୧ ଲକ୍ଷ ୩୦ ହଜାର ହେକ୍ଟରରେ ହେବ ବୃକ୍ଷରୋପଣ
ସୁନାଝରି ବନ ସୁରକ୍ଷା ସମିତିକୁ ବିଜୁ ପଟ୍ଟନାୟକ ପୁରସ୍କାର
ଭୁବନେଶ୍ୱର : ଚଳିତ ମୌସୁମୀ ସମୟରେ ରାଜ୍ୟର ୧ ଲକ୍ଷ ୩୦ ହଜାର ହେକ୍ଟର ଅଞ୍ଚଳରେ ୬ କୋଟି ୩୦ ଲକ୍ଷ ବୃକ୍ଷଚାରା ରୋପଣ କରାଯିବ। ସେଥିମଧ୍ୟରୁ ବିଭିନ୍ନ ସହରାଞ୍ଚଳରେ ୪ ଲକ୍ଷ ୯୧ ହଜାର ବୃକ୍ଷଚାରା ରୋପଣ କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ବୋଲି ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି।
ଭୁବନେଶ୍ବର ଘାଟିକିଆସ୍ଥିତ ଜଙ୍ଗଲ ବିଜ୍ଞାନ ଉଦ୍ୟାନରେ ଆୟୋଜିତ ୭୧ତମ ରାଜ୍ୟସ୍ତରୀୟ ବନ ମହୋତ୍ସବ ସପ୍ତାହ ପାଳନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଆରୁଖ କହିଲେ, ବୃକ୍ଷରୋପଣ ପ୍ରତି ଆଗ୍ରହ, ଆବେଗ ଓ ଅନୁରାଗ ସୃଷ୍ଟି କରିବା ବନ ମହୋତ୍ସବ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଭାରତୀୟ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ୨୦୧୯ରେ କରାଯାଇଥିବା ଆକଳନରୁ ଜଣାପଡ଼ିଛି ଯେ ଆମ ରାଜ୍ୟର ସମଗ୍ର ଭୌଗୋଳିକ ଆୟତନର ୩୬.୧୪ ପ୍ରତିଶତ ଜଙ୍ଗଲ ଆଚ୍ଛାଦିତ ରହିଛି। ୨୦୧୫ରୁ ୨୦୧୯ମଧ୍ୟରେ ପ୍ରାୟ ୧୧୬୦ ବର୍ଗ କିମି ଜଙ୍ଗଲ ଓ ୬୬୨ ବର୍ଗ କିଲୋମିଟର ବୃକ୍ଷ ଆଚ୍ଛାଦିତ ଅଞ୍ଚଳ ବୃଦ୍ଧି ଘଟିଛି। ଯୁଗ୍ମ ଜଙ୍ଗଲ ପରିଚାଳନା କ୍ଷେତ୍ରରେ ଆମ ରାଜ୍ୟ ସମଗ୍ର ଦେଶରେ ଅଗ୍ରଣୀ ଭୂମିକା ନିର୍ବାହ କରିଛି। ଏ ପର୍ଯ୍ୟନ୍ତ ଗଢ଼ି ଉଠିଥିବା ୧୩ହଜାର ୮୯୧ ବନ ସୁରକ୍ଷା ସମିତି ଓ ୫୫୧ଟି ପରିବେଶ ଉନ୍ନୟନ କମିଟି ଦ୍ୱାରା ପ୍ରାୟ ୧୨ହଜାର ୬ଶହ ବର୍ଗ କିଲୋମିଟର ଜଙ୍ଗଲର ସୁରକ୍ଷା ଓ ପରିଚାଳନା କରାଯାଉଛି। ଏଥିରେ ପ୍ରାୟ ୧୭ଲକ୍ଷ ପରିବାର ଉପକୃତ ହେଉଛନ୍ତି। ଉତ୍କୃଷ୍ଟତମ କାର୍ଯ୍ୟ ସମ୍ପାଦନ କରିଥିବା ବନ ସୁରକ୍ଷା ସମିତିକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ରାଜ୍ୟ ଓ ସବ୍ଡିଭିଜନସ୍ତରରେ ‘ବିଜୁ ପଟ୍ଟନାୟକ ପୁରସ୍କାର’ ପ୍ରଦାନ କରାଯାଉଛି। ଚଳିତ ବର୍ଷ ବୌଦ୍ଧ ଜିଲ୍ଲାର ସୁନାଝରି ବନ ସୁରକ୍ଷା ସମିତି ବିଜୁ ପଟ୍ଟନାୟକ ପୁରସ୍କାର ବାବଦରେ ୨ ଲକ୍ଷ ଟଙ୍କା ପାଇଛି।
ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜଙ୍ଗଲ ବିଭାଗ ସମେତ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ବିଭାଗ ନିଜର ସରକାରୀ ଜାଗାରେ ଚାରାରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇ ସବୁଜିମା ବୃଦ୍ଧିରେ ଅବଦାନ ରଖିବା ପ୍ରଶଂସନୀୟ। ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା କହିଲେ, କୋଭିଡ୍-୧୯ ନିର୍ଦ୍ଦେଶାବଳି ଅନୁସରଣ କରାଯାଇ ବନ ମହୋତ୍ସବ ପାଳିତ ହେଉଛି। ବନ ମହୋତ୍ସବ ପାଳନ ସମୟରେ ମାସ୍କ ପିନ୍ଧିବା, ସାନିଟାଇଜର୍ ଓ ହ୍ୟାଣ୍ଡୱାସ୍ ବ୍ୟବହାର, ସାମାଜିକ ଦୂରତା ରକ୍ଷା କରାଯାଉଛି। ପ୍ରତି କାର୍ଯ୍ୟକ୍ରମରେ ଅତି ବେଶିରେ ୫୦ ଜଣ ବ୍ୟକ୍ତିବିଶେଷ ଅଂଶଗ୍ରହଣ କରିପାରିବେ। ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ୍) ସନ୍ଦୀପ ତ୍ରିପାଠୀ କହିଲେ, ଚଳିତ ବର୍ଷ ୧୩କୋଟି ବୃକ୍ଷ ଚାରା ଉତ୍ପନ୍ନ ହୋଇଛି। ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଉତ୍ପନ୍ନ ହୋଇଥିବା ଚାରା ମଧ୍ୟରୁ ଏହା ସର୍ବାଧିକ ଅଟେ।
ଏହି ଅବସରରେ ଭ୍ରାମ୍ୟମାଣ ଚାରା ବିକ୍ରୟ ଗାଡ଼ିଗୁଡ଼ିକୁ ମନ୍ତ୍ରୀ ଶ୍ରୀ ଆରୁଖ ପତାକା ଦେଖାଇ ଶୁଭାରମ୍ଭ କରିବା ସହ ଜଗନ୍ନାଥ ବିହାରଠାରେ ଚାରା ବଣ୍ଟନ୍ କିଓସ୍କକୁ ଉଦ୍ଘାଟନ କରିଥିଲେ। ରାଜ୍ୟର ୪୭ଟି ବନଖଣ୍ଡରେ ୫କୋଟି ବିଭିନ୍ନ କିସମର ଆଞ୍ଚଳିକ ତଥା ଦେଶୀୟ ଚାରାବଣ୍ଟନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ପ୍ରତ୍ୟେକ ବନଖଣ୍ଡର ସହରାଞ୍ଚଳ ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ବ୍ୟାପକ ଚାରା ବଣ୍ଟନ ପାଇଁ ୧୮୩ଟି କିଓସ୍କ ଖୋଲାଯିବା ସହ ୧୩୮ଗୋଟି ଭ୍ରାମ୍ୟମାଣ ଭ୍ୟାନ୍ର ବ୍ୟବସ୍ଥା ହୋଇଛି। କଟକ, ଭୁବନେଶ୍ବର ଓ ପୁରୀ ପୌରାଞ୍ଚଳରେ ଆଗ୍ରହୀ ଲୋକଙ୍କ ନିମନ୍ତେ ୩୬ଟି ଭ୍ୟାନ୍ ଓ ୨୪ଟି କିଓସ୍କ ଖୋଲିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/keshab.jpeg-1.jpg)