ଭୁବନେଶ୍ବର: ଓୟୁଏଟି କୃଷି ଶିକ୍ଷା ସଦନରେ ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଯୋଗ ଦେଇ ରାଜ୍ୟ ସରକାର ଗୋଟିଏ ବର୍ଷରେ ୭.୫ କୋଟି ବୃକ୍ଷରୋପଣ କରିବେ ବୋଲି ଘୋଷଣା କରିଛନ୍ତି। ଏବେଠୁ ନ ଜାଗିଲେ ପ୍ଲାଷ୍ଟିକ୍ ପ୍ରଦୂଷଣ ଆମ ଭବିଷ୍ୟତ ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି କରିବ। ପ୍ଲାଷ୍ଟିକ୍‌ ବର୍ଜନ ଏକ ଗଣଆନ୍ଦୋଳନ ହେବା ଆବଶ୍ୟକ। ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍‌ ନିଷେଧ ସହ ଏହାର ବିକଳ୍ପକୁ ପ୍ରୋତ୍ସାହନ ଏବଂ ବର୍ଜ୍ୟ ପରିଚାଳନା ପ୍ରଣାଳୀକୁ ସଶକ୍ତ କରିବା ପାଇଁ ସରକାର ସକ୍ରିୟ ପଦକ୍ଷେପ ନେଇଛନ୍ତି। ଗତ ଏକ ବର୍ଷ ମଧ୍ୟରେ ଜଙ୍ଗଲ ଓ ବୃକ୍ଷ ଆବରଣରେ ପାଖାପାଖି ୫୬୦ ବର୍ଗ କିଲୋମିଟର ବୃଦ୍ଧି ହୋଇଛି। ଯାହା ସମସ୍ତ ରାଜ୍ୟ ମଧ୍ୟରେ ଚତୁର୍ଥ ସର୍ବାଧିକ। ଜନସାଧାରଣ ଓ ଅନୁଷ୍ଠାନମାନେ ପ୍ରାୟ ୨ କୋଟିରୁ ଊର୍ଦ୍ଧ୍ୱ ଚାରାରୋପଣ କରି ରେକର୍ଡ ସୃଷ୍ଟି କରିଛନ୍ତି। ଭାରତ ସରକାରଙ୍କ ଦ୍ୱାରା ୧୦୭ତମ ଜାତୀୟ ଉଦ୍ୟାନଭାବେ ଶିମିଳିପାଳ ମାନ୍ୟତା ପାଇଛି। ରାଜ୍ୟ ସରକାର ‘ଆମ ଶିମିଳିପାଳ’ ଯୋଜନା ମାଧ୍ୟମରେ ବନ୍ୟପ୍ରାଣୀ ସୁରକ୍ଷା ଓ ଉଦ୍ଭିଦ ସଂରକ୍ଷଣ ପାଇଁ ୫୦ କୋଟି ଟଙ୍କା ବ୍ୟୟ ବରାଦରେ ଏକ ନୂତନ ପ୍ରୟାସର ଶୁଭାରମ୍ଭ କରିଛନ୍ତି। ରାଜ୍ୟରେ ପରିବେଶ ସୁରକ୍ଷା ତଥା ଏହାର ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବିଭିନ୍ନ ଜିଲ୍ଲାର ୧୮୫ ପ୍ରକୃତି ମିତ୍ର ଓ ୨୧୧ ପ୍ରକୃତି ବନ୍ଧୁ ପୁରସ୍କାରପ୍ରାପ୍ତ ଅନୁଷ୍ଠାନ ତଥା ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ।

Advertisment

‘ପ୍ଲାଷ୍ଟିକ୍‌ ପ୍ରଦୂଷଣ ଆମ ଭବିଷ୍ୟତ ଉପରେ ପ୍ରଶ୍ନଚିହ୍ନ’

କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ‘ଏକ ପେଡ୍‌ ମା କେ ନାମ୍‌’ କାର୍ଯ୍ୟକ୍ରମରେ କୃଷି ଶିକ୍ଷା ସଦନରେ ଚ‌ାର‌ାରୋପଣ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟର ବିଭିନ୍ନ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଶ ଦିବସ ଉପଲକ୍ଷେ ଆୟୋଜିତ ପ୍ରଦର୍ଶନୀ ବୁଲି ଦେଖିଥିଲେ। ଏହି ଅବସରରେ ‘ରାଜ୍ୟ ପଲ୍ୟୁସନ‌୍ କଣ୍ଟୋଲ୍‌ବୋର୍ଡ ଏଫ୍‌ଏକ୍ୟୁ ବୁକ୍‌’, ‘କୋଷ୍ଟାଲ୍‌ ହେଲ୍‌ଥ ଷ୍ଟାଟସ୍‌ ରିପୋର୍ଟ’, ‘ଷ୍ଟଡି ଅନ୍ ୱାଟର୍‌ ଏଫିସିଏନ୍ସି ଇନ୍‌ ଥର୍ମାଲ୍‌ ପାୱାର୍‌ ପ୍ଲାଣ୍ଟ’, ‘ଫ୍ଲୋରାଇଡ୍‌ ଇନ୍‌ ଆଲୁମିନିୟମ୍‌ ସ୍ମଲର୍‌ ରିସ୍କ ଆଣ୍ଡ୍‌ ରେସ୍‌ପନ୍ସ’,‘ଷ୍ଟେଟ୍‌ କ୍ଲିନ୍‌ ଏୟାର୍‌ ପ୍ରୋଗ୍ରାମ’ ଭଳି ପୁସ୍ତକ ଉନ୍ମୋଚିତ ହୋଇଥିଲା। ଏଥିରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ସ୍ୱାଗତ ଭାଷଣ ଦେଇ କହିଥିଲେ, ଏଣିକି ରାଜ୍ୟର ସମସ୍ତ ପିକ୍‌ନିକ୍‌ ସ୍ପଟ୍‌ ପ୍ଲାଷ୍ଟିକ୍‌ ମୁକ୍ତ ହେବ। ‘ପ୍ଲାଷ୍ଟିକ୍‌କୁ କେମିତି ପରାସ୍ତ କରିବା’ ଏହା ଚଳିତବର୍ଷର ଥିମ୍‌। ଏ ଦିଗରେ ୧୦ ହଜାର ଇକୋ କ୍ଲବ୍, ୧୬ ହଜାର ବନ ସମିତି କାମ କରୁଛନ୍ତି। ୧୧ କିଲୋଗ୍ରାମ ପ୍ଲାଷ୍ଟିକ୍‌ ଦେଶରେ ବର୍ଷକୁ ଜଣେ ବ୍ୟକ୍ତି ବ୍ୟବହାର କରୁଛି। ଟନ୍‌ ଟନ୍‌ ପ୍ଲାଷ୍ଟିକ୍‌ ଆମ ନଦୀରେ ମିଶୁଛି। ପ୍ଲାଷ୍ଟିକ୍‌ ଅବଶେଷ ମଶା ପ୍ରଜନନକୁ ବୃଦ୍ଧି କରୁଛି। ତେବେ ଆମ ରାଜ୍ୟରେ ଗତବର୍ଷ ୨୦୦ ପିକ୍‌ନିକ୍‌ ସ୍ପଟ୍‌ ପ୍ଲାଷ୍ଟିକ୍‌ମୁକ୍ତ ହୋଇଛି। ଏହା ବାଦ୍ କପଡ଼ା ବ୍ୟାଗ୍‌ ଭେଣ୍ଡିଂ ମେସିନ୍‌ ସହରର ପ୍ରମୁଖ ସ୍ଥାନରେ ବସିବ ବୋଲି ସେ ସୂଚନା ଦେଇଥିଲେ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଉମା ନନ୍ଦୁରୀ ଧନ୍ୟବାଦ ଦେଇଥିଲେ। ଏହି ସମାରୋହରେ ପିସିସିଏଫ୍ ଏସ୍. ପନ୍ଥ, ବିଭାଗୀୟ ନିର୍ଦ୍ଦେଶକ କେ. ମୁରୁଗେସନ୍‌ଙ୍କ ସହ ପରିବେଶବିତ୍‌ ଓ ବୈଜ୍ଞାନିକ ଉପସ୍ଥିତ ଥିଲେ।