ରାଜ୍ୟସ୍ତରୀୟ ଅନ୍‌ଲାଇନ୍ ବାଣିଜ୍ୟ କୁଇଜ୍‌ ପ୍ରତିଯୋଗିତା

+୨ ବାଣିଜ୍ୟରୁ ୧୯୦୦ ଜଣ ଓ +୩ ବାଣିଜ୍ୟରୁ ୩୧୦୦ ଜଣ ଛାତ୍ରଛାତ୍ରୀ ଭାଗନେଲେ

ଭୁବନେଶ୍ବର : ଦି କଷ୍ଟ ଆକାଉଣ୍ଟସ୍‌ ଅଫ ଇଣ୍ଡିଆ, ଭୁବନେଶ୍ୱର ଚାପ୍ଟର ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଯୁକ୍ତ ୨ ଓ ଯୁକ୍ତ ୩ ବାଣିଜ୍ୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ଅନ୍‌ଲାଇନ୍‌ ବାଣିଜ୍ୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାର ପୁରସ୍କାର ବିତରଣୀ ଉତ୍ସବ ସିଏମ୍‌ଏ ପକ୍ଷରୁ ଅନ୍‌ଲାଇନ୍‌ରେ ଅନୁଷ୍ଠିତ ହୋଇଥିଲା।

ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ରାଜ୍ୟସଭା ସାଂସଦ ସୁଜିତ କୁମାର, ସ୍ୱତନ୍ତ୍ର ଅତିଥି ଭାବେ କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ସଂଜୟ ଶତପଥୀ, ସମ୍ମାନିତ ଅତିଥି ଓଏଚ୍‌ପିସିର ଅର୍ଥ ନିର୍ଦ୍ଦେଶକ ପ୍ରଭାକର ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। ଅତିଥିମାନେ ଉଭୟ ଯୁକ୍ତ ୨ ଓ ଯୁକ୍ତ ୩ର ୫୦ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇଥିଲେ। ଯୁକ୍ତ ୨ ଓ ଯୁକ୍ତ ୩ର ପ୍ରଥମ କୃତୀ ପ୍ରତିଯୋଗୀଙ୍କୁ ୧୦ ହଜାର ଟଙ୍କା, ଦ୍ବିତୀୟ ୫ହଜାର ଟଙ୍କା ଓ ତୃତୀୟ ୪ହଜାର ଟଙ୍କା ନଗଦ ରାଶି ଓ ମାନପତ୍ର ପ୍ରଦାନ କରାଯାଇଥିଲା। ଏନେଇ ଅଧ୍ୟକ୍ଷ ମୁକେଶ ଚୌବେ ଅନ୍‌ଲାଇନ୍‌ରେ ସୂଚନା ଦେଇଥିଲେ। ସେହିଭଳି ଉଭୟ ଶ୍ରେଣୀର ପରବର୍ତ୍ତୀ ୭ଜଣ କୃତୀ ପ୍ରତିଯୋଗୀଙ୍କୁ ୧ ହଜାର ଟଙ୍କା ଓ ମାନପତ୍ର ଦିଆଯାଇଥିଲା। ଉଭୟ ଶ୍ରେଣୀର ଅନ୍ୟ କୃତୀ ୪୦ ଜଣ ଛାତ୍ରଛାତ୍ରୀଙ୍କୁ ସ୍ୱଳ୍ପ ଅର୍ଥରାଶି ସହ ମାନପତ୍ର ପ୍ରଦାନ କରାଯାଇଥିଲା।

ଯୁକ୍ତ୨ ବାଣିଜ୍ୟରୁ ପ୍ରାୟ ୧୯୦୦ ଜଣ ଓ ଯୁକ୍ତ ୩ ବାଣିଜ୍ୟରୁ  ପ୍ରାୟ ୩୧୦୦ ଜଣ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଭାଗ ନେଇଥିଲେ। କାର୍ଯ୍ୟକ୍ରମରେ ଭୁବନେଶ୍ୱର ଚାପ୍ଟରର ପୂର୍ବତନ ଅଧ୍ୟକ୍ଷ ଦାମୋଦର ମିଶ୍ର ଯୁକ୍ତ ୩ ଶ୍ରେଣୀର ବିଜେତା ପ୍ରତିଯୋଗୀଙ୍କ ନାମ ଘୋଷଣା କରିଥିଲେ, ଯୁକ୍ତ ୨ ଶ୍ରେଣୀ ପାଇଁ ପୂର୍ବତନ ଅଧ୍ୟକ୍ଷ ଶକ୍ତିଧର ସିଂହ ନାମ ଘୋଷଣା କରିଥିଲେ। ଅଧ୍ୟକ୍ଷ ଚୌବେ ସ୍ୱାଗତ ଭାଷଣ ଦେଇ ବିଜେତା ପ୍ରତିଯୋଗୀଙ୍କ ପାଖକୁ ଡାକ ମାଧ୍ୟମରେ ମାନପତ୍ର ପଠାଯିବା ସହିତ କୃତୀ ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟକୁ ଅର୍ଥରାଶି ପଠାଯିବ ବୋଲି କହିଥିଲେ। ଶେଷରେ ସମ୍ପାଦକ ଅଜୟ ସାମଲ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର