ବାରିପଦା: ଆଦିବାସୀମାନେ ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ବିଭବର ଅନନ୍ୟ ସୂତ୍ରଧର। ସେମାନଙ୍କ ପ୍ରତି ସରକାରଙ୍କ ପ୍ରତିବଦ୍ଧତା ରହିବା ଦରକାର। ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାର ୧୮ ହଜାର ୮୮୧ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଆଜି ମୟୂରଭଞ୍ଜ ଜିଲ୍ଲା ବାରିପଦା ଛଉ ପଡ଼ିଆରେ ଆୟୋଜିତ ରାଜ୍ୟସ୍ତରୀୟ ଆଦିବାସୀ ଶକ୍ତି ସମାବେଶକୁ ଉଦ୍ଘାଟନ କରି ଏହା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଆଦିବାସୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଲକ୍ଷ୍ୟ ନେଇ ଆୟୋଜିତ ଆଦିବାସୀ ଶକ୍ତି ସମାବେଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ, ଜୀବିକା ମିସନ୍ ଜରିଆରେ ଆଦିବାସୀଙ୍କ ବିକାଶ ପାଇଁ କାମ ହେଉଛି। କୃଷି, ପଶୁପାଳନ ଓ ଅନ୍ୟ ମାଧ୍ୟମରେ ୧.୪୫ ଲକ୍ଷ ଆଦିବାସୀ ପରିବାରକୁ ଆର୍ଥିକସ୍ତରରେ ଉନ୍ନତ କରାଯାଇଛି। ୫ ହଜାର ଆଦିବାସୀ ଯୁବକଯୁବତୀଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ ସେମାନେ ସେଥିରେ ଲଘୁ ଉଦ୍ୟୋଗ ପ୍ରତିଷ୍ଠା ପୂର୍ବକ ଉପକୃତ ହେଉଛନ୍ତି। ସବୁ ଆଦିବାସୀ ଛାତ୍ରଛାତ୍ରୀ ଯେପରି ଶିକ୍ଷା ପାଇବେ, ସେ ନେଇ ୨୦୨୪ ଆର୍ଥିକ ବର୍ଷରେ ୮୩ଟି ନୂଆ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରାବାସ ଓ ୨୩ଟି ଅନ୍ୟାନ୍ୟ ପଛୁଆବର୍ଗ ଛାତ୍ରାବାସ ସହ ୨୨୯ଟି ପ୍ରାଥମିକ ବିଦ୍ୟାଳୟ ଛାତ୍ରାବାସ ପାଇଁ ମୋଟ ୭୩୨.୪୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଶିକ୍ଷାର ପ୍ରସାର ପାଇଁ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ସ୍ତରରେ ‘ସହିଦ ମାଧୋ ସିଂ ହାତଖର୍ଚ୍ଚ ଯୋଜନା’ ଆରମ୍ଭ ହୋଇଛି।
କାର୍ଯ୍ୟକାରୀ ହେବ ସହିଦ ଲକ୍ଷ୍ମଣ ନାୟକ ଆଦର୍ଶ ଆଶ୍ରମ ବିଦ୍ୟାଳୟ ଯୋଜନା
ଆବାସିକ ବିଦ୍ୟାଳୟଗୁଡ଼ିକୁ ଅତ୍ୟାଧୁନିକ ଶିକ୍ଷାନୁଷ୍ଠାନରେ ପରିଣତ କରିବା ଲକ୍ଷ୍ୟରେ ‘ସହିଦ ଲକ୍ଷ୍ମଣ ନାୟକ ଆଦର୍ଶ ଆଶ୍ରମ ବିଦ୍ୟାଳୟ ଯୋଜନା’ କାର୍ଯ୍ୟକାରୀ ସହ ୧୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ‘ବିକଶିତ ଓଡ଼ିଶା, ବିକଶିତ ଭାରତ’ ପାଇଁ ‘ପିଏମ୍ ଜନମନ ଯୋଜନା’ କାର୍ଯ୍ୟକାରୀ ହୋଇଛି। ଯାହା ରାଜ୍ୟର ୧୪ଟି ଜିଲ୍ଲା ଅଧୀନ ୧,୬୭୯ଟି ଗ୍ରାମରେ ବସବାସ କରୁଥିବା ୨ ଲକ୍ଷ ୯୪ ହଜାର ୭୧୨ ଅନୁନ୍ନତ ଜନଜାତି ସମୁଦାୟଙ୍କ ନିକଟରେ ପହଞ୍ଚିବ। ରାଜ୍ୟ ସରକାର ‘ଆଦିବାସୀ ସଂସ୍କୃତି ଓ ଐତିହ୍ୟ ଭବନ’ ଏବଂ ‘ଆଦିବାସୀ ଭାଷା ପ୍ରତିଷ୍ଠାନ’ ପାଇଁ ଯଥାକ୍ରମେ ୧୦୦ କୋଟି ଓ ୫୦ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଆଦିବାସୀ ସଶକ୍ତୀକରଣ କେବଳ ଏକ ସ୍ଲୋଗାନ୍ ନୁହେଁ, ଏହା ଆମ ସରକାରର ପ୍ରତିବଦ୍ଧତା। ତେବେ ୨୦୩୬ ସୁଦ୍ଧା ବିକଶିତ ରାଜ୍ୟ ଗଠନ ଲକ୍ଷ୍ୟକୁ ସାକାର କରିବାକୁ ହେଲେ ରାଜ୍ୟର ୪୦ ପ୍ରତିଶତ ଜନସଂଖ୍ୟା ବିଶିଷ୍ଟ ଅନୁସୂଚିତ ଜାତି ଓ ଜନଜାତିଙ୍କ ବିକାଶ କଥା ଆଗ ଚିନ୍ତା କରିବାକୁ ପଡ଼ିବ। ଆଦିବାସୀ ସଂସ୍କୃତିର ବିକାଶ ପାଇଁ ଆଗକୁ ଆହୁରି ସ୍ବତନ୍ତ୍ର ଯୋଜନା କାର୍ଯ୍ୟକାରୀ ହେବ।
ଏହି ଅବସରରେ ଆଦିବାସୀ ଲୋକକଳା, ସଂସ୍କୃତି ଓ ପରମ୍ପରାର ପ୍ରଚାରପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସମ୍ମାନିତ କରିଥିଲେ। ଏହା ସହିତ ସେମାନଙ୍କ ନିରାମୟ ଜୀବନ କାମନା କରିଥିଲେ। କାର୍ଯ୍ୟକ୍ରମରେ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ମମତା ମହାନ୍ତ, ବାଲେଶ୍ୱର ସାଂସଦ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ, ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ, ଉଦଳା ବିଧାୟକ ଭାସ୍କର ମଢ଼େଇ, କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବୁରୁ, ସାରସକଣା ବିଧାୟକ ଭାଦବ ହାଁସଦା, ବାରିପଦା ବିଧାୟକ ପ୍ରକାଶ ସୋରେନ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ବାଙ୍ଗିରିପୋଷି ବିଧାୟିକା ସଞ୍ଜଳୀ ମୁର୍ମୁ ପ୍ରମୁଖ ମଞ୍ଚାସୀନ ଥିଲେ। ବଡ଼ସାହି ବିଧାୟକ ସନାତନ ବିଜୁଳି ସ୍ୱାଗତ ଭାଷଣ ଦେଇଥିବା ବେଳେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ନିର୍ଦ୍ଦେଶିକା ପୋମା ଟୁଡୁ ଧନ୍ୟବାଦ ଅର୍ପଣ କରିଥିଲେ।