ରାଜ୍ୟସ୍ତରୀୟ ବିଶ୍ବ ପରିବେଶ ଦିବସ: ପରିବେଶ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ ମାନବ ସମାଜ ପ୍ରତି ବିପଦ

ଭୁବନେଶ୍ବର : ଜଙ୍ଗଲକ୍ଷୟ, ଜୈବ ବିବିଧତା ହ୍ରାସ, ପରିବେଶ ପ୍ରଦୂଷଣ, ସବୁଜ ଗୃହ ବାଷ୍ପର ବୃଦ୍ଧି, ବିଶ୍ବତାପାୟନ ଓ ଜଳବାୟୁ ପରିବର୍ତ୍ତନ ଯୋଗୁଁ ମାନବ ସମାଜ ବିପଦ ଆଡ଼କୁ ଟାଣି ହୋଇଯାଉଛି। ଜୀବଜଗତ ବଞ୍ଚିବା ପାଇଁ ପୃଥିବୀର ସୁରକ୍ଷା ନିହାତି ଆବଶ୍ୟକ। ସେଥିପାଇଁ ଅଧିକ ସଂଖ୍ୟାରେ ଗଛ ଲଗାଇବା ଏବଂ ଏହାର ଯତ୍ନ ନେବା ଜରୁରି ବୋଲି ରାଜ୍ୟସ୍ତରୀୟ ବିଶ୍ବ ପରିବେଶ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା କହିଛନ୍ତି। ଏଥିସହିତ ଆଗାମୀ ଦିନରେ ସ୍କୁଲ୍‌ ପିଲାମାନଙ୍କୁ ମୋ ଖତ ତିଆରି ପ୍ରଣାଳୀ, ପ୍ଲାଷ୍ଟିକ ପ୍ରକ୍ରିୟାକରଣ ଉପରେ ଶିକ୍ଷା ଦିଆଯିବ ବୋଲି ସେ କହିଛନ୍ତି।

ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ମାଧ୍ୟମରେ କହିଲେ ଯେ ମନୁଷ୍ୟ ସମାଜକୁ ସୁସ୍ଥ ଓ ସ୍ଥାୟୀ ହେବା ପାଇଁ ପରିବେଶ ସହିତ ଦୀର୍ଘସ୍ଥାୟୀ ସଂପର୍କ ରଖିବା ଆବଶ୍ୟକ। ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ହ୍ରାସ କରିବା ପାଇଁ ୨୦୨୧-୩୦ ପର୍ଯ୍ୟନ୍ତ ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି। ଏଥିସହ ଏକ ସୁନ୍ଦର ପୃଥିବୀ ଗଠନ ପାଇଁ ଭବିଷ୍ୟତ ପିଢ଼ିଙ୍କୁ ପରିବେଶ ସଂରକ୍ଷଣ ବାବଦରେ ସଚେତନା କରିବା ଆବଶ୍ୟକ। ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ୧୪୨୫୦ଟି ଇକୋ କ୍ଲବ୍‌ କାର୍ଯ୍ୟ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସମାରୋହରେ ସେଣ୍ଟର ଫର ଏନ୍‌ଭର୍ଣ୍ଣମେଣ୍ଟାଲ ଷ୍ଟଡିଜ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଆଞ୍ଚଳିକ ଉଦ୍ଭିଦ ସଂପଦ କେନ୍ଦ୍ର ଦ୍ବାରା ପ୍ରସ୍ତୁତ ବିଭିନ୍ନ ଉପାଦେୟ ପୁସ୍ତକ ସହିତ ଇକୋ କ୍ଲବର ବାର୍ଷିକ ବିବରଣୀକୁ ଅତିଥିମାନେ ଲୋକାର୍ପିତ କରିଥିଲେ। ରାଜ୍ୟର ବିଭିନ୍ନ ଜିଲ୍ଲାର ୨୦୦ଟି ଅନୁଷ୍ଠାନ, ସ୍କୁଲ ଓ ବ୍ୟକ୍ତିବିଶେଷଙ୍କୁ ‘ପ୍ରକୃତି ମିତ୍ର’ ପୁରସ୍କାର ପ୍ରଦାନ କରାଯାଇଥିଲା। ଇକୋ କ୍ଲବ୍‌ ମାଧ୍ୟମରେ ପଥପ୍ରାନ୍ତ ନାଟକ, ଶୋଭାଯାତ୍ରା, ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା। ଏଥିସହ ବିଭାଗ ପକ୍ଷରୁ ଇକୋ ମଡେଲ୍‌ ପ୍ରଦର୍ଶନୀ କରାଯାଇଥିଲା। ଯେଉଁଥିରେ ବିଭିନ୍ନ ଜିଲ୍ଲାରୁ ୫୭ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। କାର୍ଯ୍ୟକ୍ରମରେ ସେଣ୍ଟର ଫର ଏନ୍‌ଭର୍ଣ୍ଣମେଣ୍ଟାଲ ଷ୍ଟଡିଜ ନିର୍ଦ୍ଦେଶକ ରାଜୀବ କୁମାର ସ୍ବାଗତ ଭାଷଣ ଓ ଜଙ୍ଗଲ ଓ ପରିବେଶ ବିଭାଗ ନିର୍ଦ୍ଦେଶକ ସୁଶାନ୍ତ ନନ୍ଦ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର