ଓଡ଼ିଶା ଜୀବିକା ମିସନରେ କାର୍ଯ୍ୟରତ କର୍ମୀମାନଙ୍କର ରାଜ୍ୟସ୍ତରୀୟ କର୍ମଶାଳା : ‘ମିସନ୍‌ ଶକ୍ତିର ୮୦ ଲକ୍ଷ ମହିଳା ରାଜ୍ୟ ଅର୍ଥନୀତିକୁ ପରିପୁଷ୍ଟ କରୁଛନ୍ତି’

ଭୁବନେଶ୍ୱର : ଭୁବନେଶ୍ବର ୟୁନିଟ୍-୬ସ୍ଥିତ ବିଜୁ ଶ୍ରମିକ ସାମ୍ମୁଖ୍ୟ ସହ ଅନୁବନ୍ଧିତ ଓଡ଼ିଶା ଜୀବିକା ମିସନରେ କାର୍ଯ୍ୟରତ ଗ୍ରାମପଞ୍ଚାୟତସ୍ତରୀୟ ମହାସଂଘର ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସଭାନେତ୍ରୀ ନିରୁପମା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ସମସ୍ତ ଜିଲ୍ଲାରୁ ପ୍ରାୟ ୭ଶହ ପ୍ରତିନିଧି ଯୋଗ ଦେଇଥିଲେ।

କର୍ମଶାଳାକୁ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି କହିଲେ, ମହିଳାମାନଙ୍କ ସଶକ୍ତୀକରଣ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ୮୦ ଲକ୍ଷ ମହିଳା ମିସନ ଶକ୍ତିରେ ସାମିଲ ହୋଇ ସ୍ବାବଲମ୍ବୀ ହେବା ସହ ରାଜ୍ୟ ଅର୍ଥନୀତିରେ ମୁଖ୍ୟ ଭାବେ ରହିଛନ୍ତି। ତେବେ ମହିଳାମାନଙ୍କ ସୁବିଧା ସୁଯୋଗ ସଂପର୍କରେ କାର୍ଯ୍ୟକୁ ତ୍ବରାନ୍ବିତ କରିବେ ବୋଲି ସେ କହିଛନ୍ତି। ମୁଖ୍ୟ ଅତିଥି ଭାବେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଲେ, ଜୀବିକା ମିସନ୍ ସହିତ ଜଡ଼ିତ କର୍ମୀମାନଙ୍କ ସମସ୍ୟା ସଂପର୍କରେ ଉଚ୍ଚସ୍ତରୀୟ ବୈଠକ ଡକାଯାଇ ଆଲୋଚନା କରାଯିବ ଏବଂ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ପର୍ଯ୍ୟାୟକ୍ରମେ ଏହାର ସମାଧାନ କରାଯିବ।

