ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର : ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ରବିବାର ପ୍ରବଳ ଉତ୍ସାହ ଉଦ୍ଦୀପନା ମଧ୍ୟରେ ପାଳିତ ହୋଇଯାଇଛି। ମହାତ୍ମାଗାନ୍ଧୀ ମାର୍ଗରେ ଅନୁଷ୍ଠିତ ସ୍ବତନ୍ତ୍ର ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟଅତିଥି ଭାବ‌େ ଯୋଗଦେଇ ମିଳିତ ପରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ। ସମ୍ମାନିତ ଅତିଥି ଭାବ‌େ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଥିଲେ। ସକାଳ ୮ଟା ୩୦ ମିନିଟ୍‌ ବେଳେ ଜାତୀୟ ପତାକା ଉତ୍ତୋଳନ ହେବା ପରେ ମିଳିତ ପରେଡ୍‌ ଆରମ୍ଭ ହୋଇଥିଲା। ଏଥିରେ କମିସନରେଟ୍‌ ପୁଲିସ, ୧୨୦ ବାଟାଲିୟନ୍‌, ସିଆର୍‌ପି, ଆର୍‌ପିଏଫ୍‌, ରାଜ୍ୟ ପୁଲିସର ଆଇଆର୍‌ ବାଟାଲିୟନ୍‌, ଓଏସ୍‌ଏପି, ସ୍ବତନ୍ତ୍ର ସୁରକ୍ଷା ବାଟାଲିୟନ, ଏସ୍‌ଓଜି, ବ୍ରାସ୍‌ବ୍ୟାଣ୍ଡ, ଓଏସ୍‌ଏଏଫ୍‌, ଓଆଇଏସ୍‌ଏଫ୍‌, ଏପିଆର, ଟ୍ରାଫିକ୍‌ ପୁଲିସ (ମହିଳା), ଅଗ୍ନିଶମ, ଓଡ୍ରାଫ୍‌, ହୋମ୍‌ଗାର୍ଡ, ସିଭିଲ୍‌ ଡିଫେନ୍ସ, ଏନ୍‌ସିସି, ସୈନିକ ସ୍କୁଲ ଏଭଳି ୪୮ଟି ଟ୍ରୁପ୍‌ ଅଂଶ ଗ୍ରହଣ କରିଥିଲେ। ଏହାଛଡ଼ା ୨ଟି ସଂସ୍ଥା ଡେୟାର ଡେଭିଲ୍‌ ସୋ’ ପ୍ରଦର୍ଶନ କରି ମନ ମୋହିଥିଲେ। ସେହିଭଳି ସ୍କେଟିଂ, ଗୋଟିପୁଅ, ଯୋଡ଼ି ଶଙ୍ଖ, ସମ୍ବଲପୁରୀ, ବଣ୍ଡା ନୃତ୍ୟ ମଧ୍ୟ ବେଶ୍‌ ଆକର୍ଷଣୀୟ ହୋଇଥିଲା। ୧୧ଟି ସରକାରୀ ବିଭାଗର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହୋଇଥିଲା। ବହୁ ସଂଖ୍ୟକ ଜନସାଧାରଣ ଉପସ୍ଥିତ ରହି ସମାରୋହକୁ ଉପଭୋଗ କରିଥିଲେ।
ସନ୍ଧ୍ୟାରେ ଲୋକସେବା ଭବନରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପୁଲିସ ଅଧିକାରୀମାନଙ୍କୁ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ। ଅତିରିକ୍ତ ଡିସିପି ପ୍ରମୋଦ କୁମାର ରଥ ଓ ଭିଜିଲାନ୍ସ ଏଏସ୍‌ଆଇ ଶିବ ନାରାୟଣ ରଥଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ପ୍ରଦାନ କରାଯା‌ଇ ଥିଲା। ୧୪ ଜଣଙ୍କୁ ରାଜ୍ୟପାଳ ମେଡାଲ ମିଳିଥିବା ବେଳେ ୧୧ ଜଣ ପୁଲିସ ଅଧିକାରୀଙ୍କୁ ଗୁଣବନ୍ତ ସେବା ପାଇଁ ପଦକ ମିଳିଥିଲା। ରାଜ୍ୟର ବିଭିନ୍ନ ଅଂଚଳରୁ ୨୩ ଜଣଙ୍କୁ ସାହସିକତା ପୁରସ୍କାର ସ୍ବରୂପ ପଦକ ପ୍ରଦାନ କରାଯାଇଥିଲା। ରାଜ୍ୟପାଳ ଏହି ପଦକ ପ୍ରଦାନ କରିଥିବା ବେ‌େଳ‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ସଚିବ ଅସିତ ତ୍ରିପାଠୀ, ପୁଲିସ ଡିଜି ଶ୍ରୀ ଅଭୟ, ଗୃହ ସଚିବ ସଞ୍ଜୀବ ଚୋପ୍ରା, ଅଗ୍ନିଶମ ଡିଜି ସୁନୀଲ ରଏ, କାରାଗାର ଡିଜି ସନ୍ତୋଷ ଉପାଧ୍ୟାୟ ପ୍ରମୁଖ ଉପସ୍ଥିତ ଥିଲେ।

ସନ୍ଧ୍ୟାରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜୟଦେବ ଭବନ ପରିସରରେ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରାଯାଇଥିଲା। ଆର୍ଯ୍ୟଭୂମି ମାତୃଭୂମି, ମିଶୁ ମୋର ଦେହ ଏ ଦେଶ ମାଟିରେ, ଏ ମେରେ ୱତନ କି ଲୋଗୋଁ, ମା’ ତୁଝେ ସଲାମ୍‌ ଭଳି ଲୋକପ୍ରିୟ ଗୀତ ଲକ୍ଷ୍ମୀକାନ୍ତ ପାଲିତ ଓ ସାଥୀମାନେ ପରିବେଷଣ କରିଥିଲେ। ସୂଚନା ଓ ଲୋକ ସମ୍ପର୍କ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର, ନିର୍ଦ୍ଦେଶକ(ବୈଷୟିକ) ନିରଞ୍ଜନ ସେଠୀ, ଯୁଗ୍ମ ନିର୍ଦ୍ଦେଶକ ବିପିନ ବିହାରୀ ବାରିକୀ, ଉତ୍କଳ ପ୍ରସଙ୍ଗ ସମ୍ପାଦକ ଡ. ଲେନିନ୍‌ ମହାନ୍ତି ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର