ଭୁବନେଶ୍ୱର : ଗାନ୍ଧୀଜୀଙ୍କ ନୀତି ଓଡ଼ିଶା ଶାସନର ମୂଳମନ୍ତ୍ର। ସବୁଠାରୁ ଗରିବ ଲୋକକୁ ସେବା ଯୋଗାଇ ଦେବାକୁ ସରକାର ପ୍ରାଥମିକତା ଦେଉଛନ୍ତି। ୫-ଟି ଗଭର୍ଣ୍ଣାନ୍ସ ମଡେଲ ସାରା ଦେଶରେ ଆଦର୍ଶ ସୃଷ୍ଟି କରିଛି ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ଓଡ଼ିଆ, ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ସଂଧ୍ୟାରେ ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଏହି ସମାରୋହକୁ ଭର୍ଚ୍ଚୁଆଲ୍ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ, ‘ଓଡ଼ିଶା ଆମର ମା’। ଆମ ଓଡ଼ିଆ ଜାତି ହେଉଛି ଗୋଟିଏ ବିରାଟ ପରିବାର। ନିଜ ପରିବାରର ଉନ୍ନତି ପରି, ଓଡ଼ିଆ ଜାତିର ଉନ୍ନତି ପାଇଁ ସମସ୍ତେ ମିଶି ଉଦ୍ୟମ କଲେ ନୂଆ ଓଡ଼ିଶାର ସ୍ୱପ୍ନ ପୂରଣ ହୋଇପାରିବ। ୧୪ ବର୍ଷ ପରେ ଓଡ଼ିଶା ଶହେ ବର୍ଷ ପୂରଣ କରିବ। ୨୦୩୬ରେ ଓଡ଼ିଶା ଶ୍ରେଷ୍ଠ ରାଜ୍ୟ ଭାବରେ ସାରାଦେଶକୁ ମାର୍ଗ ଦର୍ଶନ କରିବ ବୋଲି ସେ କହିଥିଲେ। ଏହି ଅବସରରେ ସେ ଓଡ଼ିଶାବାସୀଙ୍କୁ ଉତ୍କଳ ଦିବସର ଶୁଭେଚ୍ଛା ଜଣାଇବା ସହ ଓଡ଼ିଶା ଭାଷା ଭିତ୍ତିକ ସ୍ବତନ୍ତ୍ର ପ୍ରଦେଶ ଗଠନରେ ମହାପୁରୁଷମାନଙ୍କର ଅବଦାନକୁ ସ୍ମରଣ କରିଥିଲେ।
ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର (ଉତ୍ତର) ବିଧାୟକ ସୁଶାନ୍ତ କୁମାର ରାଉତ, ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁୟର୍ ସଂପାଦକ ଡ. ଲେନିନ୍ ମହାନ୍ତି ପ୍ରମୁଖ ଓଡ଼ିଶାର ଗରିମାମୟ ଐତିହ୍ୟ ସଂପର୍କରେ ବକ୍ତବ୍ୟ ରଖିଥିଲେ। ପୂର୍ବରୁ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ପଠନପୂର୍ବକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଶେଷରେ ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଧନ୍ୟବାଦ ଦେଇଥିଲେ। ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁୟର୍ ସ୍ୱତନ୍ତ୍ର ସଂଖ୍ୟାର ଉନ୍ମୋଚନ ସହ ‘ଆମେ ଓଡ଼ିଆ’ ସ୍ମାରକୀ ଗ୍ରନ୍ଥର ନବମ ଭାଗକୁ ଅତିଥିମାନେ ଲୋକାର୍ପିତ କରିଥିଲେ। ସମସ୍ତ ଜିଲ୍ଲାରୁ ବିଦ୍ୟାଳୟସ୍ତରୀୟ ଓଡ଼ିଆ ବକ୍ତୃତା ପ୍ରତିଯୋଗିତାରେ ଚୟନ ହୋଇ ଆସିଥିବା ଶ୍ରେଷ୍ଠ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଚିକିତ୍ସାସେବା କ୍ଷେତ୍ରରେ ଦଶଜଣ କୋଭିଡ୍ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଉତ୍ସବ ପ୍ରାରମ୍ଭରେ ଉତ୍କଳ ଜନନୀଙ୍କୁ ପୁଷ୍ପଗୁଚ୍ଛ ଅର୍ପଣ ଓ ପ୍ରଦୀପ ପ୍ରଜ୍ୱଳନପୂର୍ବକ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ ହୋଇଥିଲା ଏବଂ ପୁଲିସବ୍ୟାଣ୍ଡ୍ ଓଡ଼ିଆ ଦେଶାତ୍ମବୋଧକ ସଂଗୀତ ଧୂନ୍ ପରିବେଷଣ କରିଥିଲେ। ପରେ ଓଡ଼ିଶା ସଂଗୀତ ନାଟକ ଏକାଡେମି ତରଫରୁ ସ୍ୱନାମଧନ୍ୟ କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ଦେଶାତ୍ମବୋଧକ ସଂଗୀତ ପରିବେଷଣ, ଓଡ଼ିଶୀ ନୃତ୍ୟ ଓ ସମ୍ବଲପୁରୀ ଲୋକନୃତ୍ୟ ପରିବେଷିତ ହୋଇଥିଲା। ସୂଚନା ଓ ଲୋକସଂପର୍କ ବିଭାଗର ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ପୂର୍ବାହ୍ନରେ ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ବାଲୁକା ସ୍ଥପତି ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ପ୍ରଦର୍ଶିତ ବାଲୁକା କଳାକୃତି ଏବଂ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ସଂପର୍କିତ ଫଟୋଚିତ୍ର ପ୍ରଦର୍ଶନୀକୁ ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଉଦ୍ଘାଟନ କରିଥିଲେ।