ସାତ ସୁରର ଝଙ୍କାରରେ ଶ୍ରୋତା ବିଭୋର

ରାଜ୍ୟସ୍ତରୀୟ ସାରେଗାମାରେ ଅଭିଜିତ, ସତ୍ୟସୁନ୍ଦର ଓ ଶୁଭଜ୍ୟୋତିଙ୍କୁ ବିଜୟ ମୁକୁଟ

ଭୁବନେଶ୍ବର : ଇଡକଲ୍‌ ପ୍ରେକ୍ଷାଳୟ ଭିତରୁ ଭାସି ଆସୁଥିଲା ସଙ୍ଗୀତର ସୁମଧୁର ସ୍ବର। ସାତ ସୁରର ଝଙ୍କାରରେ ବିଭୋର ହେଉଥିଲେ ଶ୍ରୋତା। ସଙ୍ଗୀତର ସୁର, ଲୟ, ତାଳର ସମନ୍ବୟ ଏଭଳି ଥିଲା ଯେ ଧୀରେଧୀରେ ଆଚ୍ଛନ୍ନ କରି ପକାଉଥିଲା ମନ, ହୃଦୟ ଓ ମସ୍ତିଷ୍କକୁ। ବିଚାରକମଣ୍ଡଳୀ ବି ମନ୍ତ୍ରମୁଗ୍ଧ ହୋଇ ଶୁଣୁଥିଲେ ଯୁବପିଢ଼ିର ଏହି ପ୍ରତିଭାବାନ କଣ୍ଠଶିଳ୍ପୀମାନଙ୍କୁ। ଅବସର ଥିଲା, ‘ସମ୍ବାଦ’ ଓ ‘ରେଡିଓ ଚକ୍‌ଲେଟ୍‌ ୧୦୪ ଏଫ୍ଏମ୍‌’ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ସାରେଗାମା ପ୍ରତିଯୋଗିତା। ଏହି ପ୍ରତିଯୋଗିତାରେ ଭୁବନେଶ୍ବର ମଦର୍ସ ପବ୍ଲିକ ସ୍କୁଲର ଛାତ୍ର ଅଭିଜିତ ପାଢ଼ୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ବିତୀୟ ସ୍ଥାନରେ ବାଲେଶ୍ବର ସାଗର କଲେଜର ଛାତ୍ର ସତ୍ୟସୁନ୍ଦର ଘଡ଼ାଇ ଏବଂ ଷ୍ଟିୱାର୍ଟ ସାଇନ୍‌ସ କଲେଜ କଟକର ଛାତ୍ରୀ ଶୁଭଜ୍ୟୋତି ତୃତୀୟ ସ୍ଥାନରେ ରହିଥିଲେ।

ପ୍ରେ‌କ୍ଷାଳୟରେ ଉପସ୍ଥିତ ପ୍ରତିଯୋଗୀ ଓ ଦର୍ଶକ ମଣ୍ଡଳୀ

ପ୍ରୀତ୍‌ କି ଲତ୍‌ ମୁଝେ ଐସି ଲଗି…, ଲାଗା ଚୁନ୍‌ରି ମୈ ଦାଗ…, କେଶରୀୟା…, ହୀରେ ମୋତି ମେଁ ନା ଚାହୁଁ…, କୁହୁ କୁହୁ ବୋଲେ କୋୟଲିୟା… ଆଦି ଶାସ୍ତ୍ରୀୟ ରାଗ ଆଧାରିତ ଲୋକପ୍ରିୟ ଚଳଚ୍ଚିତ୍ର ଗୀତ ଗାଇ କିଛି ପ୍ରତିଯୋଗୀ ନିଜ କଣ୍ଠର ଯାଦୁଗରୀ ଦେଖାଇଥିଲେ। ପୁଣି କିଛି ପ୍ରତିଯୋଗୀ ନ ଯା’ ରାଧିକା, ଜଗନ୍ନାଥ…, କାଳିଆ ତୋ ହାତରେ ମୁଁ ମାଟି କଣ୍ଢେଇ… ଭଳି ଭଜନ ଗାଇ ପରିବେଶକୁ ମଧୁମୟ କରିଥିଲେ। ମୋଟ୍‌ ୨୬ ଜଣ କଣ୍ଠଶିଳ୍ପୀଙ୍କ ସ୍ବର, ତାଳ, ଲୟ ସାଙ୍ଗକୁ ଚମତ୍କାର ଗାୟନଶୈଳୀରେ ପ୍ରଭାବିତ ହୋଇଥିଲେ ଦର୍ଶକ ଓ ବିଚାରକ।

ପ୍ରେ‌କ୍ଷାଳୟରେ ଉପସ୍ଥିତ ପ୍ରତିଯୋଗୀ ଓ ଦର୍ଶକ ମଣ୍ଡଳୀ

ଏହି ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ। ବିଚାରକ ଭାବେ ସ୍ବନାମଧନ୍ୟ ସଙ୍ଗୀତଜ୍ଞ ମନ୍ମଥ ମିଶ୍ର, ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଓ ଖ୍ୟାତନାମା କଣ୍ଠଶିଳ୍ପୀ ଅନୁସୂୟା ନାଥ ଯୋଗ ଦେଇଥିଲେ। ଆଜିର ଫ୍ୟୁଜନ୍‌ ଓ ରୢାପ୍‌ ଯୁଗରେ ଯୁବପିଢ଼ିଙ୍କର ଶାସ୍ତ୍ରୀୟ ସଂଗୀତ ପ୍ରୀତି ଦେଖି ଶ୍ରୀ ମିଶ୍ର ଖୁସି ବ୍ୟକ୍ତ କରିଥିବା ବେଳେ ସାତ ସୁରେ ବନ୍ଧା ଏ ଜୀବନ… ଗୀତ ଗାଇ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଏହି ଅବସ‌ରରେ କଣ୍ଠଶିଳ୍ପୀ ଅନୁସୂୟା ଜୟ ଜୟ ନାଥ ହରେ… ଭଜନ ଗାନ କରିଥିଲେ। ଏଥିସହ ସହ ଇଣ୍ଡିଆନ୍‌ ଆଇଡଲ୍‌ ଫେମ୍‌ ବିଶ୍ବଜିତ୍‌ ନିଜର ସଜନା… ସଜନା… ଗୀତରେ ସମସ୍ତଙ୍କ ହୃଦୟ ଜିଣି ନେଇଥିଲେ। ସମ୍ବାଦର ଫଟୋ ସାମ୍ବାଦିକ ସ୍ବଦେଶ ମହାନ୍ତି ନିଜ ସଦ୍ୟ ଲୋକାର୍ପିତ ମ୍ୟୁଜିକ ଭିଡିଓ ‘ମାନ ଅଭିମାନ ପ୍ରିୟା… ଗୀତ ଗାଇ ଶ୍ରୋତାଙ୍କ ମନୋରଞ୍ଜନ କରିଥିଲେ। ଆଜିର ପ୍ରତିଯୋଗିତାରେ ବାଦ୍ୟଯନ୍ତ୍ରରେ ଚିତ୍ତରଞ୍ଜନ ପ୍ରଧାନ (ସିନ୍ଥେସାଇଜର୍‌), କିଶୋର କୁମାର ନାୟକ (କି-ବୋର୍ଡ), ଶିବ ନାରାୟଣ ମହାନ୍ତି (ଅଟୋପ୍ୟାଡ୍‌) ଓ ଅଜୟ କୁମାର ଚୌଧୁରୀ (ତବ୍‌ଲା)ରେ ସହଯୋଗ କରିଥିଲେ। ଆର୍‌ଜେ ଅନୀଲ ଓ ଆର୍‌ଜେ ସୋନାଲି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଏହି କୃତୀ ପ୍ରତିଯୋଗୀମାନଙ୍କୁ ଆସନ୍ତାକାଲି ରବିବାର ସଂଧ୍ୟାରେ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ‘ସମ୍ବାଦର ବାର୍ଷିକୋତ୍ସବ’ ଅବସରରେ ପୁରସ୍କୃତ କରାଯିବ।

ସମ୍ବନ୍ଧିତ ଖବର