‘ମହିଳା ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବାକୁ ହେବ’

ପ୍ରଧାନମନ୍ତ୍ରୀ ରୋଜଗାର ସୃଷ୍ଟି କାର୍ଯ୍ୟକ୍ରମ ରାଜ୍ୟସ୍ତରୀୟ କର୍ମଶାଳା

ଭୁବନେଶ୍ବର : ଉଦ୍ୟୋଗୀ ହେବା ପାଇଁ ଯୁବପିଢ଼ି ଆଗ୍ରହ ପ୍ରକାଶ କରୁନାହାନ୍ତି। ଯେଉଁମାନେ ଆଗ୍ରହ ଦେଖାଉଛନ୍ତି, ସେମାନଙ୍କୁ ବିଭିନ୍ନ ଉପାୟରେ ନିରାଶ କରାଯାଉଛି। ଦେଶର ବିକାଶ ପାଇଁ ନୂଆ ଉଦ୍ୟୋଗୀ ସୃଷ୍ଟି କରିବାକୁ ହେବ। ବିଶେଷକରି ମହିଳା ଉଦ୍ୟୋଗୀମାନଙ୍କୁ ଏଥିପାଇଁ‌ ପ୍ରୋତ୍ସାହିତ କରିବାକୁ ହେବ। ଖଦି ଓ ଗ୍ରା‌ମୋଦ୍ୟୋଗ କମିସନ୍‌ ଆନୁକୂଲ୍ୟରେ ହୋଟେଲ ମେ’ ଫେୟାରରେ ଆୟୋଜିତ ପ୍ରଧାନମନ୍ତ୍ରୀ ରୋଜଗାର ସୃଷ୍ଟି କାର୍ଯ୍ୟକ୍ରମ ରାଜ୍ୟସ୍ତରୀୟ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ।

ଶ୍ରୀ ଷଡ଼ଙ୍ଗୀ କହିଲେ, ଉଦ୍ୟୋଗଟିଏ ଠିଆ କରିବା ପାଇଁ ଅନେକ ସମୟରେ ଋଣ ପାଇବାରେ ସମସ୍ୟା ହେଉଛି। ଟଙ୍କା ବୁଡ଼ିଯିବା ଆଶଙ୍କାରେ ବ୍ୟାଙ୍କଗୁଡ଼ିକ ଋଣ ଦେବାକୁ କୁଣ୍ଠାବୋଧ କରୁଛନ୍ତି। ଖାଲି ଋଣ ନୁହେଁ, ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଯୁବକଟିଏ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଛି, ତାହା ଦୂର କରିବା ପାଇଁ ଏକ ଉଚ୍ଚସ୍ତରୀୟ କ୍ଷମତାସଂପନ୍ନ କମିଟି ଗଠନ କରାଯିବା ଦରକାର। କମିଟିରେ ବ୍ୟାଙ୍କ ଓ ସରକାରୀ ଅଧିକାରୀ, ଚାର୍ଟାଡ୍ ଆକାଉଣ୍ଟାଣ୍ଟ, ଅଗ୍ରଣୀ ଉଦ୍ୟୋଗର କର୍ମକର୍ତାଙ୍କୁ ସାମିଲ କରାଯାଉ। ଏହି କମିଟି ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଆସୁଥିବା ଆବେଦନଗୁଡ଼ିକର ଯାଞ୍ଚ କରିବା ସହ ସଂପୃକ୍ତ ଉଦ୍ୟୋଗ କେତେ ଫଳପ୍ରଦ ହେବ, ତାହାର ତର୍ଜମା କରୁ ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି।

ଶିଳ୍ପ ନିର୍ଦେଶକ ପି.ଜେ ନାଥ କହିଲେ, ରାଜ୍ୟରେ ପ୍ରଧାନମନ୍ତ୍ରୀ ରୋଜଗାର ସୃଷ୍ଟି କାର୍ଯ୍ୟକ୍ରମ (ପିଏମ୍‌ଇଜିପି) ଜରିଆରେ ୨୭ହଜାରରୁ ଅଧିକ ୟୁନିଟ୍ ପ୍ରତିଷ୍ଠା କରାଯାଇଛି। ଏଥିରେ ୨ଲକ୍ଷରୁ ଅଧିକ ଲୋକ ନିଯୁକ୍ତି ପାଇଛନ୍ତି। ଅନେକ କ୍ଷେତ୍ରରେ ପିଏମ୍‌ଇଜିପି ହିତାଧିକାରୀଙ୍କ ଆବଶ୍ୟକ ମାର୍କେଟିଂ ସୁବିଧା ଯୋଗାଇ ଦେବାର ଆବଶ୍ୟକତା ରହିଛି, ତାହା ସରକାରୀ ହେଉ ବା ବେସରକାରୀ। ଏହାଦ୍ବାରା ସେମାନଙ୍କ ଉତ୍ପାଦ ଠିକଣା ଭାବେ ବିକ୍ରି ହୋଇପାରିବ। ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ସଭାପତି ସଂଗ୍ରାମ କେଶରୀ ପାଇକରାୟ କହିଲେ, ଗ୍ରାମୀଣ ଉଦ୍ୟୋଗୀକୁ ଉପଯୁକ୍ତ ମାର୍କେଟିଂ ସୁବିଧା ଯୋଗାଇଦେବା ଆବଶ୍ୟକ। ଦେଶର ଜିଡିପି ତଳକୁ ଖସିଥିବା ବେଳେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ ନ କଲେ ବିଶ୍ବର ମାନ୍ଦାବସ୍ଥାର ମୁକାବିଲା କରିବା କଷ୍ଟକର ହେବ। ଅନେକ କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକ ଛୋଟ ଛୋଟ ଋଣ ଦେବାକୁ ମଧ୍ୟ କୁଣ୍ଠାବୋଧ କରୁଛନ୍ତି। ତେଣୁ ଉଦ୍ୟୋଗୀ ସୃଷ୍ଟି କ୍ଷେତ୍ରରେ ଆର୍ଥିକ ସଂସ୍ଥାମାନଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି ଶ୍ରୀ ପାଇକରାୟ କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ୟୁକୋ ବ୍ୟାଙ୍କର ମହାପ୍ରବନ୍ଧକ ଟିଆର ଚୋକଲିଙ୍ଗମ୍ ଉପସ୍ଥିତ ଥିଲେ। ଏହି ଅବସରରେ କିଛି ଉଦ୍ୟୋଗୀମାନଙ୍କୁ ବ୍ୟାଙ୍କ ଋଣ ପ୍ରଦାନ କରାଯାଇଥିଲା। ପ୍ରାରମ୍ଭରେ କେଭିଆଇସିର ନିର୍ଦେଶକ ଏସ୍‌.କେ ମହାନ୍ତି ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉପ-ନିର୍ଦେଶକ ପି.କେ ଶତପଥୀ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର