ଭୁବନେଶ୍ୱର : ପ୍ଲାଷ୍ଟିକ୍‌ ପ୍ରଦୂଷଣ ଆଜି ସାରା ବିଶ୍ୱରେ ଉଦ୍‌ବେଗ ସୃଷ୍ଟି କରିଛି। ଲୋକମାନଙ୍କ ମଧ୍ୟରେ ସଚେତନତା ହିଁ ପ୍ଲାଷ୍ଟିକ୍‌ର ବ୍ୟବହାରକୁ କମାଇ ପାରିବ। ଆବଶ୍ୟକସ୍ଥଳେ ପୁନଃ ବ୍ୟବହାରକ୍ଷମ କିମ୍ବା ସହଜରେ ମାଟିରେ ମିଶି ପାରୁଥିବା ପ୍ଲାଷ୍ଟିକ୍‌ ବ୍ୟବହାର କରିବା ଉଚିତ୍‌। କାଗଜ, ଗ୍ଲାସ୍‌ କିମ୍ବା ପରିବେଶ ଅନୁକୂଳ ଜିନିଷର ବ୍ୟବହାରକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Advertisment

ଆଜି ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଲେ, ଇକୋ-କ୍ଲବ୍‌ ସ୍କୁଲ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ପରିବେଶକୁ ରକ୍ଷା କରିବା ପାଇଁ ସେଣ୍ଟର୍‌ ଫର ଏନଭୋର୍ଣ୍ଣମେଣ୍ଟାଲ ଷ୍ଟଡିଜ୍‌୍‌ ପକ୍ଷରୁ ଅଭିଯାନ ଆରମ୍ଭ କରାଯାଇଛି। ଲୋକମାନେ ସଚେତନ ହେଲେ ଆଗାମୀ ପିଢ଼ିଙ୍କ ପାଇଁ ପ୍ଲାଷ୍ଟିକ୍‌ ମୁକ୍ତ ପରିବେଶ ଗଠନରେ ସହାୟକ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ।

ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଲେ, ପ୍ଲାଷ୍ଟିକ୍‌ର ବ୍ୟବହାରକୁ ସଂପୂର୍ଣ୍ଣଭାବେ ବନ୍ଦ କରିବା ସମ୍ଭବ ନୁହେଁ। ମାତ୍ର ସଚେତନତା ଫଳରେ ଏହାର ବ୍ୟବହାରକୁ ନିୟନ୍ତ୍ରଣ କରାଯାଇପାରିବ। ପ୍ଲାଷ୍ଟିକ୍‌କୁ ଅନ୍ୟ କ୍ଷେତ୍ରରେ ବ୍ୟବହାର କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉଛି। ପୂର୍ତ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ ପାଇଁ ଟନ୍‌ ପିଛା ୩୦ହଜାର ଟଙ୍କା ଦରରେ ପ୍ଲାଷ୍ଟିକ୍‌ କିଣାଯାଉଛି। ସେହିପରି ସିମେଣ୍ଟ କାରଖାନାରେ ଚାଲୁଥିବା ବଏଲର୍‌ରେ ପ୍ଲାଷ୍ଟିକ୍‌ର ମଧ୍ୟ ବ୍ୟବହାର ହୋଇପାରିବ। ରାଜ୍ୟରେ ୮୮୫ ବର୍ଗ କିମିର ଜଙ୍ଗଲ ବଢ଼ିଥିବା ବେଳେ ମହାନଦୀ ଅବବାହିକା ପାଇଁ ଗ୍ରିନ୍‌ ମହାନଦୀ ମିସନ୍‌ ଆରମ୍ଭ ହେବ। ମହାନଦୀ ଅବବାହିକାରେ ବଡ଼ ଧରଣର ବନୀକରଣ ପାଇଁ ଲକ୍ଷ୍ୟ ରଖାଯାଇଥିବା ଶ୍ରୀ ମହାପାତ୍ର ସୂଚନା ଦେଇଥିଲେ।

ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କହିଲେ, ବିଶ୍ୱରେ ପ୍ରତିବର୍ଷ ୩ମିଲିଅନ୍‌ ପ୍ଲାଷ୍ଟିକ୍‌ ତିଆରି ହେଉଥିବା ବେଳେ ଭାରତରେ ୧୩ ମିଲିଅନ୍‌ ପ୍ଲାଷ୍ଟିକ୍‌ ନିର୍ମାଣ ହେଉଛି। ମାତ୍ର ଯେତିକି ପରିମାଣର ପ୍ଲାଷ୍ଟିକ୍‌ ନିର୍ମାଣ ହେଉଛି ତାହାର ମାତ୍ର ୧ପ୍ରତିଶତ ହିଁ ପୁନଃ କାର୍ଯ୍ୟକ୍ଷମ ହୋଇପାରୁଛି। ଯେଉଁଭଳି ଭାବେ ପ୍ଲାଷ୍ଟିକ୍‌ର ବ୍ୟବହାର ବଢ଼ି ଚାଲିଛି ୨୦୫୦ ମସିହା ବେଳକୁ ସମୁଦ୍ରରେ ମାଛଙ୍କ ଅପେକ୍ଷା ପ୍ଲାଷ୍ଟିକ୍‌ ଭାସିବାର ସଂଖ୍ୟା ବଢ଼ିଯିବ ବୋଲି ଅନୁମାନ କରାଯାଉଥିବା ଶ୍ରୀ ରାଉତରାୟ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧୬୧ଜଣଙ୍କୁ ପ୍ରକୃତି ମିତ୍ର ଓ ୧୬୯ଜଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରିଥିଲେ। ପରେ ବିଭାଗ ପକ୍ଷରୁ ବିଭିନ୍ନ ରିପୋର୍ଟ ଓ ପୁସ୍ତକ ଉନ୍ମୋଚିତ ହୋଇଥିଲା। ପ୍ରାରମ୍ଭରେ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ କେ.ମୁରୁଗେସନ୍‌ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସେଣ୍ଟର ଫର ଏନଭୋର୍ଣ୍ଣମେଣ୍ଟାଲ ଷ୍ଟଡିଜ୍‌ର ନିର୍ଦେଶକ ଆଶୁତୋଷ ଦେବତା ଧନ୍ୟବାଦ ଦେଇଥିଲେ।