ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ପ୍ରଧାନ ମହାଲେଖାକାର ତଥା ହିସାବ ନିୟନ୍ତ୍ରକଙ୍କ ସମ୍ମିଳିତ ଉଦ୍ୟମ ଓ ସହାୟତାରେ ଭୁବନେଶ୍ବରସ୍ଥିତ ଜୟଦେବ ଭବନ ପରିସରସ୍ଥ ‘ଗୀତଗୋବିନ୍ଦ ସଦନ’ ଠାରେ ଆସନ୍ତା ୨୩ତାରିଖରେ ଏକ ରାଜ୍ୟସ୍ତରୀୟ ପେନସନ୍ ଅଦାଲତ ଅନୁଷ୍ଠିତ ହେବ।
ଏହି ଅବସରରେ ଓଡ଼ିଶାର ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କର ଦୀର୍ଘ ବର୍ଷ ଧରି ପଡ଼ି ରହିଥିବା ଅବସରକାଳୀନ ପ୍ରାପ୍ୟର ଶୀଘ୍ର ସମାଧାନ ପାଇଁ ହେଲ୍ପ ଡେସ୍କ ସେହିଦିନ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଗୀତଗୋବିନ୍ଦ ସଦନ ଠାରେ ଖୋଲା ରହିବ। ଯେକୌଣସି ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଉପସ୍ଥିତ ରହି ସେମାନଙ୍କର ନିର୍ଦ୍ଦିଷ୍ଟ ଅଭିଯୋଗ ଏହି ହେଲ୍ପ ଡେସ୍କରେ ଲିଖିତ ଭାବେ ଦାଖଲ କରିପାରିବେ। ଏତଦ୍ବ୍ୟତୀତ ପେନସନ୍ ସମ୍ପର୍କୀୟ ଅଭିଯୋଗ ସାଧାରଣ ଅଭିଯୋଗ ନିର୍ଦ୍ଦେଶକ କିମ୍ବା ଲୋକସେବା ଭବନସ୍ଥିତ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ଶାସନ ସଚିବଙ୍କ ନିକଟରେ ବ୍ୟକ୍ତିଗତ ଭାବେ ଦାଖଲ କରିପାରିବେ କିମ୍ବା ଡାକ ଯୋଗେ ପ୍ରେରଣ କରିପାରିବେ। ପର୍ଯ୍ୟାୟକ୍ରମେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମଧ୍ୟ ଜିଲ୍ଲାସ୍ତରୀୟ ପେନସନ୍ ଅଦାଲତ ସରକାରଙ୍କର ପୂର୍ବାନୁମୋଦିତ କାର୍ଯ୍ୟସୂଚୀ ଅନୁଯାୟୀ ଆଗାମୀ ଦିନଗୁଡ଼ିକରେ ଅନୁଷ୍ଠିତ ହେବ ଏବଂ ସର୍ବସାଧାରଣଙ୍କର ପେନସନ୍ ଅଭିଯୋଗର ଶୁଣାଣି ହେବ।
ପ୍ରଧାନ ମହାଲେଖାକାରଙ୍କ କାର୍ଯ୍ୟାଳୟରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଚୂଡ଼ାନ୍ତ ଏନ୍ଡିସି ଆସିନଥିବା ଯୋଗୁଁ କେତେକ ଗ୍ରାଚ୍ୟୁଇଟି କେସ୍ର ଫଇସଲା ହୋଇପାରିବ ନାହିଁ। ତେଣୁ ଚୂଡ଼ାନ୍ତ ଏନ୍ଡିସି ପଠାଇବାକୁ ସଂପୃକ୍ତ କାର୍ଯ୍ୟାଳୟ ତଥା ସଂପୃକ୍ତ ପେନସନ୍ରମାନେ ଯତ୍ନବାନ ହେବା ପାଇଁ ସାଧାରଣ ଅଭିଯୋଗ ବିଭାଗ ନିର୍ଦ୍ଦେଶକଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/court-3.jpg)