ଦେଶରେ ବାଳ ଅପରାଧ ବୃଦ୍ଧି ଚିନ୍ତାଜନକ: ଜଷ୍ଟିସ୍‌ ଦୀପକ ମିଶ୍ର

ଜୁଭେନାଇଲ୍‌ ଜଷ୍ଟିସ୍‌ ଉପରେ ରାଜ୍ୟସ୍ତରୀୟ ଆଲୋଚନାଚକ୍ର

କଟକ : ଦେଶରେ ବାଳ ଅପରାଧ ବୃଦ୍ଧି ଚିନ୍ତାଜନକ ପାଲଟିଛି। କିଶୋର ବୟସରେ ଅନେକ ନିଶାସକ୍ତ ହୋଇ ଅପରାଧ ଘଟାଉଛନ୍ତି। ଏହି ପ୍ରକାର ଅପରାଧ ଦିନକୁ ଦିନକୁ ବୃଦ୍ଧି ପାଉଥିବାବେଳେ ସେମାନଙ୍କୁ ମୁଖ୍ୟସୋତ୍ରରେ ସାମିଲ କରିବା ଅପରିହାର୍ଯର୍୍ୟ ହୋଇପଡିଛି । ଏଭଳି ପିଲାଙ୍କ ପାଇଁ ଥଇଥାନ ଓ କର୍ମନିଯୁକ୍ତିର ଆବଶ୍ୟକତା ରହିଛି। କଟକସ୍ଥିତ ଓଡ଼ିଶା ଜୁଡିସିଆଲ ଏକାଡେମି ପରିସରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଆଲୋଚନାଚକ୍ରରେ ଏପରି ମତବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର। ଓଡ଼ିଶା ହାଇକୋର୍ଟ ଜୁଭେନାଇଲ ଜଷ୍ଟିସ କମିଟି ଓ ରାଜ୍ୟ ସରକାରଙ୍କ ମହିଳା, ଶିଶୁ ବିକାଶ ବିଭାଗ ପକ୍ଷରୁ ଆୟୋଜିତ ‘କିଶୋର ନ୍ୟାୟ( ବିବାଦାସ୍ପଦ ବିଷୟ ଏବଂ ଆହ୍ଵାନ)’ ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜଷ୍ଟିସ ମିଶ୍ର ଏପରି ମତପୋଷଣ କରିବା ସହ ଏ ନେଇ ସରକାର ଉଦ୍ୟମ କରିବାକୁ ଆହ୍ଵାନ ଦେଇଛନ୍ତିା

ଏହି ପ୍ରସଙ୍ଗରେ ଜଷ୍ଟିସ ମିଶ୍ର କହିଛନ୍ତି ଯେ, ନିଯୁକ୍ତି ଦିଆଗଲେ, ସେମାନଙ୍କର ଆତ୍ମବିଶ୍ୱାସ ବଢିବା ସହ ବାଳଅପରାଧୀମାନେ ଆଉ ଅପରାଧ ଜଗତରେ ପାଦ ଥାପିବେନି। ତେଣୁ ଏ ଦିଗରେ ସରକାରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛିା କିଶୋରମାନେ ଅପରାଧ ଘଟାଇବା ପଛରେ ଅନେକ କାରଣ ଥିବାବେଳେ ଦାରିଦ୍ର୍ୟ ଏବଂ ମନୋବୈଜ୍ଞାନିକ କାରଣ ଏଥିଲାଗି ମୁଖ୍ୟତଃ ଦାୟୀ ବୋଲି ଜଷ୍ଟିସ ମିଶ୍ର କହିଛନ୍ତି। ସେହିପରି କିଛି ଲୋକ କିଶୋରମାନଙ୍କୁ ଅପରାଧ କାର୍ଯ୍ୟରେ ନିୟୋଜିତ କରୁଥିବାବେଳେ ସେମାନଙ୍କ ବିରୋଧରେ କଡ଼ା ପଦକ୍ଷେପ ନିଆଯିବା ଆବଶ୍ୟକ ବୋଲି ଜଷ୍ଟିସ ମିଶ୍ର କହିଛନ୍ତି। ଯେଉଁମାନେ ବାଳ ଅପରାଧିଙ୍କୁ ବ୍ୟବହାର କରୁଛନ୍ତି ସେମାନଙ୍କ ବିରୋଧରେ ରାଜ୍ୟସରକାର ଓ ବେସରକାରୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ(ଏନ୍‌ଜିଓ)ଗୁଡିକ ଧ୍ୟାନ ଦେବା ଆବଶ୍ୟକ। କିଶୋରମାନେ ନିଜକୁ ଅନେକ ସମୟରେ ସମାଜ,ଶିକ୍ଷକ ତଥା ଅଭିଭାବକମାନଙ୍କ ଦ୍ୱାରା ଅବହେଳିତ ବୋଲି ଭାବିଥାନ୍ତି। ଏପରି ପରିସ୍ଥିତିରେ ସେମାନେ ବିପଥଗାମୀ ହୋଇଥାନ୍ତି। ତେଣୁ ସେମାନଙ୍କୁ କେବଳ ସୁଧାର ଗୃହରେ ନ ରଖି ସରକାର ସ୍ୱତନ୍ତ୍ର ନିଶା ନିବାରଣ କେନ୍ଦ୍ର ଖୋଲିବା ସହ ନିଶାମୁକ୍ତ କରିବା ଦିଗରେ କାର୍ଯ୍ୟକ୍ରମ କରିବା ଉଚିତ ବୋଲି ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଆଲୋଚନାଚକ୍ରରେ ମତପୋଷଣ କରିଛନ୍ତିା

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟର ମୁଖ୍ୟବିଚାରପତି ଜଷ୍ଟିସ ବିନୀତ ଶରଣ ଯୋଗଦେଇ କହିଲେ ଯେ,କିଶୋର ନ୍ୟାୟ ପାଇଁ ବିଭିନ୍ନସ୍ତରରେ କମିଟି ଗଠିତ ହୋଇଛି। ତେଣୁକିଶୋର ନ୍ୟାୟ ଆଇନକୁ ପାଳନ କରିବା ସହ ବାଳ ଅପରାଧିମାନଙ୍କୁ ଥଇଥାନ କରିବା ଦିଗରେ ଧ୍ୟାନ ଦିଆଯିବା ଆବଶ୍ୟକ ବୋଲି ମୁଖ୍ୟବିଚାରପତି ଜଷ୍ଟିସ ଶରନ କହିଥିଲେ। ହାଇକୋର୍ଟ ବିଚାରପତି ତଥା ଜୁଭେନାଇଲ ଜଷ୍ଟିସ କମିଟି ଅଧ୍ୟକ୍ଷା କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ହାଇକୋର୍ଟ ବିଚାରପତି ତଥା ଜୁଭେନାଇଲ ଜଷ୍ଟିସ କମିଟି ସଦସ୍ୟ ଜଷ୍ଟିସ ଏସ କେ ମିଶ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଆଲୋଚନାଚକ୍ରରେ ହାଇକୋର୍ଟର ବିଚାରପତି ଜଷ୍ଟିସ ଏସ.ଏନ.ପ୍ରସାଦ, ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥ, ବିଚାରପତି ଡକ୍ଟର ଜଷ୍ଟିସ ଡି.ପି.ଚୌଧୁରୀ, ବିଚାରପତି ଜଷ୍ଟିସ ଜେ.ପି.ଦାସଙ୍କ ସହ ଅନ୍ୟବିଚାରପତିଗଣ, ହାଇକୋର୍ଟ ରେଜିଷ୍ଟ୍ରାର,ଜୁଡିସିଆଲ ଏକାଡେମୀ ନିର୍ଦ୍ଦେଶକ ହାଇକୋର୍ଟ ବାର ଆସୋସିଏସନ ସଭାପତି ଶ୍ରୀକାନ୍ତ ନାୟକ,ସମ୍ପାଦକ ସତ୍ୟବ୍ରତ ମହାନ୍ତିଙ୍କ ସହ ବହୁ ବରିଷ୍ଠ ଆଇନଜୀବୀ ଏବଂ ରାଜ୍ୟ ସରକାରଙ୍କ ମହିଳା, ଶିଶୁ ବିକାଶ ବିଭାଗର ବରିଷ୍ଠ ପଦାଧିକାରୀମାନେ ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର