ରାଜ୍ୟ ସମବାୟ ୟୁନିୟନ୍‌ ପକ୍ଷରୁ ରାଜ୍ୟସ୍ତରୀୟ ୱେବିନାର

ଭୁବନେଶ୍ବର : କରୋନା ମହାମାରୀ ସମୟରେ ବି ରାଜ୍ୟର ଚାଷୀମାନଙ୍କ କଠିନ ପରିଶ୍ରମ ଓ ରାଜ୍ୟ ସରକାରଙ୍କ ସମୟୋଚିତ ପଦକ୍ଷେପ ଯୋଗୁ କୃଷି ଉତ୍ପାଦନ ବୃଦ୍ଧି ପାଇଛି। ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରାଜ୍ୟ ସମବାୟ ୟୁନିୟନ୍‌ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ୱେବିନାର୍‌ରେ ଏହି କଥା କହିଛନ୍ତି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ।

କୃଷକ ଦିବସରେ ସମସ୍ତ କୃଷକମାନଙ୍କୁ ଶୁଭେଚ୍ଛା ଜଣାଇ ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଛନ୍ତି, ରାଜ୍ୟର ୬୬ ପ୍ରତିଶତରୁ ଅଧିକ ଲୋକ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ କୃଷି କ୍ଷେତ୍ର ସହିତ ଜଡ଼ିତ ଅଛନ୍ତି। ଚଳିତ ଖରିଫ ଚାଷ କାର୍ଯ୍ୟ ନିମନ୍ତେ ସମବାୟ ସଂସ୍ଥା ମାଧ୍ୟମରେ ୯ ହଜାର କୋଟି ଟଙ୍କାର ସ୍ବଳ୍ପ ମିଆଦି ଫସଲ ଋଣ ଚାଷୀମାନଙ୍କୁ ଯୋଗାଇ ଦିଆଯିବ। ଠିକ୍‌ ସମୟରେ ଋଣ ପରିଶୋଧ କରୁଥିବା ଚାଷୀମାନଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ଶୂନ ପ୍ରତିଶତ ସୁଧହାରରେ ଯୋଗାଇ ଦିଆଯାଉଛି। ଏହାସହିତ ରିହାତି ଦରରେ ଉନ୍ନତ ମାନର ବିହନ, ସାର ଓ କୀଟନାଶକ ଔଷଧ ମଧ୍ୟ ସରକାର ଯୋଗାଉଛନ୍ତି।

ଓସାମ୍‌ ବୋର୍ଡ଼ ଉପଦେଷ୍ଟା ରାମଚନ୍ଦ୍ର ପଣ୍ଡା କହିଛନ୍ତି, ଚାଷୀ ଯେପରି ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ପାଇପାରିବ, ସେଥି ନିମନ୍ତେ ବିପଣନ ବ୍ୟବସ୍ଥାକୁ ଦୃଢ଼ କରାଯାଇଛି। ଭର୍ଗିଜ୍‌ କୁରିୟନ୍‌ ସେଣ୍ଟର ଫର୍‌ ଏକ୍‌ସେଲେନ୍‌ସିର ପ୍ରଫେସର ଡ.ହରେକୃଷ୍ଣ ମିଶ୍ର କହିଥିଲେ, ଚାଷୀର ବିକାଶ ପାଇଁ ଅନୁକୂଳ କୃଷିନୀତି, ସୁଦୃଢ଼ ଭିତ୍ତିଭୂମି ଓ ଉତ୍ତମ ପରିଚାଳନାର ଆବଶ୍ୟକତା ରହିଛି।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମବାୟ ସମିତି ନିବନ୍ଧକ ସୁଶାନ୍ତ ବାରିକ, ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ୍‌ କର୍ପୋରେସନ୍‌ର ପରିଚାଳନା ନିର୍ଦ୍ଦେଶକ ସଦାନନ୍ଦ ନାୟକ, ମାର୍କଫେଡ୍‌ର ପରିଚାଳନା ନିର୍ଦ୍ଦେଶକ, ସମବାୟ ୟୁନିୟନ ସମସ୍ତ ଡିଆର୍‌ସିଏସ୍‌, ଏଆର୍‌ସିଏସ୍‌, କୃଷକ ସଂଗଠନ, କୃଷକ ନେତା ଓ ଅଗ୍ରଣୀ କୃଷକମାନେ ଆଲୋଚନାରେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର