ଭୁବନେଶ୍ୱର: ଯେତେବେଳେ ଏକ ଜଙ୍ଗଲକୁ ସୁରକ୍ଷା ଦେଉ ସେତେବେଳେ ଆମେ ଆମର ଜଳଛାୟାକୁ ସୁରକ୍ଷିତ କରୁ। ସେହିପରି ଯେବେ ଆମେ ଏକ ପ୍ରଜାତିକୁ ରକ୍ଷା କରୁ, ଆମେ ପରିବେଶଗତ ସନ୍ତୁଳନକୁ ରକ୍ଷା କରିଥାଉ। ସେହିଦୃଷ୍ଟିରୁ ମଣିଷ ଓ ବନ୍ୟପ୍ରାଣୀଙ୍କ କଲ୍ୟାଣ ପ୍ରାକୃତିକ ସମନ୍ୱୟର ଅବିଚ୍ଛେଦ୍ୟ ଅଂଶ। ‌ତେଣୁ ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ସାମୂହିକ ଦାୟିତ୍ୱ ଏକାନ୍ତ ଆବଶ୍ୟକ ବୋଲି ରାଜ୍ୟପାଳ ହରିବାବୁ କମ୍ଭମ୍‌ପାଟି କହିଛନ୍ତି। ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ଅବସରରେ ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଶ୍ରୀ କମ୍ଭମ୍‌ପାଟି କହିଲେ ପୂର୍ବଘାଟ ପର୍ବତମାଳା, ଘଞ୍ଚ ଜଙ୍ଗଲ, ହେନ୍ତାଳ ବନ, ନଦୀ ଓ ସୁଦୀର୍ଘ ଉପକୂଳ ରାଜ୍ୟକୁ ବନ୍ୟପ୍ରାଣୀଙ୍କ ବିହାରସ୍ଥଳ କରିଛି। ଚିଲିକା ହ୍ରଦରୁ ଆରମ୍ଭ କରି ଭିତରକନିକା, ଗହୀରମଥା, ଋଷିକୁଲ୍ୟା ମୁହାଣରେ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଗଣ ଅଣ୍ଡାଦାନ ପର୍ଯ୍ୟନ୍ତ ଓଡ଼ିଶା ସଂରକ୍ଷଣ ସଫଳତାର ଏକ ମଡେଲ୍‌ ଭାବେ ଛିଡ଼ା ହୋଇଛି। ତଥାପି ଜନବସତି ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ ଦ୍ୱାରା ପ୍ରାକୃତିକ ସମ୍ପଦ ପ୍ରଭାବିତ ହେଉଛି। ତେଣୁ ଜନସାଧାରଣ ପ୍ରକୃତିର ସକ୍ରିୟ ରକ୍ଷକ ହେବାକୁ ରାଜ୍ୟପାଳ ଆହ୍ୱାନ ଦେଇଛନ୍ତି।

Advertisment

ମଣିଷ-ହାତୀ ସଂଘର୍ଷ ସମ୍ପର୍କରେ ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଭିତ୍ତିଭୂମି ବିକାଶ ପ୍ରକଳ୍ପ, ଜମି ବ୍ୟବହାର ପରିବର୍ତ୍ତନ ଯୋଗୁଁ ମାଇଗ୍ରେସନ୍‌ କରିଡର୍‌ ସଙ୍କୁଚିତ ହେଉଛି। ଏହାଦ୍ୱାରା ମଣିଷ ଓ ହାତୀଙ୍କ ମଧ୍ୟରେ ଲଢ଼େଇ ବଢ଼ୁଛି। ତାହାକୁ ନଜରରେ ରଖି କରିଡର୍‌ଗୁଡ଼ିକର ସୁରକ୍ଷା ଓ ପୁନଃଉଦ୍ଧାର, ଡ୍ରୋନ୍‌ ନିରୀକ୍ଷଣ, ଜିପିଏସ୍ ଟ୍ରାକିଂ ଭଳି ଆଧୁନିକ ଉପକରଣ ବ୍ୟବହାର ଉପରେ ପ୍ରାଥମିକତା ଦେବାକୁ ହେବ। ଶାନ୍ତିପୂର୍ଣ୍ଣ ସହାବସ୍ଥାନକୁ ପ୍ରୋତ୍ସାହିତ କରିବାକୁ ଯୁବପିଢ଼ି ଓ ଗୋଷ୍ଠୀକୁ ସାମିଲ କରିବାକୁ ପଡ଼ିବ। ସ୍ଥାୟୀ ସଂରକ୍ଷଣ ପାଇଁ ପ୍ରଭାବଶାଳୀ ପଦକ୍ଷେପ ଭାବେ ସଂରକ୍ଷିତ କ୍ଷେତ୍ରଗୁଡ଼ିକର ବିସ୍ତାର, ବନ୍ୟପ୍ରାଣୀ କରିଡର୍‌ ସଂରକ୍ଷଣ ଓ ଗୋଷ୍ଠୀଭିତ୍ତିକ ଇକୋ-ଟୁରିଜିମ୍‌କୁ ପ୍ରୋତ୍ସାହିତ କରିବା ଉପରେ ରାଜ୍ୟପାଳ ଗୁରୁତ୍ବାରୋପ କରିଥିଲେ।

ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ କହିଲେ ବନ୍ୟପ୍ରାଣୀ ସଂରକ୍ଷଣ ଦିଗରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହାତକୁ ନିଆଯାଇଛି। ରାଜ୍ୟ ସରକାର ଶିମିଳିପାଳକୁ ଏକ ଜାତୀୟ ଉଦ୍ୟାନ ଭାବେ ଘୋଷଣା କରିଛନ୍ତି। ‘ଆମ ଶିମିଳିପାଳ ଯୋଜନା’ ଅଧୀନରେ ୫୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି, ଯାହାକି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଆଖପାଖରେ ରହୁଥିବା ଜନବସତିର ବିକାଶ ଓ ସଚେତନତା କାର୍ଯ୍ୟକ୍ରମରେ ବ୍ୟବହାର କରାଯିବ। ଓଡ଼ିଶାର ୨୧ଟି ଜିଲ୍ଲାରେ ଅବସ୍ଥିତ ୫୩ଟି ପରିବେଶ ପର୍ଯ୍ୟଟନସ୍ଥଳୀ ବ୍ୟାପକ ରୋଜଗାର ଓ ରାଜସ୍ୱ ସୃଷ୍ଟି କରିବାରେ ସହାୟକ ହେଉଛି। ଗତବର୍ଷ ୧.୭ ଲକ୍ଷରୁ ଅଧିକ ପର୍ଯ୍ୟଟକ ବିଭିନ୍ନ ପରିବେଶ ପର୍ଯ୍ୟଟନସ୍ଥଳୀ ପରିଭ୍ରମଣ କରିଛନ୍ତି। ଏ ବାବଦରେ ୧୯ କୋଟିରୁ ଅଧିକ ଟଙ୍କା ଆଦାୟ ହୋଇଛି। ୨୦୨୪-୨୫ ଆର୍ଥିକ ବର୍ଷରେ ମହେନ୍ଦ୍ରଗିରି, ଜାଖମ ଓ ଶିମିଳିପାଳର ତଳବନ୍ଧଠାରେ ତିନୋଟି ନୂତନ ପରିବେଶ ପର୍ଯ୍ୟଟନସ୍ଥଳୀ ହୋଇଥିବା ସେ କହିଥିଲେ।

ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପିସିସିଏଫ୍‌ ସୁରେଶ ପନ୍ଥ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ପିସିସିଏଫ୍‌(ବନ୍ୟପ୍ରାଣୀ) ପ୍ରେମ୍‌ କୁମାର ଝା ସ୍ୱାଗତ ଭାଷଣ ଦେଇଥିବା ବେଳେ ସିସିଏଫ୍(ବନ୍ୟପ୍ରାଣୀ) ମନୋଜ ଭି. ନାୟାର ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଜୈବ ବିବିଧତା ସୁରକ୍ଷା କ୍ଷେତ୍ରରେ ଜୀବନବ୍ୟାପୀ ଅବଦାନ ପାଇଁ ଶରତ ଚନ୍ଦ୍ର ମିଶ୍ରଙ୍କୁ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ ସହ ବନ୍ୟପ୍ରାଣୀ ସମ୍ପର୍କିତ ତିନୋଟି ପୁସ୍ତକ ଉନ୍ମୋଚିତ ହୋଇଥିଲା।