ଭୁବନେଶ୍ୱର : ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବୃହତ୍ତର ଓଡ଼ିଶା ଗଠନରେ ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବ ଓତଃପ୍ରୋତ ଭାବେ ଜଡ଼ିତ ଥିଲେ। ଓଡ଼ିଶାର ଅର୍ଦ୍ଧଶତାବ୍ଦୀର ରାଜନୈତିକ, ଅର୍ଥନୈତିକ, ସାଂସ୍କୃତିକ ଓ ସାମାଜିକ ବିକାଶରେ ନିଜକୁ ସମର୍ପିତ କରିଥିଲେ ଡ. ମହତାବ। ସମୟର ଆହ୍ୱାନରେ ଏହିଭଳି ଯୋଗଜନ୍ମା ଯୁଗପୁରୁଷଙ୍କର ଆବିର୍ଭାବ ଘଟେ ବୋଲି ଆଜି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନଠାରେ ଉଭୟ ମଞ୍ଚ ଓ ଆଭାସି ମାଧ୍ୟମରେ ଆୟୋଜିତ ରାଜ୍ୟସ୍ତରୀୟ ଡକ୍ଟର ହରେକୃଷ୍ଣ ମହତାବ ଜୟନ୍ତୀ ସମାରୋହରେ ଅତିଥି ଓ ବକ୍ତାମାନେ ଯୋଗଦେଇ ଏହା ପ୍ରକାଶ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା ପ୍ରସାରିତ ହୋଇଥିଲା। ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଆଧୁନିକ ଓଡ଼ିଶାର ନିର୍ମାଣ ସହ ଓଡ଼ିଆ ଭାଷା, ସାହିତ୍ୟର ସୁରକ୍ଷା ଏବଂ ସାମ୍ବାଦିକତା ଜଗତ ପ୍ରତି ଡ. ମହତାବଙ୍କ ଅବଦାନ ସର୍ବଦା ସ୍ମରଣୀୟ।
ଏହି ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବରେ ଅତିଥିମାନେ ଡ. ମହତାବଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରଫୁଲ୍ଲ ସାମଲ ଯୋଗଦେଇ ଡ. ମହତାବଙ୍କୁ ଯଥାର୍ଥରେ ଉତ୍କଳ କେଶରୀ ବୋଲି ଅଭିହିତ କରି କହିଲେ ଯେ ଡ. ମହତାବ ବ୍ୟକ୍ତି ନଥିଲେ, ସେ ଥିଲେ ଓଡ଼ିଶା ଏକ ବହୁମୁଖୀ ସ୍ୱୟଂସଂପୂର୍ଣ୍ଣ ଅନୁଷ୍ଠାନ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସଂପାଦକ ଡ. ଲେନିନ୍ ମହାନ୍ତି କହିଥିଲେ ଡ. ମହତାବଙ୍କ ଜୀବନ ଦେଶ ଓ ଜାତି ପାଇଁ ସମର୍ପିତ ଥିଲା। ସେ ଥିଲେ ଓଡ଼ିଶାର ନବଯୁଗର ପ୍ରବର୍ତ୍ତକ ଏବଂ ବହୁ ଦେଶପ୍ରେମୀ ଏବଂ ସମାଜସେବୀଙ୍କ ପ୍ରେରଣାର ଉତ୍ସ। ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ଐତିହାସିକ ତଥା ଶିକ୍ଷାବିତ ନିହାର ରଞ୍ଜନ ପଟ୍ଟନାୟକ ସ୍ୱାଧୀନ ଭାରତର ଏକତା ଓ ସଂହତି ପ୍ରତିଷ୍ଠା ଦିଗରେ ହରେକୃଷ୍ଣ ମହତାବଙ୍କ ପ୍ରଚେଷ୍ଟା ଅନନ୍ୟ ବୋଲି ମତବ୍ୟକ୍ତ କରିଥିଲେ।
ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରଦାନ କରି କହିଥିଲେ ଡ. ମହତାବଙ୍କ ପରି ଜଣେ ଯୁଗପୁରୁଷଙ୍କ ଆଦର୍ଶବୋଧର ସ୍ମୃତିଚାରଣ କରି ଓଡ଼ିଆ ଜାତି ଅଧିକ ମହିମାମଣ୍ଡିତ ହୋଇଛି। ବିଭାଗୀୟ ଅତିରିକ୍ତ ନିର୍ଦ୍ଦେଶକ ସୁରେନ୍ଦ୍ର ନାଥ ପରିଡ଼ା ଧନ୍ୟବାଦ ଦେଇଥିଲେ। ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/m14-1.jpg)