‘ସମ୍ବାଦ’ ସଂପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କର୍ମଶାଳାରେ ଯୋଗ ଦେଇ କହିଲେ ଯେ ମହିଳା ସଶକ୍ତୀକରଣ କ୍ଷେତ୍ରରେ ଓଡ଼ିଶା ବହୁ ଆଗରେ ରହିଛି। ଏହା ସ‌େତ୍ତ୍ବ ମହିଳାମାନଙ୍କୁ ଆହୁରି ଆଗକୁ ନେବା ପାଇଁ ପ୍ରୟାସ କରିବାକୁ ପଡ଼ିବ। ମିସନ୍‌ ଶକ୍ତିର ମହିଳା ସଶକ୍ତୀକରଣ ପ୍ରକ୍ରିୟାରେ ସମ୍ପୃକ୍ତ ଏସ୍‌ଏଚ୍‌ଜିର ମହିଳାମାନଙ୍କ ସଫଳତା ଓ ଉତ୍‌ଥାନ ଦିଗରେ ଓଡ଼ିଶା ଜୀବିକା ମିସନରେ କାର୍ଯ୍ୟରତ ଗ୍ରାମପଞ୍ଚାୟତସ୍ତରୀୟ ପ୍ରତିନିଧିମାନଙ୍କର ଏକ ବଡ଼ ଭୂମିକା ରହିଛି। ତେଣୁ ସରକାର ସେମାନଙ୍କ କଥା ସହୃଦୟତାର ସହ ବିଚାର କରିବା ଆବଶ୍ୟକ। ଏହାବ୍ୟତୀତ ମହିଳା ଓ ପୁରୁଷଙ୍କ ମଧ୍ୟରେ ଯେପରି ବ୍ୟବଧାନ ପରିଲକ୍ଷିତ ନହୁଏ ସେଥିପାଇଁ ଆମକୁ ସଜାଗ ରହିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଯୋଗଦେଇ କହିଲେ ଯେ ଓଡ଼ିଶା ଜୀବିକା ମିସନ କ୍ଷେତ୍ରରେ ଏକ ଉଦାହରଣ ସୃଷ୍ଟି କରିଛି। ଜୀବିକା ମିସନ ଅଧୀନରେ ୬୦ହଜାରରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସାହାଯ୍ୟ କରିବା ଓ ତାଙ୍କ ବ୍ୟବସାୟକୁ ଶୃଙ୍ଖଳିତ କରିବା କ୍ଷେତ୍ରରେ ବଳିଷ୍ଠ ଭୂମିକା ନେଇଛି। ସେମାନେ ମିସନ ଶକ୍ତିରେ ସାମିଲ ହୋଇଗଲେ ଏହି କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ ହେବା ନେଇ ସେ ମତ ଦେଇଥିଲେ। ଜୀବିକା ମିସନରେ କାର୍ଯ୍ୟରତ ପଞ୍ଚାୟତ ଲେଭ୍‌ଲ ଫେଡେରେସନ୍‌ର ଚେୟାରମ୍ୟାନ୍ ତଥା ସାଂସଦ ସୁବାସ ସିଂହ ଜୀବିକା ମିସନ ସହିତ ଜଡ଼ିତ ସବୁ ସ୍ତରର କର୍ମୀମାନଙ୍କ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସଜାଗ ଥିବା କହିଛନ୍ତି। ଏପରିକି ସେମାନଙ୍କୁ ସରକାରୀ ସ୍ତରରେ ପର୍ଯ୍ୟାୟକ୍ରମେ ସଂପୃକ୍ତ କରାଯିବ ଏବଂ ନୂଆ ନିଯୁକ୍ତି ସୃଷ୍ଟି ହେଲେ ଦକ୍ଷତା ଭିତ୍ତିରେ ୫୦ ଭାଗ ସଂରକ୍ଷିତ ରଖିବା ଆଦି ଦାବିଗୁଡ଼ିକୁ ସରକାର ବିଚାରକୁ ନେବାକୁ ଶ୍ରୀ ସିଂହ ମନ୍ତ୍ରୀ ଶ୍ରୀ ଜେନାଙ୍କୁ ଅନୁରୋଧ କରିଥିଲେ।

ଏହି ଅବସରରେ ବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟ ସଭାପତି ରାଜେନ୍ଦ୍ର ପ୍ରସାଦ ସିଂହ, ଉପସଭାପତି ଯୁଗଳ ନାୟକ, ସଂପାଦକ ରାଜୀବ ମହାନ୍ତି, ସଂଗଠନର ରାଜ୍ୟ ସାଧାରଣ ସଂପାଦିକା ମନୋରମା ମାହୁନ୍ତ, ଉପସଭାନେତ୍ରୀ ଜୟନ୍ତୀ ଓଝା, ଯୁଗ୍ମ ସଂପାଦିକା ବନିତା ବାରିକ, କୋଷାଧ୍ୟକ୍ଷ ନିରୁପମା ମହାନ୍ତି, ନିର୍ବାଚନ ପ୍ରଧାନ, କୃଷିମିତ୍ର ସନ୍ତୋଷ ପ୍ରଧାନ, ପ୍ରାଣୀମିତ୍ର ସଭାପତି ସଞ୍ଜୀବ ପୋଥାଳ, ତନୁଜା ସାହୁ, ସରସ୍ୱତୀ ମହାପାତ୍ର, ଇତିଶ୍ରୀ, ଆଲୋକ ରଶ୍ମି ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଗ୍ରାମପଞ୍ଚାୟତ ଲେଭ୍‌ଲ ଫେଡେରେସନ୍‌ର କାର୍ଯ୍ୟକର୍ତାମାନେ ମନ୍ତ୍ରୀ ଶ୍ରୀ ଜେନାଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର