ଭୁବନେଶ୍ବର: ପିଲାଙ୍କ ଭିତରେ ଥିବା ଲୁକ୍କାୟିତ ପ୍ରତିଭାକୁ ଚିହ୍ନଟ କରନ୍ତୁ। ସେମାନଙ୍କୁ ନିଜ ଇଛାରେ ଉଡ଼ିବାକୁ ଦିଅନ୍ତୁ। ସ୍ୱପ୍ନ ଦେଖିବାକୁ ସୁଯୋଗ ମିଳୁ ଏବଂ ତାହାକୁ ପୂରଣ ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ଜଣେ ଜଣେ ଦିଗ୍‌ଦର୍ଶକ ଭାବେ କାମ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍ତି। ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଲେ, ଡ୍ରପ୍‌ଆଉଟ୍ ହାରକୁ ଆଶାତୀତ ଭାବେ ହ୍ରାସ କରିବା ଏବଂ ସମସ୍ତଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଆମ ପାଇଁ ବଡ଼ ଆହ୍ୱାନ ପାଲଟିଛି। ଡ୍ରପ୍‌ଆଉଟ୍ ରୋକିବାକୁ ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମକୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମ୍ପ୍ରସାରିତ ସହ ପିଲାଙ୍କ ପାଇଁ ପୁଷ୍ଟିକର ଖାଦ୍ୟର ବ୍ୟବସ୍ଥା ହୋଇଛି। ଜନଜାତି ବର୍ଗର ପିଲାଙ୍କୁ ମାଧୋ ସିଂ ହାତଖର୍ଚ୍ଚ ଯୋଜନାରେ ସହାୟତା ପ୍ରଦାନ କରାଯାଉଛି। 

Advertisment

ଏହି ସବୁ ଯୋଜନା ଆଗାମୀ ଦିନରେ ଡ୍ରପ୍‌ଆଉଟ୍ ହାର କମ୍‌ କରିବାରେ ନିଶ୍ଚିତ ରୂପେ ସଫଳ ହେବ ବୋଲି ସେ ଆଶାବ୍ୟକ୍ତ କରିଥିଲେ। ସେ ଆହୁରି କହିଲେ, ଛାତ୍ରଛାତ୍ରୀଙ୍କୁ ସୃଜନଶୀଳ ଓ ସ୍ୱାବଲମ୍ବୀ କରିବାକୁ ଷ୍ଟେଟ୍ କରିକୁଲମ୍‌ ଫ୍ରେମ୍‌ୱର୍କ ଆରମ୍ଭ ହେଉଛି। ଏଥିସହ ପିଲାଙ୍କ ପାଇଁ ଗପ, ଗୀତ, ଖେଳ ଓ ବିଭିନ୍ନ ଶିକ୍ଷଣୀୟ କାର୍ଯ୍ୟ ମାଧ୍ୟମରେ ଭାଷା ସମ୍ପର୍କିତ ଦକ୍ଷତା ବୃଦ୍ଧି ପାଇଁ ‘ନିପୁଣ ଓଡ଼ିଶା’ କାର୍ଯ୍ୟକ୍ରମ ଚାଲିଛି। ଆଜିଠାରୁ ‘ପଢ଼ିବା, ଗଢ଼ିବା ଓଡ଼ିଶା’ର ଶୁଭାରମ୍ଭ ହୋଇଛି, ଯାହାକି ୨୦୨୬ ମାର୍ଚ୍ଚ ଯାଏଁ ଚାଲିବ। ଏହି ଅଭିଯାନ ମାଧ୍ୟମରେ ପଠନ କ୍ଷମତା ସହ ପୁସ୍ତକ ଯୋଗାଇଦେବା ଏବଂ ପିଲାଙ୍କୁ ଶିକ୍ଷା କ୍ଷେତ୍ରରେ ନିୟୋଜିତ କରିବା, ମାତୃଭାଷାରେ ଦକ୍ଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରଥମ ପର୍ଯ୍ୟାୟରେ ୫ରୁ ୭ କୋଟି ଟଙ୍କା ଖର୍ଚ୍ଚରେ ୮୩୫ଟି ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ହେଉଛି। ଏଥିସହ ତିନି ବର୍ଷ ମଧ୍ୟରେ ପ୍ରାଥମିକ ସ୍ତରରେ ୪୫ ହଜାର ଶିକ୍ଷକ ପଦ ପୂରଣ କରାଯିବ ବୋଲି ସେ କହିଥିଲେ।

‘ପଢ଼ିବା, ଗଢ଼ିବା ଓଡ଼ିଶା’ର ଶୁଭାରମ୍ଭ, ମାର୍ଚ୍ଚ ଯାଏଁ ଚାଲିବ
ଡ୍ରପ୍‌ଆଉଟ୍‌କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଚିନ୍ତା ପ୍ରକଟ
ଝାରସୁଗୁଡ଼ା, ଖୋର୍ଦ୍ଧାଜଗତସିଂହପୁରଜିଲ୍ଲା ଶ୍ରେଷ୍ଠ
୭୦ ଜଣ ମାଧ୍ୟମିକ ଶିକ୍ଷକଙ୍କୁ ରାଜ୍ୟସ୍ତରୀୟ ଶିକ୍ଷା ପୁରସ୍କାର
ଓଡ଼ିଶା ରାଜ୍ୟ କରିକୁଲମ୍‌ ଫ୍ରେମ୍‌ୱାର୍କର ଶୁଭାରମ୍ଭ

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ ଶିକ୍ଷକମାନେ ବିଦ୍ୟାର୍ଥୀଙ୍କୁ ବ୍ୟକ୍ତିତ୍ୱ ନିର୍ମାଣ, ଶୃଙ୍ଖଳା, ଆଦର୍ଶ ସମାଜ ନିର୍ମାଣ ବିଷୟରେ ଶିକ୍ଷା ପ୍ରଦାନ ସହ ରାଜ୍ୟରେ ସର୍ବୋତ୍ତମ ଶିକ୍ଷାଦାନ ବ୍ୟବସ୍ଥା ପାଇଁ ଆମ ସରକାର ପ୍ରଚେଷ୍ଟା କରୁଥିବା କହିଥିଲେ। ଏହି ଅବସରରେ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଶ୍ରେଷ୍ଠତା ଅର୍ଜନ କରିଥିବା ଝାରସୁଗୁଡ଼ା ଜିଲ୍ଲାକୁ ପ୍ରଥମ ପୁରସ୍କାର ଭାବେ ୩ କୋଟି, ଖୋର୍ଦ୍ଧା ଜିଲ୍ଲାକୁ ଦ୍ବିତୀୟ ପୁରସ୍କାର ଭାବେ ୨ କୋଟି ଏବଂ ତୃତୀୟ ସ୍ଥାନରେ ଥିବା ଜଗତସିଂହପୁର ଜିଲ୍ଲାକୁ ୧ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ସେହିପରି ୭୦ ଜଣ ଶିକ୍ଷକ, ତିନୋଟି ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ, ତିନି ଜଣ ଜିଲ୍ଲା ଶିକ୍ଷା ଅଧିକାରୀ ଓ ୧୦ ଜଣ ବ୍ଲକ୍‌ ଶିକ୍ଷା ଅଧିକାରୀ ମଧ୍ୟ ପୁରସ୍କୃତ ହୋଇଥିଲେ। ଏଥିସହ ନିଟ୍ ପରୀକ୍ଷାରେ ସଫଳତା ଅର୍ଜନ କରିଥିବା ଅନୁସୂଚିତ ଜନଜାତି ବର୍ଗର ଦୁଇ ଜଣ ଛାତ୍ରଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। ଜାତୀୟ ଶିକ୍ଷା ନୀତି ଉପରେ ଆଧାରିତ ‘ଓଡ଼ିଶା କରିକୁଲମ୍‌ ଫ୍ରେମ୍‌ୱାର୍କ ଫର୍‌ ସ୍କୁଲ ଏଜୁକେସନ୍‌-୨୦୨୫’ ପୁସ୍ତକ, ‘ନିପୁଣ ଓଡ଼ିଶା’ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ କଫି ଟେବୁଲ ବୁକ୍ ଓ ‘ପଢ଼ିବା, ଗଢ଼ିବା ଓଡ଼ିଶା’ ଅଭିଯାନକୁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଶାଳିନୀ ପଣ୍ଡିତ ସ୍ୱାଗତ ଭାଷଣ ଦେଇଥିବା ବେଳେ ଓସେପା ପ୍ରକଳ୍ପ ନିର୍ଦ୍ଦେଶିକା ଅନନ୍ୟା ଦାସ ଧନ୍ୟବାଦ ଦେଇଥିଲେ।