ଭୁବନେଶ୍ୱର : ନବନିଯୁକ୍ତ ୨୩୮ଜଣ କାରାରକ୍ଷୀଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ଏହି କାରାରକ୍ଷୀମାନେ ରାଜ୍ୟର ବିଭିନ୍ନ ଜେଲ୍‌ରେ କାର୍ଯ୍ୟ କରିବେ।

Advertisment

ଆଜି ଜୟଦେବ ଭବନରେ ନବନିଯୁକ୍ତ କାରାରକ୍ଷୀଙ୍କ ରାଜ୍ୟସ୍ତରୀୟ କର୍ମଶାଳାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଲେ, କାରାରକ୍ଷୀ ହେଉଛନ୍ତି ଜେଲ୍‌ର ଏକ ପ୍ରମୁଖ ଅଙ୍ଗ। ଜେଲ୍‌ରେ ସୁବିଧା ସୁଯୋଗ ଓ ଅନ୍ତେବାସୀଙ୍କ ପୁନର୍ବାସ ଓ ସୁଧାର ଆଣିବାରେ କାରାରକ୍ଷୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ଅପରାଧୀକ ନ୍ୟାୟ ପ୍ରଣାଳୀରେ ଜେଲ୍‌ ପରିଚାଳନା ଓ ସୁଧାର ସେବା ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇଥିବାରୁ କାରାରକ୍ଷୀମାନଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ କରିବା ପାଇଁ ଜେଲ ନିର୍ଦେଶାଳୟ ପଦକ୍ଷେପ ନେବା ଆବଶ୍ୟକ। ରାଜ୍ୟରେ ଜେଲଗୁଡ଼ିକରେ ଥିବା ଅନ୍ତେବାସୀଙ୍କ ପାଇଁ ଆଇନଗତ ସହାୟତା ଦିଆଯାଉଛି। ବିଚାରାଧୀନ କଏଦୀଙ୍କ ପାଇଁ ଜିଲ୍ଲାସ୍ତରୀୟ ନ୍ୟାୟିକ ଓ ଜେଲ ପ୍ରଶାସନ ପକ୍ଷରୁ ନିୟମିତ ବ୍ୟବଧାନରେ ସମୀକ୍ଷା କରାଯାଉଛି। ରାଜ୍ୟ ଦଣ୍ଡବିଧାନ ସମୀକ୍ଷା ବୋର୍ଡ ପକ୍ଷରୁ ମଧ୍ୟ ବର୍ଷକୁ ଦୁଇ ସମୀକ୍ଷା ହେଉଛି।

ଏହାସହ ଜେଲ ଅନ୍ତେବାସୀଙ୍କ ସୁବିଧା ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ଅଧିକ ଜାଗା ଥିବା ଓ୍ଵାର୍ଡର ନିର୍ମାଣଠାରୁ ଆରମ୍ଭ କରି, ରୋଷେଇଘରର ନବୀକରଣ, ଡ୍ରେନ୍‌, ଲାଇଟ, ପରିଷ୍କାର ପିଇବା ପାଣି ଓ ଟେଲିଫୋନ୍‌ର ବ୍ୟବସ୍ଥା କରାଯାଇଛି। ଏପରିକି ଶୀଘ୍ର ବିଚାର ପାଇଁ କେତେକ ଜେଲ୍‌ରେ ଭିଡିଓ କନଫରେନ୍‌ସିଂର ସୁବିଧା ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ କହିଥିଲେ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ(ଗୃହ) ଅସିତ ତ୍ରିପାଠୀ କହିଲେ, ରାଜ୍ୟର ୮୭ଟି ଜେଲ୍‌ରେ ନବନିଯୁକ୍ତ କାରାରକ୍ଷୀମାନେ କାର୍ଯ୍ୟ କରିବେ। ଜେଲ ନିରାପତ୍ତା ଓ ଶୃଙ୍ଖଳା ପାଇଁ କର୍ମଚାରୀଙ୍କ ନିଯୁକ୍ତି ସହିତ ତାଲିମ ପ୍ରଦାନ କରାଯାଇଛି। ଗତ ୩ବର୍ଷ ଭିତରେ ୨୦ହଜାର ପଦବି ପୂରଣ କରାଯାଇଛି। ବିଶେଷକରି ପୁଲିସ ବିଭାଗରେ ଅଧିକ ନିଯୁକ୍ତି ହୋଇଛି। ରାଜ୍ୟର ୬ଟି ଜେଲରେ କ୍ୟାଣ୍ଟିନ୍‌ର ସୁବିଧା କରାଯାଇଥିବା ବେଳେ ୨୦ବର୍ଷରୁ ଅଧିକ ସଜ୍ଜା ଭୋଗିଥିବା ୧୮୬ଜଣ ଅପରାଧୀଙ୍କୁ ମୁକ୍ତ କରାଯାଇଛି। ଅନ୍ତେବାସୀଙ୍କ ଦକ୍ଷତା ବିକାଶ ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଥିବା ଶ୍ରୀ ତ୍ରିପାଠୀ କହିଥିଲେ।

କାର୍ଯ୍ୟକ୍ରମ ଆରମ୍ଭରେ ଏଡିଜି(କାରାଗାର) ବିନୟାନନ୍ଦ ଝା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସ୍ୱତନ୍ତ୍ର ସଚିବ(ଗୃହ) ସନ୍ତୋଷ ବାଲା ଧନ୍ୟବାଦ ଦେଇଥିଲେ।