ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ବ୍ଲକସ୍ତରୀୟ ସମ୍ପର୍କ ଶିବିର ଅନୁଷ୍ଠିତ

ଘୁ.ଉଦୟଗିରି : ଅନୁସୂଚିତ ଜନଜାତି ଏବଂ ଅନୁସୂଚିତଜାତି ଉନ୍ନୟନ ବିଭାଗ ପକ୍ଷରୁ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ବାଲିଗୁଡା ପକ୍ଷରୁ ଆଜି ସ୍ଥାନୀୟ ହବାକ ହାଇସ୍କୁଲ ଖେଳପଡ଼ିଆ ଠାରେ ବ୍ଲକସ୍ତରୀୟ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷା ଶ୍ରୀମତି ଦୀପ୍ତିରେଖା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ବାଲିଗୁଡା ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ରାଜେନ୍ଦ୍ର କୁମାର ରଣଜିତଙ୍କ ଅଧକ୍ଷତାରେ ଅନୁଷ୍ଠିତ ଶିବିରରେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ବିଡିଓ ଶାନ୍ତନୁ କୁମାର ନାୟକ,ବ୍ଲକ ଉପାଧ୍ୟକ୍ଷ ହୃଦାନନ୍ଦ କଂହର, ଜିଲ୍ଲା ପରିଷଦ ସଦସ୍ୟ ଅମରକାନ୍ତ ନାୟକ, ସ୍ଥାନୀୟ ଏବିଇଓ ବାଣୀ ଚରଣ ରଥ,ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ସ୍ୱତନ୍ତ୍ର ଅଧିକାରୀ ଦୟାନିଧି ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ବ୍ଲକସ୍ତରୀୟ ସମ୍ପର୍କ ଶିବିରରେ ରିଷିଗୁଡା ଗ୍ରାମର ମା ଲେରେଣ୍ଡା ନୃତ୍ୟ ଦଳ ନିଜ ନୃତ୍ୟ ପରିବେଷଣ କରିଥିଲେ। ପ୍ରକଳ୍ପ ପ୍ରଶାସକ ସ୍ୱାଗତ ଭାଷଣ ଓ ଏହି ସମ୍ପର୍କ ମେଳାର ଉଦେଶ୍ୟ ଉପରେ ନିଜ ବକ୍ତବ୍ୟ ରଖିଥିଲେ। ମୋ ସରକାର କାର୍ଯ୍ୟକ୍ରମ ମାଧ୍ୟମରେ ଅନୁସୂଚିତ ଜନଜାତି ଓ ଅନୁସୂଚୀତଜାତି ବର୍ଗର ସାମଗ୍ରୀକ ବିକାଶ ନିମିତ୍ତ ରାଜ୍ୟ ସରକାର ବିଭିନ୍ନ ଉନ୍ନୟନ ମୂଳକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ସବୁ ଯୋଜନାର ସଫଳ ରୂପାୟନ ତଥା ସମସ୍ତ ନାଗରିକଙ୍କୁ ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଇବା ସହ ପ୍ରଶାସନ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ କରି ଯୋଜନା ଗୁଡିକର ସଫଳ ରୂପାୟନ କରିବା ନିମନ୍ତେ ବ୍ଲକସ୍ତରୀୟ ସମ୍ପର୍କ ମେଳାର ଉଦେଶ୍ୟ ବୋଲି ବକ୍ତାମାନେ ମତ ରଖିଥିଲେ।

ଅନୁସୂଚିତଜାତି ଓ ଅନୁସୂଚିତଜାତି ବର୍ଗର ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ଯଥା ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଅନ୍ବେସା, ଆକାଂକ୍ଷା, ଛାତ୍ରାବାସ ଓ ଛାତ୍ରବୃତି ଓ ଦେୟମୁକ୍ତ ଆବାସିକ ଶିକ୍ଷା ବ୍ୟବସ୍ଥା, ଜୀବନ କୌଶଳ ଶିକ୍ଷା କାର୍ଯ୍ୟକ୍ରମ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ, ଜୀବିକା ନିର୍ବାହ ଓ ମହିଳା ସଶକ୍ତିକରଣ, ଅଧିକୃତ ଜଙ୍ଗଲ ଜମିରେ ଚାଷବାସ ଏବଂ ଗୋଷ୍ଠୀଗତ ଅଧିକାର, ନିର୍ଯାତିତ, ପୀଡିତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ସହାୟତା, ଛାତ୍ରାବାସରେ ନିରାପଟ ବ୍ୟବସ୍ଥା ଭଳି ବହୁ ଜନହିତକର ଯୋଜନା ବିଷୟରେ ଅବଗତ କରାଇବା ସହ ଭିଡିଓ ମାଧ୍ୟମରେ ଅବଗତ କରାଯାଇଥିଲା। ମୁଖ୍ୟ ଅତିଥି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ କାର୍ଯ୍ୟାଦେଶ ପତ୍ର ବଣ୍ଟନ କରିଥିଲେ। ଶେଷରେ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଗୁଡିକ ଉପରେ ଉପସ୍ଥିତ ଲୋକଙ୍କ ସହ ଆଲୋଚନା ହୋଇଥିଲା। ଏହି ମେଳାରେ ବହୁ ସଂଖ୍ୟାରେ ମହିଳାମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ କଳିଙ୍ଗା ଡିଏଭି ସ୍କୁଲର ଶିକ୍ଷକ ତ୍ରିଲୋଚନ ପଣ୍ଡା ଏବଂ ସୁଧୀର କୁମାର ସାହୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର