ମୁକାବିଲା କରି ବିଶ୍ବସ୍ତରରେ ପ୍ରଶଂସାର ପାତ୍ର ହୋଇପାରିଛି । ବିପର୍ଯ୍ୟୟ ପରିଚାଳନା ପାଇଁ ଆମର ନୀତି ହେଉଛି ‘ସବୁ ଜୀବନ ମୂଲ୍ୟବାନ’। ଏହା ସହିତ ସରକାରଙ୍କ ସବୁ ବିଭାଗ ସମନ୍ବିତ ଭାବେ କାମ କରିବାର ଆଭିମୁଖ୍ୟ ନେଇ ଆମର ବିପର୍ଯ୍ୟୟ ପରିଚାଳନା ନୀତି କାର୍ଯ୍ୟକାରୀ କରାଯାଉଛି। ଏହାଦ୍ବାରା ସବୁଠାରୁ ଭଲ ପଦକ୍ଷେପ ନିଆଯାଇ ବିପର୍ଯ୍ୟୟର ପ୍ରଭାବକୁ କମ୍‌ କରାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଆୟୋଜିତ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନାରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି। ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଓଡ଼ିଶା ହେଉଛି ଆମ ଦେଶରେ ସବୁଠାରୁ ବିପର୍ଯ୍ୟୟ ପ୍ରବଣ ରାଜ୍ୟମାନଙ୍କ ମଧ୍ୟରେ ଅନ୍ୟତମ। ବନ୍ୟା, ବାତ୍ୟା, ମରୁଡ଼ି ଆଦି ବିଭିନ୍ନ ପ୍ରକାର ବିପର୍ଯ୍ୟୟ ଆମେ ନିୟମିତ ଭାବରେ ସାମ୍ନା କରିଆସୁଛୁ। ଜଳବାୟୁ ପରିବର୍ତ୍ତନ ଯୋଗୁ ବିପର୍ଯ୍ୟୟର ତୀବ୍ରତା ବଢ଼ିବା ସହିତ ଅଧିକ ସଂଖ୍ୟକ ବିପର୍ଯ୍ୟୟ ଦେଖାଦେଉଛି। ୨୦୨୦-୨୧ରେ ଆମ ରାଜ୍ୟ ବାତ୍ୟା ‘ଅମ୍ଫନ’ ଓ ‘ୟାସ୍‌’ର ସାମ୍ନା କରିଛି। ବାରମ୍ବାର ଆସୁଥିବା ବାତ୍ୟାର ପ୍ରତିରୋଧ ପାଇଁ ସ୍ଥାୟୀ ସୁରକ୍ଷା ବ୍ୟବସ୍ଥା କରିବାକୁ ବହୁ ପରିମାଣର ଅର୍ଥ ବିନିଯୋଗର ଆବଶ୍ୟକତା ରହିଛି। ଆମେ ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଇଛୁ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରଭାବ ଆରମ୍ଭ ହୋଇଗଲାଣି। ଏହି ପରିପ୍ରେକ୍ଷୀରେ ଜୁନ୍‌ରୁ ଅକ୍ଟୋବର ପର୍ଯ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ସମୟ। ଏହି ସମୟରେ ବାତ୍ୟା, ବନ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ଦେଖା ଦେଇପାରେ। ସମ୍ଭାବ୍ୟ ବିପର୍ଯ୍ୟୟକୁ ଆଖି ଆଗରେ ରଖି ଆମର ପ୍ରସ୍ତୁତି ବ୍ୟବସ୍ଥାକୁ ସମୀକ୍ଷା କରି ଯେକୌଣସି ପ୍ରକାର ପରିସ୍ଥିତିର ସାମ୍ନା କରିବାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବାକୁ ପଡ଼ିବ।

ପ୍ରାକ୍‌ ସୂଚନା ବ୍ୟବସ୍ଥା, ଉଦ୍ଧାର ଓ ରିଲିଫ କାର୍ଯ୍ୟକ୍ରମ, ପାନୀୟ ଜଳ ଯୋଗାଣ, ସ୍ବାସ୍ଥ୍ୟ ଓ ପ୍ରାଣୀସେବା ଆଦି ସମସ୍ତ ବ୍ୟବସ୍ଥା ଠିକ୍‌ ଭାବେ ପ୍ରସ୍ତୁତ ରହିବା ଆବଶ୍ୟକ। ଓଡ୍ରାଫ ଓ ଅଗ୍ନିସେବା ୟୁନିଟଗୁଡ଼ିକ ତୁରନ୍ତ ପଦକ୍ଷେପ ନେବା ପାଇଁ ସତର୍କ ହୋଇ ରହିବା ଜରୁରୀ। ବିପଦସଂକୁଳ ଓ ଅଗମ୍ୟ ଅଞ୍ଚଳରେ ଯଥେଷ୍ଟ ପରିମାଣରେ ଖାଦ୍ୟ ପଦାର୍ଥ ଏବଂ ଗୋଖାଦ୍ୟ ମହଜୁଦ କରି ରଖିବା ଜରୁରୀ। ବିପର୍ଯ୍ୟୟ ସମୟରେ ସବୁଜ ଗୋଖାଦ୍ୟର ବ୍ୟବସ୍ଥା କରାଯିବା ଉପରେ ଗୁରୁତ୍ବ ଦେବା ସହିତ ପ୍ରାଣୀସେବା ଶିବିର ଆୟୋଜନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ସବୁ ଜିଲ୍ଲା ଓ ସଂପୃକ୍ତ ବିଭାଗଗୁଡ଼ିକରେ କଣ୍ଟ୍ରୋଲ ରୁମ୍‌ ଗୁଡ଼ିକ ୨୪ ଘଣ୍ଟା ଖୋଲା ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ରିଲିଫ ଓ ଉଦ୍ଧାର କାର୍ଯ୍ୟ ସମୟରେ ଗର୍ଭବତୀ ମହିଳା, ଭିନ୍ନକ୍ଷମ ଓ ମାନସିକ ଅନଗ୍ରସର ବ୍ୟକ୍ତିବିଶେଷ, ଛୋଟ ପିଲା, ବିଧବା ମହିଳା ଓ ବୟୋଜ୍ୟେଷ୍ଠ ଲୋକଙ୍କୁ ସ୍ବତନ୍ତ୍ର ଧ୍ୟାନ ଦେବା ଉପରେ ସେ ଗୁରୁତ୍ବାରୋପ କରିଥିଲେ। ମାନବୀୟ ଦୃଷ୍ଟିକୋଣରୁ ସହାୟତା ପାଇବା ହେଉଛି ବିପର୍ଯ୍ୟୟ ପ୍ରଭାବିତ ଲୋକମାନଙ୍କର ଅଧିକାର। ଏହି ଆଭିମୁଖ୍ୟ ନେଇ ବିପର୍ଯ୍ୟୟ ପ୍ରଭାବିତ ଲୋକମାନଙ୍କୁ ଠିକ୍‌ ସମୟରେ ସହାୟତା ଦେବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ ଯେ ବିପର୍ଯ୍ୟୟ ପରିଚାଳନାରେ ଗୋଷ୍ଠୀ ଅଂଶଗ୍ରହଣ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ସମସ୍ତ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳରେ ଗୋଷ୍ଠୀମାନଙ୍କର ଅଂଶଗ୍ରହଣକୁ ସୁନିଶ୍ଚିତ କରାଯିବାର ଆବଶ୍ୟକତା ରହିଛ। ବିପର୍ଯ୍ୟୟ ପରିଚାଳନା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କର ଶିକ୍ଷା, ସରକାରୀ କର୍ମଚାରୀ ଓ ପ୍ରତିନିଧିଙ୍କ ପ୍ରଶିକ୍ଷଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରକୃତିର ବିଭୀଷିକାର ମୁକାବିଲା ପାଇଁ ଆମର ସମାଜ ସବୁବେଳେ ପ୍ରସ୍ତୁତ ରହିବାକୁ ପଡ଼ିବ।

ଏହି ଆଲୋଚନାରେ ସାଂସଦ ଚନ୍ଦ୍ରଶେଖର ସାହୁ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ବିଜେଡି ବିଧାୟକ ପ୍ରତାପ କେଶରୀ ଦେବ ଓ ଅନନ୍ତ ଦାସ ପ୍ରମୁଖ ଭାଗ ନେଇ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ମତାମତ ଦେଇଥିଲେ। ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ତାଙ୍କର ପ୍ରାରମ୍ଭିକ ଭାଷଣରେ ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ସ୍ବତନ୍ତ୍ର ରିଲିଫ କମିସନର ପି. କେ. ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ବୈଠକରେ ମନ୍ତ୍ରୀମଣ୍ଡଳର ସଦସ୍ୟଗଣ, ବିଧାୟକ, ମୁଖ୍ୟ ଶାସନ ସଚିବ, ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର