ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ : ଲୁପ୍ତପ୍ରାୟ ବନ୍ୟପ୍ରାଣୀଙ୍କ ସଂରକ୍ଷଣ ଆହ୍ୱାନ

ନନ୍ଦନକାନନରେ ଅଛନ୍ତି ୫୨ ପ୍ରଜାତିର ଲୁପ୍ତପ୍ରାୟ ବନ୍ୟପ୍ରାଣୀ

ଭୁବନେଶ୍ବର : ଜୀବଜଗତରେ ସନ୍ତୁଳନ ରକ୍ଷା ପାଇଁ ଉଭୟ ମଣିଷ ଓ ଜୀବଜନ୍ତୁଙ୍କ ଏକତ୍ର ସହାବସ୍ଥାନ ନିତାନ୍ତ ଆବଶ୍ୟକ। ସେମାନଙ୍କ ସୁରକ୍ଷା, ସମୃଦ୍ଧି ଓ ସଂରକ୍ଷଣ ପାଇଁ ଆମ ସମସ୍ତଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି।

ଜୟଦେବ ଭବନଠାରେ ଅନୁଷ୍ଠିତ ୬୫ତମ ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଆରୁଖ ‌ଆହୁରି କହିଲେ, ଓଡ଼ିଶା ଏକମାତ୍ର ରାଜ୍ୟ, ଯେଉଁଠି ପ୍ରାକୃତିକ ପରିବେଶରେ ତିନିଟି ପ୍ରଜାତିର କୁମ୍ଭୀର, କଳା ମହାବଳ ବାଘ, ଲକ୍ଷଲକ୍ଷ ସଂଖ୍ୟାର ପରିବ୍ରାଜକ ପକ୍ଷୀ, ବିବିଧତାରେ ପରିପୂର୍ଣ୍ଣ ହେନ୍ତାଳ ବନ, ଅଲିଭ ‌ରିଡ୍‌ଲେ କଇଁଛ ଦେଖିବାକୁ ମିଳେ। ଏହି ବନ୍ୟପ୍ରାଣୀଙ୍କ ପ୍ରାକୃତିକ ବାସସ୍ଥଳୀ ଛଡ଼ା ସେମାନଙ୍କ ସଂରକ୍ଷଣ ଓ ଅଭିବୃଦ୍ଧି ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଲୁପ୍ତପ୍ରାୟ ୫୨ ପ୍ରଜାତି ସମେତ ୧୫୫ ପ୍ରଜାତିର ବନ୍ୟପ୍ରାଣୀଙ୍କ ସଂରକ୍ଷଣ ଓ ଅଭିବୃଦ୍ଧି ପାଇଁ ପଦକ୍ଷେପ ନିଆଯାଉଛି। ବନ୍ୟଜନ୍ତୁ ଆକ୍ରମଣରେ ମୃତ ବ୍ୟକ୍ତିଙ୍କ ପରିବାର ନିମନ୍ତେ ୪ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ସ୍ଥାୟୀ ଭାବେ ଆଘାତପ୍ରାପ୍ତ ବ୍ୟକ୍ତିଙ୍କୁ ସରକାର ୧ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରୁଛନ୍ତି। ଫନି କ୍ଷତିଗ୍ରସ୍ତ ବାଲୁଖଣ୍ଡ, ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ଏବଂ ନନ୍ଦନକାନନ ପ୍ରଣୀ ଉଦ୍ୟାନର ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାମ ଚାଲିଥିବା ମନ୍ତ୍ରୀ ଶ୍ରୀ ଆରୁଖ ସୂଚନା ଦେଇଥିଲେ।

ବିଭାଗର ପ୍ରମୁଖ ଶାସନ ସଚିବ ଡ. ମୋନା ଶର୍ମା କହିଛନ୍ତି, ଓଡ଼ିଶାର ସଂସ୍କୃତି, ଐତିହ୍ୟ ଯେତିକି ପ୍ରସିଦ୍ଧ, ବିରଳ ବନ୍ୟଜନ୍ତୁ ମଧ୍ୟ ସେତିକି ଆକର୍ଷଣୀୟ। ଏହାକୁ ଭିତ୍ତି କରି ଓଡ଼ିଶାର ୪୦ଟି ସ୍ଥାନରେ ପରିବେଶ ପର୍ଯ୍ୟଟନର ବିକାଶ କରାଯାଇଛି। ଏହାଦ୍ବାରା ସ୍ଥାନୀୟ ଲୋକମାନେ କର୍ମ ନିୟୋଜନ ହୋଇପାରିଛନ୍ତି। ଓଡ଼ିଶାର ଜଳବାୟୁ ଏବଂ ପରିବେଶ ବନ୍ୟପ୍ରାଣୀଙ୍କ ବସବାସ ପାଇଁ ଅନୁକୂଳ ଥିବାରୁ ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡରୁ ମଧ୍ୟ ବନ୍ୟପ୍ରାଣୀ ଓଡ଼ିଶାକୁ ଚାଲି ଆସୁଛନ୍ତି। ସେମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ବିଭିନ୍ନ ମିସନ୍‌ରେ କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି।

କାର୍ଯ୍ୟକ୍ରମରେ ପ୍ରଧାନ ମୁଖ୍ୟ ବନସଂରକ୍ଷକ (ପିସିସିଏଫ) ସନ୍ଦୀପ ତ୍ରିପାଠୀ ଓ ପିସିସିଏଫ, ବନ୍ୟପ୍ରାଣୀ ହରିଶଙ୍କର ଉପାଧ୍ୟୟ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଅସ୍ତରଂଗର ବିଚିତ୍ରାନନ୍ଦ ବିଶ୍ବାଳଙ୍କୁ ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସଂରକ୍ଷଣ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ବନ୍ୟପ୍ରାଣୀ ଫଟୋଗ୍ରାଫି ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ନନ୍ଦନକାନନ ପ୍ରାଣୀ ଉଦ୍ୟାନର ନର୍ଦେଶକ ଶଶି ପଲ୍‌ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର